ଧଉଳି ଶାନ୍ତିବନରେ ସ୍ଥାପିତ ହେଲା ଶ୍ରୀଲଙ୍କାର ବୋଧି ଦ୍ରୁମ ଚାରା

ଧଉଳି : ଓଡ଼ିଶା ବୁଦ୍ଧିଷ୍ଟ ହେରିଟେଜ ପ୍ରମୋସନ ଟ୍ରଷ୍ଟ ଅଫ ଇଣ୍ଡିଆ ତତ୍ବାବଧାନରେ ବୌଦ୍ଧଧର୍ମର ସ୍ମାରକୀ ବହନ କରୁଥିବା ଶ୍ରୀଲଙ୍କାର ଅନୁରାଧାପୁରରେ ଥିବା ଐତିହ୍ୟ ସଂପନ୍ନ ମୂଳ ବୋଧି ଦ୍ରୁମ (ଅଶ୍ବତ୍ଥ ଗଛ)ର ଚାରା ଆଜି ପୂର୍ବାହ୍ଣରେ ଧଉଳି ଶାନ୍ତିବନରେ ପୁନଃସ୍ଥାପିତ ହୋଇଛି। ଗଛକୁ ସୁରକ୍ଷିତ ରଖିବା ପାଇଁ ଚାରିପଟେ ଲୁହାବାଡ଼ ଘେରାଯାଇଛି। ବୌଦ୍ଧ ସନ୍ୟାସୀ ଶ୍ରୀନିବାସ ନାୟକ ମହାଥେରୋ ଡ . ରେବତ ଥେରୋ , ଜ୍ଞାନଥିଲକ ଥେରୋଙ୍କ ସମେତ ୪ ଜଣ ପ୍ରମୁଖ ଭିକ୍ଷୁ ପୂଜାର୍ଚ୍ଚନା କରି ଚାରା ରୋପଣ କରିଥିଲେ। ବିଭିନ୍ନ ଦେଶର ୫୦ ଜଣ ବୌଦ୍ଧ ସନ୍ୟାସୀ ମଧ୍ୟ ସେମାନଙ୍କ ସହିତ ସାମିଲ ହୋଇଥିଲେ। ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ବକାର ଅଣୁଣ ପଣ୍ଡାଙ୍କ ସଭାପତିତ୍ବର ଅନୁଷ୍ଠିତ ହୋଇଥିବା ସଭାରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା, ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର , କଟକର ମୁଖ୍ୟ ଆୟକର ଆୟୁକ୍ତ ଦେବେନ୍ଦ୍ର ନାରାୟଣ କର, ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ ଓ ବିଦ୍ୟାବାହିନୀ ଟ୍ରଷ୍ଟ୍‌ର ଅଧ୍ୟକ୍ଷ ସ୍ବାମୀ ଆନନ୍ଦ ସରସ୍ବତୀ ପ୍ରମୁଖ ଅମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ରାଟ ଅଶୋକ ଏବଂ ବୋଧିତତ୍ବ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଶ୍ରମିକ ନେତା ମାୟାଧର ନାୟକ, ବିଶିଷ୍ଟ ଶିକ୍ଷାବିତ ଡ. ବଦ୍ରି ପଟ୍ଟନାୟକ, ଚାଟାର୍ଡ ଆକାଉଣ୍ଟାଣ୍ଟ ଶରତ ଚନ୍ଦ୍ର ଭଦ୍ର, ହୃଦରୋଗ ବିଶେଷଜ୍ଞ ଡ. ସୁଶାନ୍ତ କୁମାର ସାହୁ, ସମାଜସେବୀ ଦେବାଶିଷ ପଟ୍ଟନାୟକ, ପୁରୀ ଜିଲ୍ଲା ରେଡ୍‌କ୍ରସର ଯୁଗ୍ମ ସଂପାଦିକା ଗୀତାଞ୍ଜଳି ପଣ୍ଡା ଓ କଣ୍ଠଶିଳ୍ପୀ ଜୟଶ୍ରୀ ଧଳଙ୍କୁ ତଥାଗତ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସଭାରେ ଆୟୋଜକ ଅନୁଷ୍ଠାନର ମୁଖ୍ୟ ସଂଯୋଜକ ପରେଶ ନାୟକ ଅତିଥି ଓ ବୌଦ୍ଧ ସନ୍ଥମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର