ଚର୍ଚ୍ଚାରେ ପରକୀୟା ପ୍ରୀତି

ବିବାହ ପରେ ଅନ୍ୟ କାହା ସହ ଶାରୀରିକ ସମ୍ପର୍କ ରଖିଲେ ତାହାକୁ ଅପରାଧ କୁହାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି। ଏହାପରେ ପରକୀୟା ପ୍ରୀତିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଅନେକ ଏହାକୁ ସ୍ବାଗତ କରିଥିବାବେଳେ କେତେକ ଏହାକୁ ବିରୋଧ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ କିଏ କହୁଛି ସମାଜରେ ବ୍ୟଭିଚାର ଅତି ମାତ୍ରାରେ ବଢ଼ିଯିବ ତ କିଏ କହୁଛି ସମାଜରେ ମହିଳା ଓ ପୁରୁଷ ନିଜ ଇଚ୍ଛାରେ ସମ୍ପର୍କ ସ୍ଥାପନ କରିପାରିବେ। ଏହି ରାୟ ସମ୍ପର୍କରେ ସମାଜର ବିଭିନ୍ନ ବର୍ଗର ଲୋକ କ’ଣ କହୁଛନ୍ତି ସେନେଇ ଏହି ଉପସ୍ଥାପନା।
ବିବାହ ପରେ ଅନ୍ୟ କାହା ସହ ଶାରୀରିକ ସମ୍ପର୍କ ରଖିଲେ ତାହାକୁ ଅପରାଧ କୁହାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି। ଏହାପରେ ପରକୀୟା ପ୍ରୀତିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଅନେକ ଏହାକୁ ସ୍ବାଗତ କରିଥିବାବେଳେ କେତେକ ଏହାକୁ ବିରୋଧ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ କିଏ କହୁଛି ସମାଜରେ ବ୍ୟଭିଚାର ଅତି ମାତ୍ରାରେ ବଢ଼ିଯିବ ତ କିଏ କହୁଛି ସମାଜରେ ମହିଳା ଓ ପୁରୁଷ ନିଜ ଇଚ୍ଛାରେ ସମ୍ପର୍କ ସ୍ଥାପନ କରିପାରିବେ। ଏହି ରାୟ ସମ୍ପର୍କରେ ସମାଜର ବିଭିନ୍ନ ବର୍ଗର ଲୋକ କ’ଣ କହୁଛନ୍ତି ସେନେଇ ଏହି ଉପସ୍ଥାପନା।

ଆଇନର ଉପଯୋଗ ଓ ଦୁରୁପଯୋଗ ଉପରେ ବିରାଟ ପ୍ରଶ୍ନବାଚୀ
ଦୀର୍ଘ ଦେଢ଼ ଶହ ବର୍ଷ ପରେ ଭାରତୀୟ ଆଇନ ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ରାୟ ଆସିଛି। କହିବାକୁ ଗଲେ ମହିଳାମାନଙ୍କୁ ସାମ୍ବିଧାନିକ ମର୍ଯ୍ୟାଦା ମିଳିଛି। ୪୯୭ ଧାରାକୁ ତର୍ଜମା କଲେ ଜାଣି ହୁଏ, ଏଥିରେ ନାରୀକୁ ଏକ ବସ୍ତୁ ଭାବେ ବ୍ୟବହାର କରାଯାଉଥିଲା। ରାୟ ଦେବା ସମୟରେ ସୁପ୍ରିମକୋର୍ଟ ବାରମ୍ବାର ‘ନିୟନ୍ତ୍ରଣ’ ଶବ୍ଦର ବ୍ୟହାର କରିଛନ୍ତି। ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ପୁରୁଷ‌ର ନିୟନ୍ତ୍ରଣ ରହିବା ଉଚିତ ବୋଲି ପ୍ରଚଳିତ ଆମର କୁତ୍ସିତ ମାନସିକତାକୁ ଏହି ରାୟ ନିନ୍ଦା କରିଛି। ଏହି ରାୟ ନୂଆ ଏକ ବିପ୍ଲବ ଆରମ୍ଭ କରିଛି। ତେବେ ଏହି ନିୟମର ଉପଯୋଗ ଓ ଦୁରୁପଯୋଗ ଏବେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନୁରାଧା ମହାନ୍ତି, ସମାଜସେବୀ

ସମସ୍ତେ ଏହାକୁ ଭଲ କରି ବୁଝିବା ଉଚିତ୍‌
ପରକୀୟା ପ୍ରୀତି ଅପରାଧ ନୁହେଁ। ଅର୍ଥାତ ଏହା ନୁହେଁ ଯେ, ସୁପ୍ରିମ୍‌କୋର୍ଟ ପରକୀୟା ପ୍ରୀତିକୁ ଆଇନ୍‌ଗତ ଘୋଷଣା କରିଦେଲେ। ପ୍ରତ୍ୟେକ ମଣିଷକୁ ନିଜ ସଂସ୍କୃତି ଓ ମର୍ଯ୍ୟାଦା ଭିତରେ ରହିବା ଉଚିତ୍‌। କିନ୍ତୁ ସୁପ୍ରିମ୍‌କୋର୍ଟଙ୍କ ରାୟ ନିଶ୍ଚିତ ଭାବେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର, ବ୍ୟଭିଚାର ଓ ଅସମ୍ମାନକୁ ରୋକିପାରିବ। ସୁପ୍ରିମକୋର୍ଟଙ୍କ ରାୟକୁ ଅନ୍ୟଥା ନ ନେଇ ଏହାକୁ ସମସ୍ତେ ଠିକ୍‌ ଭାବେ ବୁଝିବା ଉଚିତ।
ଲିଙ୍କନ ସୁବୁଦ୍ଧି, ସମାଜସେବୀ

ରାୟକୁ ସହଜରେ ଗ୍ରହଣ କରି ହେଉନାହିଁ
ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ବିଚାରକୁ ଚ୍ୟାଲେଞ୍ଜ କରି ନ ହେଲେ ମଧୢ ଯେଉଁ ରାୟ ପ୍ରକାଶ ପାଇଛି, ତାହାକୁ ସହଜରେ ଗ୍ରହଣ କରିହେଉନାହିଁ। ଭାରତୀୟ ସ˚ସ୍କୃତି ଓ ପରମ୍ପରା ପ୍ରତି ଏହା ଏକ ଶକ୍ତ ଆଘାତ ବୋଲି ମୋର ବ୍ୟକ୍ତିଗତ ମତ। ଏହା ଜଣେ ନାରୀକୁ କେଉଁ ଦିଗରୁ ଉଚ୍ଚ ସମ୍ମାନରେ ସମ୍ମାନିତ କରିବ, ଏହା ଏକ ବଡ଼ ପ୍ରଶ୍ନ ନୁହେଁ କି? ନାରୀକୁ ସବୁ କ୍ଷେତ୍ରରେ ସମାନ କରିବା ପାଇଁ ପରକୀୟା ପ୍ରୀତି କିଭଳି ସହାୟକ ହେବ, ଆଦୌ ବୁଝିହେଉ ନାହିଁ। ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଏହାର ପୁନର୍ବିଚାର କଲେ ଭଲ ହୁଅନ୍ତା!
ଲକ୍ଷ୍ମୀଧର ମିଶ୍ର, ଉପସଭାପତି, ସତ୍ୟସାଇ ଏନ୍‌କ୍ଲେଭ୍‌ େଵଲ୍‌ଫେୟାର‌୍‌ କମିଟି, ଖଣ୍ତଗିରି

ଭାରତୀୟ ସଂସ୍କୃତିକୁ କୁଠାରଘାତ
ମୁଁ ବ୍ୟକ୍ତିଗତଭାବେ ମର୍ମାହତ। ଏଭଳି ଏକ ରାୟ ପ୍ରକାଶ ପାଇଛି ବୋଲି ମୁଁ ମୋଟେ ବିଶ୍ବାସ କରିପାରୁନାହିଁ। ପୁରା ରାୟକୁ ପଢ଼ିଲେ, ହୁଏତ କିଛି ଭଲ କଥା ଥିବା ମୋର ମନେ ହେଉଛି। ତଥାପି ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି ମୁଖ୍ୟା˚ଶକୁ ଜାଣିବା ପରେ ଏହା ଭାରତୀୟ ସ˚ସ୍କୃତି ପ୍ରତି କୁଠାରଘାତ ବୋଲି କୁହାଯାଇପାରେ। ନାରୀ ସ୍ବାଧୀନତାକୁ ଓ ସମାନତାକୁ ପ୍ରାଧାନ୍ୟ ଦିଆଯିବା ମାନେ ନୁହେଁ ଯେ ପରକୀୟା ପ୍ରୀତି ସ୍ବାଗତଯୋଗ୍ୟ। ଏହାଦ୍ବାରା ସାମାଜିକ ବ୍ୟବସ୍ଥା ଖିନ୍‌ଭିନ୍‌ ହୋଇଯିବ। ଏହାର କୁପ୍ରଭାବ ପିଲାଛୁଆଙ୍କ ଉପରେ ପଡ଼ିବ।
ସତନ ମହାନ୍ତି, ଯୁବ ବ୍ୟବସାୟୀ, ମଳୟ ବିହାର, ରସୁଲଗଡ଼

ସାମାଜିକ ବିଧି ବ୍ୟବସ୍ଥା ପ୍ରତି ଶକ୍ତ ଧକ୍କା
ଭାରତୀୟ ପାରିବାରିକ ବ୍ୟବସ୍ଥା ଏକ ମହାନ୍‌ ଭତ୍ତିଭୂମି ଉପରେ ପ୍ରତିଷ୍ଠିତ ବୋଲି ଏଥି ପ୍ରତି ସମଗ୍ର ବିଶ୍ବର ସମ୍ମାନ ରହିଛି। ଏଠି ବାପାମାଙ୍କୁ ଭଗବାନ ବୋଲି ମନେ କରାଯାଉଥିବାବେଳେ ଭଉଣୀ ଓ ଭାଇର ସ୍ନେହ ମମତାଯୁକ୍ତ ବନ୍ଧନ ବିରଳ। କିନ୍ତୁ ଆଜି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଯେଉଁ ଦୃଷ୍ଟିରୁ ବି ପରକୀୟା ପ୍ରୀତିକୁ ଅପରାଧ ନୁହେଁ ବୋଲି ବିଚାର କଲେ, ତାହା ମୋତେ ଚକିତ କରିଛି। ଆମ ସାମାଜିକ ବିଧି ବ୍ୟବସ୍ଥା ପ୍ରତି ଏକ ଶକ୍ତ ଧକ୍କା ବୋଲି ମୋର ମତ। ନାରୀକୁ ସମାନ ଅଧିକାର ଦେବା ପାଇଁ ଉଦ୍ଦିଷ୍ଟ ଏଭଳି ରାୟ ନାରୀ ସମାଜ ପ୍ରତି ବୁମେରା˚ ହେବ ବୋଲି ମୁଁ ଭାବୁଛି।
ଦୀପକ କୁମାର ଜେନା, ସମ୍ପାଦକ, ମଲ୍ଲିକ କମ୍ପ୍ଲେକ୍ସ େଵଲ୍‌ଫେୟାର‌୍‌ ସୋସାଇଟି, ଖଣ୍ତଗିରି

ସମାଜ ପ୍ରତି ଶୁଭଙ୍କର ନୁହେଁ
ପରିବାର ହେଉଛି ଜୀବନ। ବିବାହ ଏକ ପବିତ୍ର ବନ୍ଧନ। ବିବାହ ବନ୍ଧନ ଗୋଟିଏ ଜନ୍ମରେ ସୀମିତ ନୁହେଁ । ଏହା ସାତ ଜନ୍ମ କ’ଣ, ଜନ୍ମ ଜନ୍ମର ବୋଲି ଭାରତୀୟ ନାରୀ ବିଶ୍ବାସ କରେ। ବିବାହର ସୂତା ଖିଅ ଆଖିକୁ ଦେଖା ନ ଗଲେ ମଧୢ ବେଶ୍‌ ଦୃଢ଼। ଏହାବାଦ୍‌ ଭାରତୀୟ ସ˚ସ୍କୃତି ହେଉଛି ତ୍ୟାଗର ସ˚ସ୍କୃତି। ଏଠି ତ୍ୟାଗରେ ଥାଏ ମହାଆନନ୍ଦ। ମାତ୍ର କ୍ଷଣିକ ସୁଖ ଓ ଉନ୍ମାଦନାରେ ଥାଏ କେବଳ ଦୁଃଖ ଓ ଦୁଃଖ। ଏକ ପରିବାରକୁ ଭାଙ୍ଗିବା ପରେ ଆଉ ଜୀବନରେ କି ସୁଖ ରହେ! ଏହା ବହୁ ପରିକ୍ଷୀତ କଥା। ମାତ୍ର ଏସବୁ ପ୍ରତି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ କିଭଳି ଦୃଷ୍ଟି ଦେଲେ ନାହିଁ, ତାହା ମୋତେ ବ୍ୟଥିତ କରିଛି। ପୂରା ରାୟକୁ ପଢ଼ି ନଥିଲେ ମଧୢ ମୁଖ୍ୟ କଥାଟି ନାରୀ ସମାଜ ପ୍ରତି ମୋଟେ ଶୁଭଙ୍କର ନୁହେଁ ବୋଲି ମୋର ମତ।
କବିତାରାଣୀ ଜେନା, ଗୃହିଣୀ, ଝାରପଡ଼ା କଲୋନି

