ମାସେ କହି ଚାରି ମାସ ବିତିଲାଣି ତଥାପି ପ୍ଲାନ୍‌ ମିଳୁନି

ଏମିତି ‘ଇଜି ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌’ ଯୋଜନା

ଭୁବନେଶ୍ୱର (ବିଶ୍ୱଜିତ ଦାଶ): ଇଜି ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌ରେ ଭୁବନେଶ୍ୱର ଦେଶରେ ତୃତୀୟ ସ୍ଥାନ ହାସଲ କରିଛି। ଏଠାକୁ ଆସିବାକୁ ଥିବା ସଂସ୍ଥାକୁ ସବୁ ପ୍ରକାରର ଅନୁମୋଦନ, ସରକାରୀ ସହାୟତା ସୁବିଧାରେ ଏବଂ ସହଜରେ କିପରି ମିଳିବ ସେନେଇ ରାଜ୍ୟ ସରକାର ସିଙ୍ଗିଲ୍‌ ଓ୍ଵିଣ୍ଡୋ ବ୍ୟବସ୍ଥା କରିଥିବାରୁ ଭୁବନେଶ୍ୱରକୁ ବିଶ୍ୱ ବ୍ୟାଙ୍କ ପକ୍ଷରୁ ହୋଇଥିବା ସର୍ଭେରେ ତୃତୀୟ ସ୍ଥାନ ମିଳିଛି। ହେଲେ ପ୍ରକୃତରେ ଏଠାରେ କିପରି ସୁବିଧା ସୁଯୋଗ ମିଳୁଛି ଏବଂ ପ୍ରକଳ୍ପ ଆଗେଇବାକୁ ଯୋଜନା ପ୍ରସ୍ତୁତ ହୋଇଛି ତା’ର ଜ୍ୱଳନ୍ତ ଉଦାହରଣ ଭୁବନେଶ୍ୱରରେ ଲାଗୁ ହୋଇଥିବା ‘ଅନଲାଇନ୍‌ରେ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ବ୍ୟବସ୍ଥା’ ବା ଇ-ବିପିଏଏସ୍‌।

ଯେ କୌଣସି ପ୍ରକଳ୍ପ କି ଗୃହ ନିର୍ମାଣ ପାଇଁ ବିଲ୍‌ଡିଂ ନିର୍ମାଣ କରିବାକୁ ଥିଲେ ଅନଲାଇନ୍‌ରେ ଆବେଦନ କରିବେ। ମାସକ ମଧ୍ୟରେ ଆବେଦନକାରୀଙ୍କୁ ପ୍ଲାନ୍‌ ମିଳିବ। ବିଡିଏ କି ବିଏମ୍‌ସି କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବନି। ଆମେରିକାରେ ଥାଅନ୍ତୁ କି ଲଣ୍ଡନରେ ସବୁ ଡକୁମେଣ୍ଟ ଯଦି ଠିକ୍‌ ଥିବ ତେବେ ୩୦ ଦିନ ମଧ୍ୟରେ ପ୍ଲାନ୍‌ ଦେବାକୁ ବିଡିଏ/ବିଏମ୍‌ସି କର୍ତ୍ତୃପକ୍ଷ ବାଧ୍ୟ। ଏପରିକି ବିଭିନ୍ନ ସଂସ୍ଥାଠାରୁ ଏନ୍‌ଓସି ଆଣିବାକୁ ଥିବାବେଳେ ନିର୍ଦ୍ଦିଷ୍ଟ ଦିନ ମଧ୍ୟରେ ନଦେଲେ ଏହାକୁ ଗ୍ରହଣୀୟ ବୋଲି ଧରି ନିଆଯିବ। ଯେଉଁ ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ ଫାଇଲ୍‌ ଅଟକାଇବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା କେବଳ ଘୋଷଣା ଏବଂ ବିଜ୍ଞପ୍ତିରେ ଅଛି। ବିଭିନ୍ନ ଘରୋଇ ସଂସ୍ଥାଙ୍କୁ ଭୁବନେଶ୍ୱରରେ ବ୍ୟବସାୟ କରିବାକୁ ଆକର୍ଷଣ କରିବାକୁ ଏପରି କରାଯାଉଛି। ପ୍ଲାନ୍‌ ମାସକରେ ଛାଡ଼ ୪ ମାସରେ ବି ମିଳିିନି। ଉଦ୍ୟୋଗୀ ଆସି ଏଠାରେ ପ୍ରକଳ୍ପ କରିବା ତ ଦୂରର କଥା ସାଧାରଣ ଲୋକଙ୍କ ପ୍ଲାନ୍‌ ଅନୁମୋଦନ ହୋଇ ନଥିବାରୁ ସ୍ୱପ୍ନର ଘରଟିଏ ବି କରିପାରୁନାହାନ୍ତି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବାହସ୍ଫୋଟ ଭିତରେ ଏବେ ସାଧାରଣ ଲୋକ କିଲବିଲ୍‌ ହୋଇଗଲେଣି। ଘରେ ବସି ପ୍ଲାନ୍‌ ପାଇବେ କ’ଣ ବିଡିଏ/ବିଏମ୍‌ସି କାର୍ଯ୍ୟାଳୟକୁ ଦଉଡ଼ି ଦଉଡ଼ି ଚପଲ ଛିଣ୍ଡିଗଲାଣି। କର୍ତ୍ତୃପକ୍ଷଙ୍କୁ ପଚାରିଲେ ଗୋଟିଏ ଉତ୍ତର ମିଳୁଛି ଅନଲାଇନ୍‌ରେ ପ୍ଲାନିଂ ଦେବା ପ୍ରକି୍ରୟା ନୂଆ କରି ଆରମ୍ଭ ହେଉଛି ତ ଟିକେ ବିଳମ୍ବ ହେଉଛି। ତୁମ ପ୍ଲାନ୍‌ ଅନୁମୋଦନ ହେଲେ ମେସେଜ୍‌ ଓ ମେଲ୍‌ରେ ଜଣାଇ ଦିଆଯିବ।

ଅଟୋକାର୍ଡ ନେଇ ଆର୍କିଟେକଚର୍‌ଙ୍କ ଅଭିଯୋଗ

ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା ସଫ୍ଟେଓ୍ଵୟାରରେ କେବଳ ଅଟୋକାର୍ଡ୍‌ ସଫ୍ଟେଓ୍ଵୟାରରେ ପ୍ରସ୍ତୁତ ହୋଇଥିବା ଡିଜାଇନ୍‌/ନକ୍ସା ପ୍ରୋସେସିଂ ପାଇଁ ଅପଲୋଡ୍‌ ହୋଇପାରୁଛି। ଏହାକୁ ନେଇ ଆର୍କିଟେକଚର୍‌ମାନେ ଅଭିଯୋଗ କରିଛନ୍ତି। ଗୋଟିଏ ସଫ୍‌ଟେଓ୍ଵୟାରରେ ପ୍ରସ୍ତୁତ ନକ୍ସା ସଫ୍ଟେଓ୍ଵୟାର ନେଉଥିବାରୁ ଏନେଇ ଅପ୍ସନ ରଖିବାକୁ ଆର୍କିଟେକଚର୍‌ମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଅନ୍ୟାନ୍ୟ ସଫ୍‌ଟେଓ୍ଵୟାରର ଡିଜାଇନ୍‌ ଅପଲୋଡ୍‌ ହେବା ଭଳି ଫିଚର୍‌ ରଖିବାକୁ କମ୍ପାନିକୁ କୁହାଯାଇଛି।

ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ପଛରେ କାହାର ହାତ?

ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ନିର୍ମାଣକାରୀ ସଂସ୍ଥା ହୋଇଥିବାବେଳେ ଏହାର ଘର ପ୍ଲାନିଂ ଆବେଦନ ଏବଂ ଅନୁମୋଦନ ସଫ୍ଟେଓ୍ଵୟାର ଉପରେ ବିଶେଷ ଜ୍ଞାନ ନାହିଁ। ଯେଉଁଥିପାଇଁ ଏବେ ରାଜଧାନୀବାସୀ ଘର କରିବାକୁ ପ୍ଲାନ୍‌ ପାଉନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବିଡିଏ ଓ ବିଏମ୍‌ସି ରାଜଧାନୀ ଏବଂ ଆଖପାଖ ଅଞ୍ଚଳରେ କୌଣସି ନିର୍ମାଣ ପାଇଁ ପ୍ଲାନ୍‌ ଅନୁମୋଦନ କରୁଥିଲେ ହେଁ ସେମାନଙ୍କ ବିନା ସହମତିରେ ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ସଂସ୍ଥାକୁ ଚୟନ କରାଯାଇଛି। ଏପରିକି ଏହି ସଂସ୍ଥାର ପ୍ଲାନିଂ ସମ୍ବନ୍ଧରେ ଅ ଅକ୍ଷର ଜାଣି ନଥିଲେ ହେଁ ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଚାପରେ ଏହାକୁ ଅନଲାଇନ୍‌ ପ୍ଲାନିଂ ଅନୁମୋଦନ ସଫ୍ଟେଓ୍ଵୟାର ପ୍ରସ୍ତୁତ କାର୍ଯ୍ୟ ଦିଆଯାଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀବାସୀଙ୍କୁ ପ୍ଲାନ୍‌ ମିଳିବାରେ ସମସ୍ୟା ହେଉଥିବାରୁ ଏବଂ ସଫ୍‌ଟେଓ୍ଵୟାରରେ ବହୁତ ତ୍ରୁଟି ଥିବାରୁ ଏନେଇ ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍‌ସି କମିସନର କ୍ରିଷନ୍‌ କୁମାର ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେଣି। ଅସନ୍ତୋଷ ବି ଜାହିର୍‌ କଲେଣି। କିନ୍ତୁ ନିର୍ଦ୍ଦେଶ ଆସିଛି ଆଡଜଷ୍ଟ କରିବାକୁ। ଯେଉଁଥି ପାଇଁ ପ୍ରାୟ ଦୁଇ ମାସ କାଳ ବିଡିଏର ପ୍ଲାନିଂ ଦାୟିତ୍ୱରେ ଥିବା ଅଧିକାରୀମାନେ ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ କର୍ମଚାରୀଙ୍କୁ ପ୍ଲାନ୍‌ କିପରି ଆବେଦନ ହୁଏ, ପୂର୍ବରୁ କିପରି ହେଉଥିଲା, କିପରି ଅନୁମୋଦନ ହେବ, କେତେ ପ୍ରକାରର ପ୍ଲାନ୍‌ ଆବେଦନ ହୁଏ, କେମିତି ଫି’ ଆଦାୟ ହୁଏ ତାହା ଗୋଟି ଗୋଟି କରି ଶିଖାଇଛନ୍ତି। ତଥାପି ସ୍ଥିତି ସୁଧୁରିନି।

ଜାନୁଆରି ସୁଦ୍ଧା ସବୁ ପ୍ଲାନ୍‌ ଅନୁମୋଦନ ହେବ: ବିଡିଏ ପ୍ଲାନିଂ ମେମ୍ବର୍‌

ଅଗଷ୍ଟ ୧ ପରଠାରୁ ଅଫଲାଇନ୍‌ରେ ପ୍ଲାନ୍‌ ଆବେଦନ ବନ୍ଦ ହୋଇ ଯାଇଥିବାବେଳେ କେବଳ ଅନଲାଇନ୍‌ରେ ଆବେଦନ ହେଉଥିବା ପ୍ଲାନ୍‌ ଗ୍ରହଣ କରାଯାଉଛି। ଏହି ୪ ମାସ ମଧ୍ୟରେ ବିଡିଏରେ ୧୧୦ରୁ ଅଧିକ ପ୍ଲାନ୍‌ ଏବଂ ବିଏମ୍‌ସିରେ ୨୦୦ରୁ ଅଧିକ ପ୍ଲାନ୍‌ ଆବେଦନ ହୋଇଥିଲେ ହେଁ ଗୋଟିଏ ବି ପ୍ଲାନ୍‌ ଅନୁମୋଦନ ହୋଇନି। ଏନେଇ ବିଡିଏ ପ୍ଲାନିଂ ମେମ୍ବର ସୁଧି ରଂଜନ ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ନୂଆ କରି ଅନଲାଇନ୍‌ରେ ପ୍ଲାନ୍‌ ଆବେଦନ ଓ ଅନୁମୋଦନ ବ୍ୟବସ୍ଥା ଆରମ୍ଭ ହୋଇଥିବାରୁ କିଛି ସମସ୍ୟା ଦେଖାଯାଉଛି। ଏହାକୁ ଖୁବ୍‌ ଶୀଘ୍ର ସମାଧାନ କରାଯିବ। ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌କୁ ସଫ୍ଟେଓ୍ଵୟାର ଡେଭଲପ୍‌ କରିବାକୁ କୁହାଯାଇଛି, ଅଟୋକାଡ୍‌ ବ୍ୟତୀତ ଅନ୍ୟ ସଫ୍ଟେଓ୍ଵୟାରରେ ପ୍ରସ୍ତୁତ ନକ୍ସାକୁ ଅପଲୋଡ୍‌ କରିବା ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହା ପ୍ରାୟତଃ ସରି ଆସିଲାଣି। ଏହାବାଦ୍‌ ଅଫଲାଇନ୍‌ ମୋଡ୍‌ରେ ଯେପରି ଫି’ ଆଦାୟ ହେଉଥିଲା ସେହିଭଳି ବିଭିନ୍ନ ସଂସ୍ଥା ପାଇଁ ପୃଥକ ପୃଥକ ଫି’ ଆଦାୟ ବ୍ୟବସ୍ଥା ହେବ। ଜାନୁଆରି ପୂର୍ବରୁ ସମସ୍ତ ଆବେଦନକୁ ଅନୁମୋଦନ ମିଳିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

କେଉଁଠି ରହୁଛି ତ୍ରୁଟି

ବିଡିଏ/ବିଏମ୍‌ସି ଏବେ ପ୍ଲାନ୍‌ ଅନୁମୋଦନ ନ କରିପାରିବାର ମୁଖ୍ୟ କାରଣ ହେଲା ପ୍ଲାନ୍‌ ଯେଉଁ ପ୍ରକ୍ରିୟାରେ ଅନୁମୋଦନ ହେବ ତାହା ଏବେ କର୍ତ୍ତୃପକ୍ଷଙ୍କ ହାତରେ ନାହିଁ। ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ସଂସ୍ଥା ଦ୍ୱାରା ପ୍ରସ୍ତୁତ ହୋଇଥିବା ସଫ୍ଟେଓ୍ଵୟାର ମାଧ୍ୟମରେ ଏବେ ପ୍ଲାନ୍‌ ଅନୁମୋଦନ ହେଉଛି। ଯେଉଁ ଅଧିକାରୀ ଯେଉଁ ଦାୟିତ୍ୱରେ ଥିବେ ସେମାନେ କେବଳ ଅନଲାଇନ୍‌ରେ ଏହାକୁ ଦେଖି ଅନୁମୋଦନ ହେବ କି ନାହିଁ ନିଷ୍ପତ୍ତି ନେବେ। ହେଲେ ଏହି ସଂସ୍ଥା ସେତିକି ବି କରିବାରେ ବିଫଳ ହୋଇଛି। ଯେଉଁଥିପାଇଁ ପ୍ଲାନ୍‌ ସମ୍ବନ୍ଧୀୟ ଫାଇଲ୍‌ ବହୁ ତ୍ରୁଟି ଯୋଗୁଁ ଆଗକୁ ବଢ଼ୁନି। ଅନୁମୋଦନ ହେବା ଦୂରର କଥା।

ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ପ୍ରସ୍ତୁତ ବିପିଏଏସ୍‌ ବା ବି-ପାସ୍‌ ସଫ୍ଟେଓ୍ଵୟାରରେ ବହୁ ତ୍ରୁଟି ଥିବାରୁ ବିଡିଏ/ବିଏମ୍‌ସି କର୍ତ୍ତୃପକ୍ଷ ଠିକ୍‌ ଭାବେ କାର୍ଯ୍ୟ କରିପାରୁନାହାନ୍ତି। ଏହି ସଫ୍ଟେଓ୍ଵୟାର ଡେଭଲପ୍‌ କରିବାକୁ ବାରମ୍ବାର କୁହାଯାଉଥିଲେ ହେଁ ଏଠାରେ ଥିବା କର୍ମଚାରୀ କରୁନାହାନ୍ତି। ତେଣୁ ପ୍ଲାନ୍‌ ଅନୁମୋଦନ କରିବାରେ ବହୁତ ଅସୁବିଧା ହେଉଥିବା ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷ କହିଛନ୍ତି।

ଏହି ସଫ୍‌ଟେଓ୍ଵୟାରରେ କେବଳ ନୂଆ ପ୍ଲାନ୍‌କୁ ଅନୁମୋଦନ କରିବା ବ୍ୟବସ୍ଥା ଅଛି। ଯେଉଁମାନେ ପୂର୍ବରୁ ପ୍ଲାନ୍‌ ନେଇ ଘର କରିଛନ୍ତି ସେମାନେ ଯଦି ଏହାକୁ ବଦଳାଇବାକୁ ଚାହୁଁଛନ୍ତି, ଘରର କିଛି ଅଂଶ ଭାଙ୍ଗି ଏହାକୁ ବଢ଼ାଇବାକୁ ଚାହୁଁଛନ୍ତି, ପ୍ଲାନ୍‌ ନେବାର ତିନି ବର୍ଷ ପରେ ଯଦି ଏହାକୁ ନବୀକରଣ କରିବାକୁ ଚାହୁଁଛନ୍ତି, ଘର ନିର୍ମାଣ ପରେ ଅକୁପାନ୍ସି ସାର୍ଟିଫିକେଟ ନେବାକୁ ଚାହୁଁଛନ୍ତି ତେବେ ଏହାକୁ ଅନୁମୋଦନ କରିବା ନେଇ କିଛି ବ୍ୟବସ୍ଥା ନାହିଁ। ଫଳରେ ଅଧାପନ୍ତରା ସଫ୍ଟେଓ୍ଵୟାରରେ କାମ କରିବା ଏକ ପ୍ରକାରର ଅସମ୍ଭବ ବୋଲି ବିଡିଏ/ବିଏମ୍‌ସି କର୍ତ୍ତୃପକ୍ଷ କହୁଥିଲେ ହେଁ ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ପକ୍ଷରୁ ଏହାକୁ ଉନ୍ନତିିକରଣ କରାଯାଉନି।

ଏହାବାଦ୍‌ ନୂଆ ପ୍ଲାନ୍‌ ଆବେଦନକାରୀଙ୍କୁ ଡିମାଣ୍ଡ୍‌ ନୋଟିସ୍‌ ଦିଆଯାଇପାରୁନି। ଯେମିତି ଜଣେ ଆବେଦନକାରୀ ଆବେଦନ କଲେ ନୂଆ ନିୟମ ଅନୁଯାୟୀ ପ୍ରାୟ ତିନି ପ୍ରକାରର ଫି’ ଦେବାକୁ ପଡ଼ୁଛି। ସାଙ୍କସନ୍‌ ଫି’, ନିର୍ମାଣ ଶ୍ରମିକଙ୍କ ପାଇଁ ଆଦାୟ ହେଉଥିବା ସେସ୍‌, ସିଆଇଡିଏଫ୍‌ ଫି’ (୨୦ଫୁଟ ରାସ୍ତାର ଥିଲେ ଏହାକୁ ଅନୁମୋଦନ କରିବା ପାଇଁ ଦେବାକୁ ଥିବା ଫି’) ଇତ୍ୟାଦି। ଏହି ତିନିଟି ଫି’ ବିଭିନ୍ନ ଆକାଉଣ୍ଟରେ ଜମା ହେଉଛି। ଯେପରି ସାଙ୍କସନ୍‌ ଫି’ ବିଡିଏ ପ୍ଲାନ୍‌ ଦେଉଥିଲେ ବିଡିଏ ଆକାଉଣ୍ଟକୁ, ବିଏମ୍‌ସି ପ୍ଲାନ୍‌ ଦେଉଥିଲେ ବିଏମ୍‌ସି ଆକାଉଣ୍ଟରେ ଜମା କରିବାକୁ ହେବ। ସେସ୍‌ ଫି’ ଶ୍ରମିକ କଲ୍ୟାଣ ବୋର୍ଡର ଆକାଉଣ୍ଟରେ ଏବଂ ସିଆଇଡିଏଫ୍‌ ଫି’ ବିଡିଏ ଆକାଉଣ୍ଟରେ ଜମା ହେବ। କିନ୍ତୁ ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ସଫ୍ଟେଓ୍ଵୟାରରେ ଗୋଟିଏ ପ୍ରକାରର ଫି’ ଆସୁଥିବାରୁ ଏହାକୁ ବାଣ୍ଟିବା କର୍ତ୍ତୃପକ୍ଷଙ୍କ ପାଇଁ ଅସୁବିଧା ହେଉଛି।

ସମ୍ବନ୍ଧିତ ଖବର