ମୌସୁମୀ ପୂର୍ବରୁ ଡରେଇଲାଣି ଡେଙ୍ଗୁ

ଚନ୍ଦ୍ରଶେଖରପୁର: ରାଜଧାନୀରେ ମୌସୁମୀ ବର୍ଷା ହୋଇନି। କାଳ ବୈଶାଖୀ ବର୍ଷା ଯୋଗୁ କିଛି କିଛି ସ୍ଥାନରେ ପାଣି ଜମିଛି। ଏତିକିରେ ଡେଙ୍ଗୁ ତାରା କାୟା ବିସ୍ତାର କରିବା ଆରମ୍ଭ କରିଛି। ଚନ୍ଦ୍ରଶେଖରପୁରସ୍ଥିତ ଓ୍ଵାର୍ଡ ନଂ-୧୩ ଅନ୍ତର୍ଗତ ବିଡିଏ କଲୋନିର ଗୋଟିଏ ପରିବାରରୁ ଦୁଇ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିବା ପରେ ସ୍ୱାସ୍ଥ୍ୟବିଭାଗ ତତ୍ପର ହୋଇ ପଡ଼ିଛି। ସ୍ୱସ୍ଥ୍ୟ ଅଧିକାରୀଙ୍କ ସମେତ ବିଧାୟକ ମଧ୍ୟ ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବିଡିଏ କଲୋନି ପରି ଅଞ୍ଚଳରେ ଯଦି ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି ତେବେ ଅନ୍ୟ ବସ୍ତିକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବାକୁ ଦାବି କରାଯାଉଛି। ଜନସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଡିଏ କଲୋନିର ଗୋଟିଏ ପରିବାରରୁ ଦୁଇ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏମ୍‌ଆଇଜି-୨,୧୪/୧୦ରେ ରହୁଥିବା ନାରାୟଣ ସାହୁ (୪୫) ଏବଂ ତାଙ୍କ ପତ୍ନୀ ପ୍ରମିଳା ସାହୁ(୩୫) ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଏହାଠାରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେସରକାରୀ ତଥ୍ୟରୁ ସୂଚନା ମିଳୁଛି।

ସନ୍ଧ୍ୟାରେ ବୁଲିଲା ଟିଫା ମେସିନ୍‌

ବର୍ଷା ଆସିବା ପୂର୍ବରୁ ଅସମୟରେ ଡେଙ୍ଗୁ ହେବା ନେଇ ଚିନ୍ତିତ ହୋଇପଡ଼ିଛି ପ୍ରଶାସନ। ଦିନ ବେଳେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବା ପରେ ସନ୍ଧ୍ୟାବେଳେ ଫାଇଲେରିଆ ଅଧିକାରୀଙ୍କ ନେତୃତ୍ୱରେ ଏକ ଦଳ ଟିଫା ମେସିନ୍‌ ସହାୟତାରେ ଏହି କଲୋନିରେ ଧୂଆଁ ସ୍ପ୍ରେ କରାଯାଇଥିଲା। ତେବେ ଏହି ପ୍ରକ୍ରିୟା କିଛି ଦିନ ଜାରି ରହିବ ନା କେବଳ ଲୋକଦେଖାଣିଆ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ ଜଣାଶୁଣା ଥିବାରୁ ଏମିତି ତ୍ୱରିତ ପଦକ୍ଷେପ ନିଆଗଲା। ଅନ୍ୟଥା କହି କହି ଥକିଗଲେ ସୁଦ୍ଧା କଲୋନିକୁ ପରିଷ୍କାର ରଖିବାକୁ କେହି ମଧ୍ୟ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ନିୟମିତ ସଫା ନହେବା ଓ ଅସ୍ୱାସ୍ଥ୍ୟକର ପରିବେଶ ଦାୟୀ
ବିଡିଏ କଲୋନି ଭଳି ଅଞ୍ଚଳରେ ଶିକ୍ଷିତ ଲୋକେ ବାସ କରିଥାଆନ୍ତି। ତଥାପି ମଧ୍ୟ ଏଠିକାର ବାସିନ୍ଦା ମୌଳିକ ସୁବିଧାରୁ ବଞ୍ଚିତ। ଏଠାରୁ ନିୟମିତ ବ୍ୟବଧାନରେ ଅଳିଆ ସଫା ହୋଇ ନଥାଏ। ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ଅବ୍ୟବହୃତ କେବିନ୍‌ ନିକଟରେ ଗଦା ଗଦା ଅଳିଆ ପଡ଼ିରୁହେ। ପାଖରେ ଏକ ଖରାପ ଡାଲା ଅଟୋ ଏବଂ କାର୍‌ ମଧ୍ୟ ଦୀର୍ଘଦିନ ହେବ ପଡ଼ିରହିଛି। ବିଏମ୍‌ସି କିମ୍ବା ପ୍ରଶାସନ ପକ୍ଷରୁ ଏହାକୁ ନିୟମିତ ସଫା କରାଯାଇ ନଥାଏ। ଯିଏ ଯାହା ପାରିଲା ଏଠାରେ ଫିଙ୍ଗନ୍ତି। ସେହିପରି ନିକଟରେ ଥିବା ଏକ ମନ୍ଦିରରୁ ନିର୍ଗତ ଆବର୍ଜନା ଓ ଅଳିଆ ମଧ୍ୟ ଡେଙ୍ଗୁ ରୋଗର ଏକ ପ୍ରମୁଖ କାରଣ। ଜନବସତି ଅଞ୍ଚଳରୁ ଏପରି ଅବ୍ୟବହୃତ ସାମଗ୍ରୀ ଉଠେଇବାକୁ ଦାବି କରୁଛୁ।
ଲିତା ଦାସ, ସ୍ଥାନୀୟ ବାସିନ୍ଦା

ସତର୍କ ଦୃଷ୍ଟି ରଖାଯାଇଛି
କଲୋନିକୁ ପରିଷ୍କାର ରଖିବାକୁ ଯଥା ପ୍ରୟାସ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ପରେ ଏହି ଅଞ୍ଚଳରେ ଥିବା ଅଳିଆ ଆବର୍ଜନାକୁ ଉଠାଇ ଦିଆଯାଇଛି। ଡେଙ୍ଗୁ ଯେପରି ଆଉ ନ ବ୍ୟାପିବ ତାହା ଉପରେ ସତର୍କ ଦୃଷ୍ଟି ରଖାଯାଇଛି।
ସୌଭାଗ୍ୟ ରଂଜନ ବାରିକ
ସ୍ଥାନୀୟ କର୍ପୋରେଟର

ସମ୍ବନ୍ଧିତ ଖବର