ସମାଜରୁ ଅପରାଧ କମିବ
ଏହା ସୁପ୍ରିମକୋର୍ଟଙ୍କର ସବୁଠାରୁ ସ୍ବାଗତଯୋଗ୍ୟ ରାୟ। ବେଳକୁ ବେଳ ସମାଜରେ ଘଟୁଥିବା ପରିବର୍ତନ, ଆଧୁନିକୀକରଣ, ଲୋକଙ୍କ ମାନସିକ ପରିବର୍ତନ ଘଟୁଛି। ମାନ୍ୟବର ସୁପ୍ରି‌ମକୋର୍ଟ ଏସବୁକୁ ଦୃଷ୍ଟିରେ ରଖି ସମାଜର ମଙ୍ଗଳପାଇଁ ଏଭଳି ଏକ ରାୟ ପ୍ରକାଶ କରାଇଛନ୍ତି। କିଛି ନିର୍ଦିଷ୍ଟ ବର୍ଗର ଲୋକ ଏହାକୁ ବିରୋଧ କରୁଛନ୍ତି। କିନ୍ତୁ ବିରୋଧ କରିବାର କୌଣସି କାରଣ ହିଁ ନାହିଁ। ବରଂ ଏହା ଦ୍ବାରା ସମାଜରେ ଅପରାଧ ହ୍ରାସ ଘଟିବ। ପରକୀୟା ପ୍ରୀତି କାରଣରୁ ସମାଜରେ ହତ୍ୟା, ଆତ୍ମହତ୍ୟା, ବିବାହ ବିଚ୍ଛେଦ ଭଳି ଅପରାଧ ଘଟୁଥିଲା। ଏହି ଆଇନ ଆସିବା ପରେ ଏଭଳି ଅପରାଧ କମିଯିବ।
ବରିଷ୍ଠ ଆ‌ଇନଜୀବୀ ବନ ମହାନ୍ତି

ପୁରୁଷ ଜାତି ବଞ୍ଚିଗଲେ
ସୁପ୍ରିମକୋର୍ଟଙ୍କ ଏଭଳି ରାୟ ପୁରୁଷ ଜାତିଙ୍କୁ ବଞ୍ଚାଇ ଦେଲା। କାରଣ ପୂର୍ବରୁ ମହିଳାମାନେ ଲୁଚାଛୁପାରେ କୌଣସି ପୁରୁଷ ସହିତ ସମ୍ପର୍କ ରଖିଥିବା ଅଭିଯୋଗ ଆସୁଥିଲେ କେବଳ ପୁରୁଷ ଟି ଗିରଫ ହେଉଥିଲା। ମହିଳାଙ୍କୁ ସସମ୍ମାନେ ପୁଲିସ ଛାଡୁ ଥିଲା। କିନ୍ତୁ ଏବେ ଏଭଳି ଅଭିଯୋଗ ଆସି‌େଲ ଆଉ ପୁରୁଷ ଗିରଫ ହୋଇ ପାରିବ ନାହିଁ। କିମ୍ବା ଦୁଷ୍କର୍ମ ମାମଲା ରୁଜୁ ହୋଇ ପାରିବ ନାହିଁ। ଏହା ଛଡ଼ା ଏଭଳି ରାୟ ନାରୀଜାତିର ସ୍ବାଧୀନତା ଉପରେ ମଧ୍ୟ ଫୋ‌କ୍‌ସ କରାଯାଇଛି।
ବରିଷ୍ଠ ଆଇନଜୀବୀ ଚିତ୍ତରଂଜନ ଦାଶ

ନାରୀମାନେ ସ୍ବାଧୀନତା ପାଇବେ
୧୫୭ ବର୍ଷ ତଳର ସମ୍ବିଧାନ ଆଇନର ତର୍ଜମା କରି ମାନ୍ୟବର ସୁପ୍ରିମକୋର୍ଟ ଏଭଳି ରାୟ ପ୍ରକାଶ କରିଛନ୍ତି। ଯାହାକି ସର୍ବସାଧାରଣରେ ପ୍ରଶଂସନୀୟ। ଏହା ଦ୍ବାରା ସମାଜରେ ଅପରାଧ କମିବ, ଅନୈତିକ ସମ୍ପର୍କ ମାମଲାରେ ମଧ୍ୟ ହ୍ରାସ ପାଇବ। ନାରୀମାନେ ସ୍ବାଧୀନତା ପାଇବେ। ଯଦି ଜଣେ ଲିଭ୍ଇନ୍‌ ସମ୍ପର୍କରେ ରହି ପାରିବ, ତା ହେଲେ ପରକୀୟା ପ୍ରୀତି ଅପରାଧ ହେବ କେମିତି। ସୁପ୍ରିମକୋର୍ଟ ବେଞ୍ଚ ଏହାର ଅନୁଧ୍ୟାନ କରି ଏଭଳି ରାୟ ପ୍ରଦାନ କରିଛନ୍ତି। ଯଦି ଭବିଷ୍ୟତରେ ଏଥିରେ ତ୍ରୁଟି ଦେଖାଦିଏ ପୁଣି ପରିବର୍ତନ ମଧ୍ୟ କରାଯାଇ ପାରିବ।
ସରକାରୀ ଆଇନଜୀବୀ ଅକ୍ଷୟ ପ୍ରସାଦ ବେହେରା

ସଂପର୍କରେ ବ୍ୟଭିଚାରର ସ୍ଥାନ ନାହିଁ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେ‌ଶକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି। ଏଥିରେ କିଛି ଦ୍ବିମତ ହେବାର ନାହିଁ। କିନ୍ତୁ ଆମ ସମାଜ, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେଇ ଆମେ ଆମର ଲକ୍ଷ୍ମଣରେଖା ଟାଣିବା ଉଚିତ। ବିବାହ ଏକ ମଧୁର ସଂପର୍କ। ଏହି ସଂପର୍କରେ ବ୍ୟଭିଚାରର ସ୍ଥାନ ନାହିଁ। ବିବାହ ପରି ପବିତ୍ର ସଂପର୍କ ବିଶ୍ବାସରେ ବନ୍ଧା ହେବା ଅବାଶ୍ୟକ।
ଅଞ୍ଜଳି ରାଉତ

ସମ୍ପର୍କ ସହିତ ବିଶ୍ବାସ ବି ଭାଙ୍ଗିବ
ବିବାହ ଏକ ପବିତ୍ର ବନ୍ଧନ। ଦୁଇମନ ମିଶିଲେ ସେଠାରେ ଏକ ପରିବାର ତିଆରି ହୁଏ। ଆଉ ସେହି ପରିବାର ମଧ୍ୟରେ ଆଉ ଜଣଙ୍କର ଅନଧିକାର ପ୍ରବେଶ ସମ୍ପର୍କ ସହିତ ବିଶ୍ବାସ ମଧ୍ୟ ଭାଙ୍ଗିଥାଏ। ସୁପ୍ରିମ୍‌କୋର୍ଟ ଦେଇଥିବା ଏହି ରାୟ ସମ୍ପୂର୍ଣ୍ଣ ଭୁଲ।
ରାକେଶ ପଟ୍ଟନାୟକ, ଭୁବନେଶ୍ବର

ସମ୍ବନ୍ଧିତ ଖବର