ପଖାଳରେ ମନ

ସଜ ଘୋଳ ଦହି ସାଙ୍ଗକୁ ଛେଚା ଆମ୍ବ କଷିଆ ଅଦା। ଦହି ଫୁଟଣ ସାଙ୍ଗକୁ ପୁଦିନା ଓ ଧନିଆ ଚଟଣି ଛୁଙ୍କ ହୋଇଗଲେ ପଖାଳ ଆଗରେ ସବୁ ଯେମିତି ଫିକା ପାଲଟିଯାଏ। ଏଣେ ଖରାଟିଆ ପାଗ ଯୋଗୁଁ ଆଉ ଗରମକୁ ମନ ଲୋଡ଼ୁନି। ପାରଦ ଯେତେ ବଢ଼ୁଛି ପଖାଳ ଆଡ଼କୁ ମନ ସେତେ ଢଳୁଛି। ଦିନେ ଗରିବ ଘରେ ବଳକା ଭାତ ପଖାଳର ରୂପ ନେଉଥିବା ବେଳେ ଆଜି ତାହା ପଞ୍ଚତାରକା ହୋଟେଲର ସ୍ୱତନ୍ତ୍ର ମେନୁରେ ସ୍ଥାନ ପାଇଛି। ଖରାଦିନେ ଯେମିତି ପଖାଳର ବିକଳ୍ପ ନାହିଁ। ବୋଧେ ସେଇଥିପାଇଁ ବାଳକୃଷ୍ଣ ଦାସଙ୍କ କଣ୍ଠରୁ ଉତୁରି ଆସିଥିବା ‘ଆସ ଜୀବନ ଧନ ମୋର ପଖାଳ କଂସା…, ସଜନୀରେ ତୋ ବିହୁନେ ବୁଡ଼ିଲା ହଂସା…। ଗତ କିଛି ବର୍ଷ ତଳେ ସାମାଜିକ ଗଣମାଧ୍ୟମରେ ପଖାଳ ବାବଦରେ ଏତେ ପ୍ରଚାର ହେଲା ଯେ ଶେଷରେ ମାର୍ଚ ୨୦ ପଖାଳ ଦିବସ ଭାବେ ତାଲିକାରେ ଯୋଡ଼ି ହୋଇଗଲା। ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ଛତିଶଗଡ଼ ସମେତ ନେପାଳ, ବାଙ୍ଗାଲୋର ଓ ମିଆଁମାର ଯାଏଁ ବ୍ୟାପିଛି ଏଇ ପଖାଳ ପ୍ରୀତି। ଉପସ୍ଥାପନା: ସତ୍ୟନାରାୟଣ ରାଉତରାୟ

ପଖାଳ ପାଗ

ଲୋକଙ୍କ ରୁଚିକୁ ଦୃଷ୍ଟିରେ ରଖି ବିଭିିନ୍ନ ହୋଟେଲ୍‌ ପରଷି ଦେଉଛନ୍ତି ରକମ ରକମର ପଖାଳ। ଜିରା ପଖାଳ, ଦହି ପଖାଳ, ଚାଇଁ ପଖାଳ, ଆମ୍ବ କଷିଆ ଅଦା ପଖାଳ ଓ ଅରୁଆ ପଖାଳ। ପଖାଳ ପାଗ ପ୍ରସ୍ତୁତି ଦିନକ ଆଗରୁ ହୁଏ। ପୂର୍ବଦିନ ରାତିରେ ଭାତ ରାନ୍ଧି ପଖାଳି ଦେବା ପରେ ଏଥିରେ ଧନିଆ ପତ୍ର, ଅଦା, କଞ୍ଚାଲଙ୍କା, ଚାଟ୍‌ ମସଲା, ଦହି ଦେଇ ଭୃସଙ୍ଗ ପତ୍ର ଓ ସୋରିଷରେ ଛୁଙ୍କ ପ୍ରସ୍ତୁତ କରାଯାଏ ବୋଲି କହିଛନ୍ତ ଏକାମ୍ର ହାଟସ୍ଥିତ ହୋଟେଲ୍‌ ପେଟପୂଜାର ପ୍ରକାଶ ଚନ୍ଦ୍ର ବେହେରା। ମାଘ ମାସରୁ ରଜ ପର୍ଯ୍ୟନ୍ତ ପଖାଳର ଖୁବ୍‌ ଚାହିଦା ରୁହେ। ତାଙ୍କ ହୋଟେଲ୍‌ରେ ଚିଙ୍ଗୁଡ଼ି ଛେଚା, ଚୁନା ମାଛ ଓ ପୋହଳା ମାଛ ଲୋକେ ପସନ୍ଦ କରୁଥିବା ବେଳେ ପାଣିଆଖିଆ, ଇଲିସି ଓ ଖଅଙ୍ଗା ଶୁଖୁଆ ମଧ୍ୟ ପୂର୍ବ ବରାଦ ମୁତାବକ ଉପଲବ୍ଧ ହୁଏ ବୋଲି ଶ୍ରୀ ବେହେରା କହିଛନ୍ତି। ଦର ୭୦ରୁ ଆରମ୍ଭ ହୋଇ ୬୦୦ ପର୍ଯ୍ୟନ୍ତ ରହିଥିବା ବେଳେ ବଡ଼ବଡ଼ ହୋଟେଲ୍‌ରେ ଅତିରିକ୍ତ କର ବି ପଇଠ କରିବାକୁ ପଡ଼େ।

ପଞ୍ଚତାରକାରେ ଦେଶୀ ଛୁଙ୍କ

ଚାଳିଆ ହୋଟେଲ୍‌ରୁ ନେଇ ପଞ୍ଚ ତାରକା ହୋଟେଲ୍‌ରେ ଏବେ ପଖାଳ ହିଁ ମୁଖ୍ୟ ମେନୁ। ମେ ଫେୟାରର କନିକା ରେଷ୍ଟୁରାଣ୍ଟ ହେଉ ଅବା ସ୍ୱସ୍ତି ପ୍ରିମିୟମର ଚନ୍ଦନ ଇଣ୍ଡିଆନ ରେଷ୍ଟୁରାଣ୍ଟ୍‌। ପୁଣି ପଖାଳ ରେଷ୍ଟୁରାଣ୍ଟ୍‌ରୁ ନେଇ ଡାଲ୍‌ମା ଓ କି ଆମ ଓଡ଼ିଶା। ସବୁଠି ଏବେ ପଖାଳର ପ୍ରାଧାନ୍ୟ ରହିଛି। ମେ ଫେୟାରରେ ପଖାଳ, ଶାଗ, ବଡ଼ିଚୂରା, ଆମ୍ବ ଚଟଣି, ଚୂନା ମାଛ, ଚିଙ୍ଗୁଡ଼ି ଓ ରୋହୀ ଉପଲବ୍ଧ ହେଉଥିବା ବେଳେ ନିରାମିଷ ଦର ୫୯୫ +କର ଏବଂ ଆମିଷର ଦର ୬୯୫+କର ରହିଛି ବୋଲି ମଳୟ କୁମାର ପାଢ଼ୀ କହିଛନ୍ତି। ସ୍ୱସ୍ତି ପ୍ରିମିୟମରେ ଦହି ପଖାଳ ଆମିଷ ଦର ୬୦୦ ଟଙ୍କା ଏବଂ ନିରାମିଷ ଦର ୫୫୦ ରହିଛି ବୋଲି ଫୁଡ୍‌ ଆଣ୍ଡ୍‌ ବେଭ୍‌ରେଜ ମ୍ୟାନେଜର୍‌ ଏନ୍‌ସ୍‌ଲେ ଟିମ୍‌ସ କହିଛନ୍ତି।

ବଡ଼ିଚୂରାକୁ ଚିଙ୍ଗୁଡ଼ି ଛେଚା

ପଖାଳ ସାଙ୍ଗକୁ କ’ଣ ଖାଇବାକୁ ପସନ୍ଦ କରିବେ ବୋଲି ପଚାରିବାରେ ସମସ୍ତଙ୍କ ମୁହଁରେ ସାଧାରଣ ଉତ୍ତର ଥାଏ, ବଡ଼ିଚୂରା, ଶାଗ ଭଜା, ବାଇଗଣ ଓ ଆଳୁ ଭର୍ତା, କଖାରୁ ଫୁଲ ଭଜା, ଆମ୍ବ ଓ କଞ୍ଚାଲଙ୍କାରେ ପ୍ରସ୍ତୁତ ଚଟଣି । ଆମିଷ ପ୍ରିୟ ବ୍ୟକ୍ତିବିଶେଷ ଚୂନା ମାଛ, ପୋହଳା ମାଛ, ରୋହୀ ମାଛ, ମାଛ ଓ ଚିଙ୍ଗୁଡ଼ି ଛେଚା ସମେତ ମାଛ ପୋଡ଼ା ଖାଇବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି କ୍ରାଉନ୍‌ ହୋଟେଲ୍‌ର ଆଉଟ୍‌ଲେଟ୍‌ ମ୍ୟାନେଜର୍‌ ଅମରେଶ ସାସ୍‌ମଲ। କ୍ରାଉନ୍‌ରେ ପଖାଳର ଦର ନିରାମିଷ ୪୯୯ ଏବଂ ଆମିଷ ଦର ୫୯୯ ଟଙ୍କା ଥିବା ବେଳେ ଏଥିପାଇଁ ଗୋଟିଏ ଦିନ ପୂର୍ବରୁ ଅର୍ଡର ରଖାଯାଏ ବୋଲି ସେ କହିଛନ୍ତି।

କଂସାରେ ତୋରାଣି ମଜା

ଯଦିଓ ଉଷୁନା ଓ ଅରୁଆ ରୂପରେ ପଖାଳ ଉପଲବ୍ଧ ହୁଏ, ମାତ୍ର ଉଷୁନାର ଟିକେ ଚାହିଦା ଅଧିକ। ଭାତ ଛାଣି ଖାଇବା ପରେ ଉଷୁନା ତୋରାଣିର ସ୍ୱାଦ ଅରୁଆ ଦେଇପାରେ ନାହିଁ। ତେଣୁ ପଖାଳରେ ଲୋକେ ଉଷୁନା ପସନ୍ଦ କରନ୍ତି ବୋଲି ଏକ୍‌ଜିକ୍ୟୁଟିଭ୍‌ ସେଫ୍‌ ଏସ୍‌କେ ରିୟାଜ୍‌ କହିଛନ୍ତି। ସ୍ୱସ୍ତିରେ ମୁଖ୍ୟତଃ କଂସା ବେଲାରେ ପଖାଳ ପରସା ଯାଉଥିବା ବେଳେ କଂସାରେ ଦେଶୀ ଅନୁଭବ ପାଇ ହୁଏ। ଏଥିସହ ଲାଇଭ୍‌ ଗଜଲର ମଜା ବି ନେଇ ହୁଏ ବୋଲି ଏ ଟିମ୍‌ସ କହିଛନ୍ତି। ରାଜଧାନୀର ବହୁ ମନ୍ଦିର ହୋଟେଲ୍‌ ଚାଲିଥିବା ବେଳେ ସେଠାରେ ବି ମାଟି କୁଡ଼ୁଆରେ ପଖାଳର ମଜା ନେବାର ସୁଯୋଗ ମିଳୁଛି।

ସମ୍ବନ୍ଧିତ ଖବର