ବାଜିଲା ଛାତ୍ର ସ˚ସଦ ନିର୍ବାଚନ ବିଗୁଲ୍‌, କ୍ୟାମ୍ପସରେ ପ୍ରାର୍ଥୀ ଖୋଜୁଛନ୍ତି ସଙ୍ଗଠନ

ଭୁବନେଶ୍ୱର: ଛାତ୍ର ସ˚ସଦ ନିର୍ବାଚନ ଲାଗି ବାଜିଲା ବିଗୁଲ୍‌। ନିର୍ବାଚନର ୧୪ ଦିନ ପୂର୍ବରୁ ତାରିଖ ଘୋଷଣା କରାଯିବା ପରେ ଛାତ୍ର ସଙ୍ଗଠନଗୁଡ଼ିକ ତତ୍ପରତା ପ୍ରକାଶ କରିଛନ୍ତି। ଏବେ ସୁଦ୍ଧା ଛାତ୍ର ବିଜେଡି କେତେକ କ୍ୟାମ୍ପସ୍‌ ପାଇଁ ସମର୍ଥିତ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଥିବା ବେଳେ ଏବିଭିପି ମଧ୍ୟ ରମାଦେବୀ ମହିଳା‌ ବିଶ୍ବବିଦ୍ୟାଳୟ ପାଇଁ ପ୍ରାର୍ଥୀ ଚୟନ କରିସାରିଛି। ଛାତ୍ର କଂଗ୍ରେସ ଏବେ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ସମସ୍ତ କଲେଜ‌େର ପ୍ରାର୍ଥୀ ଚୟନ ଶେଷ କରିବାକୁ ଛାତ୍ର କଂଗ୍ରେସ ଲକ୍ଷ୍ୟ ରଖିଛି।

କ୍ୟାମ୍ପସ୍‌ ରାଜନୀତିର ପ୍ରାଣକେନ୍ଦ୍ର ବାଣୀବିହାରରେ ଏଥର ନିର୍ବାଚନ ସମ୍ଭାବନା କ୍ଷୀଣ। ଚଳିତବର୍ଷ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲି ଉତ୍ସବ ପାଳନ କରୁଥିବାରୁ କ୍ୟାମ୍ପସରେ ନିର୍ବାଚନ କରି ଅଶାନ୍ତ କରିବାକୁ ଚାହୁଁ ନାହାନ୍ତିି କର୍ତୃପକ୍ଷ। ଇତି ମଧରେ ୩ଟି ଯାକ ଛାତ୍ର ସଙ୍ଗଠନକୁ ବୁଝାଇବାରେ ସକ୍ଷମ ହୋଇଛନ୍ତି କର୍ତୃପକ୍ଷ। ତେଣୁ ସଙ୍ଗଠନଗୁଡ଼ିକ ଏହି କ୍ୟାମ୍ପସକୁ ସେମାନଙ୍କ ତାଲିକାରୁ ବାଦ୍‌ ଦେଇ ଅନ୍ୟ କ୍ୟାମ୍ପସ ଲାଗି ପ୍ରାର୍ଥୀ ଖୋଜିବା ଆରମ୍ଭ କରିଛନ୍ତି। ଉତ୍କଳରେ ନିର୍ବାଚନ ହେଉ ନ ଥିବାରୁ ୟୁନିଭରସିଟି ଲ’ କଲେଜରେ ବି ଏଥର ନିର୍ବାଚନ ହେବ ନାହିଁ ବୋଲି ଏବେଠାରୁ ସ୍ପଷ୍ଟ ହୋଇଛି। ଏବେ କେବଳ ସିଣ୍ଡିକେଟ୍‌ ବୈଠକ ଉପରେ ସମସ୍ତଙ୍କ ନଜର। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କ୍ୟାମ୍ପସ କବ୍‌ଜା କରିବାକୁ ଛାତ୍ର ବିଜେଡି ପ୍ରସ୍ତୁତ ଚଲାଇଥିବା ବେଳେ ଟକ୍କର ଦେବାକୁ ଏବିଭିପି ଅଣ୍ଟା ଭିଡ଼ିଛି। ଏଥିପାଇଁ କ୍ୟାମ୍ପସ ବାହାରେ ଘନ ଘନ ବୈଠକ ବସୁଛି। ଗତଥର ଛାତ୍ର ବିଜେଡି ଏଠାରେ ଜିତିଥିବାରୁ ଏଥର ମଧ୍ୟ କ୍ୟାମ୍ପସ ଅକ୍ତିଆର କରିବାକୁ ଯୋଜନା ପ୍ରସ୍ତୁତ କରିଛି ସଙ୍ଗଠନ। ଛାତ୍ର କଂ‌ଗ୍ରେସ ଏବେ ଏହି କ୍ୟାମ୍ପସରେ ଲଢ଼ିବା ପାଇଁ ପ୍ରାର୍ଥୀ ଖୋଜୁଛି। ବିଜେବି କଲେଜ କ୍ୟାମ୍ପସ ରାଜନୀତି ନିଆରା ରୂପ ନେଇଛି। ଏଠାରେ ଗତ ଦୁଇ ବର୍ଷ ହେଲା ନିର୍ବାଚନ ହୋଇପାରୁ ନଥିବା ବେଳେ ଏଥର ଟିକିଏ ଆଶା ସଂଚାର ହୋଇଛି। କିନ୍ତୁ ଗୋଟିଏ ଛାତ୍ର ସଙ୍ଗଠନର ଦୁଇ ଛାତ୍ରଗୋଷ୍ଠୀ କ୍ୟାମ୍ପସରେ ବାରମ୍ବାର ମୁହାଁମୁହିଁ ହେଉଥିବାରୁ ନିର୍ବାଚନରେ ତାହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ବିରୋଧୀ ମଧ୍ୟ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଦେବରାୟ କଲେଜ, ରାଜଧାନୀ କଲେଜ, କ୍ୟାପିଟାଲ ଲ’ କଲେଜ ପାଇଁ ସଙ୍ଗଠନଗୁଡ଼ିକ ପ୍ରାର୍ଥୀ ଖୋଜିବା ଆରମ୍ଭ କରିଦେଇଛନ୍ତି। ବେସିକ୍‌ ସାଇନ୍ସ କଲେଜ ବିଗତବର୍ଷଗୁଡ଼ିକ ପରି ଏଥର ମଧ୍ୟ ଆଦର୍ଶ କ୍ୟାମ୍ପସ ପାଲଟିବ ବୋଲି କର୍ତ୍ତୃପକ୍ଷ ଆଶାପ୍ରକଟ କରିଛନ୍ତି।

ଦେବରାୟ କଲେଜରେ ପ୍ରାକ୍‌ ନିର୍ବାଚନୀ ହିଂସା ଦୁଇ ଆଶାୟୀ ସଭାପତିଙ୍କ ସହ ୧୦ ଛାତ୍ର ଆହତ
ଭୁବନେଶ୍ୱର: ଛାତ୍ର ସ˚ସଦ ନିର୍ବାଚନ ପୂର୍ବରୁ ଦେବରାୟ କଲେଜରେ ପ୍ରକ୍‌ ନିର୍ବାଚନୀ ହି˚ସା ଆରମ୍ଭ ହୋଇଛି। ଗୋଟିଏ ଗୋଷ୍ଠୀର ଛାତ୍ରଛାତ୍ରୀ ଆଶାୟୀ ପ୍ରାର୍ଥୀମାନଙ୍କୁ ନେଇ ଶୋଭାଯାତ୍ରା କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଛାତ୍ରମାନେ ସେମାନଙ୍କୁ କମେଣ୍ଟ କରିବାରୁ ଉଭୟ ‌େଗାଷ୍ଠୀ ହାତାହାତି ହୋଇଥି‌େଲ। ମାର୍‌ପିଟ୍‌ ‌ଯୋଗୁଁ କ୍ଲାସରୁମ୍‌ରେ ଚେୟାର ଟେବୁଲ, ଫ୍ୟା୍‌ନ, ଆସବାବପତ୍ର ଭଙ୍ଗିରୁଜି ଯାଇଛି। ଏଥିରେ ଉଭୟ ଗୋଷ୍ଠୀର ଆଶାୟୀ ସଭାପତି ପ୍ରାର୍ଥୀଙ୍କ ସମେତ ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତମାନେ ହେଲେ ରାଜ ନାରାୟଣ ବଳ, ସୁବାଶିଷ ଗୁରୁ, ମନୋଜ ବେ‌େହରା, ରଞ୍ଜନ ସାହୁ, ସ୍ବାଗତ ପ୍ରଧାନ, ସୌମ୍ୟରଞ୍ଜନ ପାତ୍ର, ଅସିତ୍ ବେହୁରା, ମନିକା ପଟ୍ଟନାୟକ ଓ ମାରୁତିବ୍ୟାନ୍ ସାମନ୍ତରାୟ। ଖବରପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲା। ତେବେ କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ଏନେଇ ଉଭୟ ଛାତ୍ରଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର