ଅଂଶୁଘାତରେ ଗାଈ ଜଗୁଆଳିଙ୍କ ମୃତ୍ୟୁ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଝିଣ୍ଟି ଶାସନ ପଞ୍ଚାୟତ ସିଙ୍ଗିର ଗ୍ରାମର ଚକ୍ରଧର ବେହେରା (୫୫) ନାମକ ଜଣେ ଗାଈ ଜଗୁଆଳିଙ୍କର ଆଜି ଅପରାହ୍ଣ ପ୍ରାୟ ୩ଟା ସମୟରେ ଅଂଶୁଘାତରେ ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ସଂକଟାପନ୍ନ ଅବସ୍ଥାରେ ପରିବାର ଲୋକ ଚକ୍ରଧରଙ୍କୁ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାନୁଯାୟୀ ଆଜି ଦିନ ସାଢ଼େ ଗୋଟାଏ ବେଳେ ଚକ୍ରଧର ଝିଣ୍ଟି ଶାସନ କୁଦ ଗହୀରକୁ ଗାଈ ଚରାଇବାକୁ ଯାଇଥିଲେ। ପ୍ରଚଣ୍ଡ ଖରାରେ ଦୀର୍ଘ ସମୟ ଧରି ରହିବା ଫଳରେ ହଠାତ୍‌ ସେ ଅସୁସ୍ଥତା ଅନୁଭବ କରି ସେଠାରେ ଟଳି ପଡ଼ିଥିଲେ। ଅଂଶୁଘାତ ଯୋଗୁ ଚକ୍ରଧରଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପୁଅ ଗଗନ ବେହେରା ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରି ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଚକ୍ରଧରଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି । ଚକ୍ରଧରଙ୍କ ମୃତ୍ୟୁ ବାଲିଅନ୍ତା ବ୍ଲକ ଅଞ୍ଚଳରେ ପ୍ରଥମ ଅଂଶୁଘାତ ଜନିତ ଘଟଣା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର