ଭୁବନେଶ୍ୱର : ଫେସ୍ବୁକ୍ରେ ଜଣେ ଯୁବତୀଙ୍କୁ ବନ୍ଧୁତ୍ୱ ନିବେଦନ, ବନ୍ଧୁତ୍ୱରୁ ଏକତରାଫା ପ୍ରେମ କରିବା। ଆଉ ଅଶ୍ଳୀଳ ମେସେଜ୍ ପଠାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯୁବତୀ ଓ ତାଙ୍କ ସାଙ୍ଗମାନେ ଯୁବକଙ୍କୁ ନିସ୍ତୁକ ମାଡ଼ମାରି ପୁଲିସରେ ଦେଇଛନ୍ତି। ଆଜି ଏଭଳି ଏକ ଘଟଣା ଘଟିଛି ଉତ୍କଳବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, କିଛିଦିନ ତଳେ ଯୁବକ ଜଣଙ୍କ ଫେସ୍ବୁକ୍ରେ ଯୁବତୀଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ। ପରେ ଯୁବକ ଜଣଙ୍କ ଯୁବତୀଙ୍କ ସହ ଲଗାତାର ଚାଟ କରିଚାଲିଥିଲେ। ଯୁବତୀ ଜଣକ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀ ବୋଲି ଜାଣିବା ପରେ ତାଙ୍କୁ ପ୍ରେମ ଜାଲରେ ପକାଇବା ପାଇଁ ଯୋଜନା କରିଥିଲେ। ଚତୁରତାର ସହ ଯୁବତୀଙ୍କଠାରୁ ଫୋନ୍ ନମ୍ବର ନେଇଥିଲେ। ଫୋନ ଓ ମେସେଜ୍ ନକରିବା ପାଇଁ ଯୁବତୀ ଜଣଙ୍କ ମନାକରିଥିଲେ ମଧ୍ୟ ଯୁବକ ଜଣଙ୍କ କିଛି ଶୁଣି ନଥିଲେ। ଫଳରେ ଯୁବକଙ୍କୁ ପାନେ ଦେବା ପାଇଁ ଯୁବତୀ ଜଣଙ୍କ ଯୋଜନା କରିଥିଲେ। ଯୋଜନା ମୁତାବକ ଯୁବକଙ୍କୁ ସୋମବାର ଅପରାହ୍ଣରେ ବାଣୀବିହାର କ୍ୟାମ୍ପସ୍କୁ ଡକାଇଥିଲେ। ଯୁବତୀ ଜଣଙ୍କ କ୍ୟାମ୍ପସ ଭିତରେ ଥିବା ଏକ ନିଛାଟିଆ ସ୍ଥାନକୁ ଡାକିଥିଲେ। ଆଉ ସେଠାରେ ଯୁବତୀ ଓ ତାଙ୍କ ସହଯୋଗୀ ନିର୍ଘାତ ମାଡ଼ ମାରିଥିଲେ। ଯୁବକଙ୍କୁ ସେଠାରେ ଆଣ୍ଠେଇ ପୁଲିସକୁ ଫୋନ୍କରି ଘଟଣା ବିଷୟରେ ଜଣାଇଥିିଲେ। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଗିରଫ କରି ଥାନାକୁ ନେଇଥିଲା। ଥାନାରେ ପଚରାଉଚରା ପରେ ଉଭୟ ପକ୍ଷ ମଧ୍ୟରେ ଆପୋସ ବୁଝାମଣା ହୋଇଥିବା ଜଣା ପଡ଼ିଛି।