ଏକାମ୍ର ଶିଶୁ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ‘ସାହିତ୍ୟ’ ସମୂହ ହିତକାରୀ

ବାରଙ୍ଗ: ପ୍ରତ୍ୟେକ ମଣିଷ ଭାବର ଅଧିକାରୀ। ମଣିଷର ଭାଷା ଓ ଭାବ ପରିପ୍ରକାଶର ମାଧ୍ୟମ ହେଉଛି ସାହିତ୍ୟ। ଭଲ ସାହିତ୍ୟ ମନକୁ ଛୁଏଁ। ସାହିତ୍ୟ ବିନା ଆମେ ସମୃଦ୍ଧ ହୋଇପାରିବା ନାହିଁ। ସାହିତ୍ୟ ସମୂହ ହିତକାରୀ। ନନ୍ଦନକାନନ ବିଦ୍ୟାଳୟରେ ଅନୁଷ୍ଠିତ ଶିଶୁ ସାହିତ୍ୟ ସଂସଦର ଚତୁର୍ଦ୍ଦଶତମ ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରି ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ଓଡ଼ିଆ ଶିଶୁ ସାହିତ୍ୟ ଉପରେ ଦେଖା ଦେଇଥିବା ସଂକଟ ସଂପର୍କ‌ରେ ବକ୍ତବ୍ୟ ରଖି ଶ୍ରୀ ପଟ୍ଟନାୟକ କହିଥିଲେ, ‘‘ମୁଁ ଦୃଢ଼ୋକ୍ତିର ସହ କହିବି, ଭାଷା ପ୍ରତି ରୁଚି, ଆନ୍ତରିକତା ଓ ଉପଯୁକ୍ତ ପ୍ରଚେଷ୍ଟା ଅଭାବରୁ ଓଡ଼ିଆ ଶିଶୁ ସାହିତ୍ୟର ପ୍ରକୃତ ବିକାଶ ହୋଇପାରିନାହିଁ। ଶିଶୁ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଆମକୁ ଅନେକ କିଛି ନୂତନ କୌଶଳ କରିବାକୁ ପଡ଼ିବ।’’ ବରିଷ୍ଠ ସାହିତ୍ୟିକ ଦାଶ ବେନହୁର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ, ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଆମେ ସେଥିପ୍ରତି ପ୍ରଚେଷ୍ଟା କରିବା ଆବଶ୍ୟକ। ଡ. ସୁନାମଣି ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଶୁ ସାହିତ୍ୟକୁ ସମୃଦ୍ଧ କରିବାକୁ ପ୍ରଚେଷ୍ଟା ଜାରି ରଖିବାକୁ କହିଥିଲେ।

ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସାହିତ୍ୟିକ ଦାଶ ବେନହୁରଙ୍କୁ ଏକାମ୍ର ଶିଶୁ ସାହିତ୍ୟ ସମ୍ମାନ, ଗଗନ ବିହାରୀ ରାଉତଙ୍କୁ ଫୁଲ-ନରହରି ସ୍ମୃତି ସମ୍ମାନ, ବୃନ୍ଦାବନ କୁମ୍ଭାରଙ୍କୁ ସାଧୁ ଦୟାନିଧି ଦାସ, ବଳରାମ ପାତ୍ରଙ୍କୁ ଶଶି-ଶ୍ରୀଭୁଜ ସ୍ମୃତି, ରେଣୁକା ଆଚାର୍ଯ୍ୟଙ୍କୁ ଅନାମ-ଭୂତି ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ୩୮ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ଏକାମ୍ର ଶିଶୁ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ସଂସଦର ମୁଖପତ୍ର ‘ଏକାମ୍ର କୁସୁମ’କୁ ଲୋକାର୍ପଣ କରିଥିଲେ। ଏତଦ୍‌ବ୍ୟତୀତ ଜୟକୃଷ୍ଣ ସାହୁଙ୍କ ରଚିତ ‘ସତ ସତିକା ଗପ’, ହରମୋହନ କୁଅଁରଙ୍କ ‘ଟିକି ଚଢ଼େଇର ନୂଆ ଭାଷା’, ମୁରଲୀଧର ପରିଡ଼ାଙ୍କ ‘ଚୋପା କଥା’ ଓ ଜମିର ଖାନଙ୍କ ‘ସଚେତନ ହେବା ଆମେ’ ଉନ୍ମୋଚିତ ହୋଇଥିଲା। ଦୀପ୍ତିପ୍ରଭା ମିଶ୍ର ଓ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ସଂଯୋଜନାରେ ଏକ ରାଜ୍ୟସ୍ତରୀୟ ଶିଶୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଡ. ଶରତ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଡ. ଦିଗରାଜ ବ୍ରହ୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ଲକ୍ଷ୍ମୀପ୍ରସାଦ ସାହୁ ବିବରଣୀ ପାଠ କରିଥିଲେ। ସହଦେବ ପଣ୍ଡା ଓ ମୁରଲୀଧର ପରିଡ଼ା ମଞ୍ଚ ପରିଚାଳନା କରିଥିବା ବେଳେ ପବିତ୍ରମୋହନ ଦାଶ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର