ଭୁବନେଶ୍ୱର: ସାପ ଖେଳାଇବା ତ ଦୂରର କଥା, କେହି ଶିକାର କରିପାରିବେ ନାହିଁ ବୋଲି ଆଇନ ରହିଛି। ଏଥିପାଇଁ କଠୋର ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ଅଛି। ମାତ୍ର ସବୁ ଜାଣି ମଧ୍ୟ ବିଷଧର ସାପକୁ ଧାରାବାହିକରେ ଚିତ୍ରଣ କରାଯାଉଛି। ବନ ବିଭାଗର କୋହଳ ମନୋଭାବ ଯୋଗୁଁ ବାରମ୍ବାର ଏପରି ଘଟୁଥିବା ଅଭିଯୋଗ ହେଉଛି। ଗତ ଜୁନ୍ ମାସରେ ଘରୋଇ ଚ୍ୟାନେଲ୍ରେ ପ୍ରସାରିତ ଏକ ଧାରାବାହିକର ସୁଟିଂ ସେଟ୍ରେ ସାପର ବ୍ୟବହାର କରାଯାଇଥିବା ବେଳେ ୨ଦିନ ତଳେ ପୁଣି ଏକ ସମାନ ଧରଣର ଘଟଣା ଘଟିଛି। ଏହି ଘଟଣା ଏବେ ପଦାକୁ ଆସିବା ପରେ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (ଡବ୍ଲ୍ୟୁସିସିବି)ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ୧୯୭୨ ଭାରତୀୟ ବନ୍ୟଜନ୍ତୁ ସଂରକ୍ଷଣ ଆକ୍ଟର ଅନୁଚ୍ଛେଦ ୯ ମୁତାବକ ସାପ ଶିକାର ଅପରାଧ। ମାତ୍ର ଧାରାବାହିକରେ ସାପକୁ ବ୍ୟବହାର କରିବା ପୂର୍ବରୁ ତା’ର ବିଷ ଦାନ୍ତ ଭାଙ୍ଗି ଦିଆଯାଇଛି। ବିଷ ଗ୍ରନ୍ଥି କିନ୍ତୁ କଢ଼ାଯାଇନାହିଁ। ତେଣୁ ସାପକୁ ଧରି ଧାରାବାହିକ ପାଇଁ ଯୋଗାଇଥିବା ବ୍ୟକ୍ତି ଜଣକ ଅପରାଧୀ। ଏଥିସହ ସାପକୁ ସୁଟିଂରେ ନିୟୋଜିତ କରିଥିବା ସଂପୃକ୍ତ ବ୍ୟକ୍ତି ମଧ୍ୟ ଅପରାଧୀ। ଧାରା ୫୧ (ଆଟେମ୍ପ୍ଟ ଆଣ୍ଡ୍ ଆବେଟ୍ମେଣ୍ଟ୍) ମୁତାବକ ମନୋରଂଜନ ପାଇଁ ସାପର ବ୍ୟବହାର କରାଯିବା ଅପରାଧ ବୋଲି କହିଛନ୍ତି ଖୋର୍ଧା ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ। ଏନେଇ ସ୍ନେକ୍ ହେଲ୍ପଲାଇନ୍ ପକ୍ଷରୁ ମୁଖ୍ୟ ବନ ସଂରକ୍ଷକ(ବନ୍ୟଜନ୍ତୁ) ଏବଂ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବୋର୍ଡ ନିକଟରେ ଅଭିଯୋଗ କରାଯାଇଛି। ସତ୍ୟ ପ୍ରମାଣିତ ହେଲେ, ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭ ବର୍ଷ ଜେଲ୍ଦଣ୍ଡ ଅବା ଜରିମାନା, ନଚେତ୍ ଉଭୟ ଦଣ୍ଡ ଭୋଗିବାକୁ ପଡ଼ିପାରେ ବୋଲି ସେ କହିଛନ୍ତି। ଧାରାବାହିକରେ ନାୟିକାକୁ ହତ୍ୟା କରିବା ପାଇଁ ଖଳନାୟିକା ବିଷଧର ନାଗକୁ ନିୟୋଜିତ କରୁଛି। ସାପଟି ନାୟିକାର ହାତରେ ଗୁଡ଼େଇ ହୋଇଯାଉଛି। ନାୟିକା ନିଜକୁ ରକ୍ଷା କରିବା ପାଇଁ ସାପକୁ ଦୂରକୁ ଛାଟି ଦେଉଥିବା ଏହି ଧାରାବାହିକରେ ଚିତ୍ରଣ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏ ସଂପର୍କରେ ଶ୍ରୀ ମଲ୍ଲିକ କହିଛନ୍ତି ଯେ ଧାରାବାହିକରେ ଆନିମେସନ୍ ସାପ ନୁହେଁ ବରଂ ସତ ସାପକୁ ଚିତ୍ରଣ କରାଯାଇଛି। ସାପର ବିଷଦାନ୍ତ ଭଙ୍ଗା ଯାଇଥିଲେ ମଧ୍ୟ ବିଷ ଗ୍ରନ୍ଥି ଥିବାରୁ ଏବଂ ସାପର ଅନ୍ୟ ଦାନ୍ତ ଥିବାରୁ ଯଦି ସେ ଧାରାବାହିକର ସେହି ନାରୀ ଚରିତ୍ରଙ୍କୁ କାମୁଡ଼ି ଥାଆନ୍ତା, ତେବେ ସେ ଗୁରୁତର ଆଘାତ ହେବାର ଆଶଙ୍କା ଥିଲା। ସାପ ଯୋଗାଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ତେବେ ଗିରଫଦାରୀ ଭୟରେ ସେ ଫେରାର୍ ହୋଇଯାଇଥିବା ଜଣାଯାଇଛି।