ଦୁର୍ଘଟଣାରେ ମୃତ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ

ବାଲିଅନ୍ତା : ଭୁବନେଶ୍ୱର-ବାଲିପାଟଣା ମୁଖ୍ୟ ରାସ୍ତାର ପୂରଣ ଛକ ନିକଟରେ ଗତ ମଙ୍ଗଳବାର ଦୁର୍ଘଟଣାରେ ଗୁରୁତର ଆହତ ଜଗନ୍ନାଥ ଭୋଇ (୪୫)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗତ ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ପରେ ଆଜି ତାଙ୍କ ଶବ ନିଜ ଗ୍ରାମ ବୋଧଖଣ୍ଡିରେ ପହଞ୍ଚିବା ପରେ ଗାଁରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ଶିଶିଲୋ ଛକରେ ଦିନ ପ୍ରାୟ ୧ଟା ବେଳେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା। ତେବେ ପରିସ୍ଥିତି ଅଣାୟତ୍ତ ହେଉଥିବା ଖବର ପାଇ ସଂଧ୍ୟା ପ୍ରାୟ ୫ଟା ବେଳକୁ ଜୋନ୍‌ ଏସିପି ଶୁଭେନ୍ଦୁ ସିହ୍ନାଙ୍କ ସମେତ ବାଲିଅନ୍ତା ଥାନା ଅଧିକାରୀ ସୁଜିତ୍‌ ଦାସ, ବାଲିପାଟଣା ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଭଞ୍ଜ ଓ ବାଳକାଟି ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ସାହୁ ପ୍ରମୁଖ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିେଲେ। କିନ୍ତୁ ଆନ୍ଦୋଳନକାରୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଖସି ପଳାଇଥିବା ଗାଡ଼ି ମାଲିକଙ୍କୁ ଗିରଫ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆନଯିବା ପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ ବୋଳି ରୋକ୍‌ଠୋକ୍‌ ମନା କରି ଦେଇଥିଲେ।

ପରେ ଅତିରିକ୍ତ ତହସିଲଦାର ସାରା ହେମ୍ବ୍ରମ୍‌ ସେଠାରେ ପହଞ୍ଚି ମୃତ ଜଗନ୍ନାଥଙ୍କ ପରିବାରକୁ ଜିଲ୍ଲା ରେଡକ୍ରସ୍‌ ଫାଣ୍ଠିରୁ ୧୦ ହଜାର ଓ ଆହତ ଶ୍ରୀଧର ବେହେରାଙ୍କ ପରିବାରକୁ ୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଜିଲ୍ଲୀ ସ୍ୱାଇଁ, ସମିତି ସଭ୍ୟ ଲକ୍ଷ୍ମୀଧର ନାୟକ, ବରିଷ୍ଠ ନେତା ବେଣୁଧର ଭୋଇ, ପୂର୍ବତନ ସରପଞ୍ଚ ମାନସ ରଂଜନ ନାୟକଙ୍କ ସହ ବିଜେପି ନେତା ଓ ଦଳିତ ସଂଗଠନର କର୍ମକର୍ତାମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ପୂରଣ ଛକ ନିକଟରେ ଜଗନ୍ନାଥ ଓ ତାଙ୍କର ଜଣେ ସହଯୋଗୀ ଶ୍ରୀଧରଙ୍କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଶ୍ରୀଧର ଚିକିତ୍ସାଧୀନ ଥିବା ବେଳେ ଗତକାଲି ରାତିରେ ଜଗନ୍ନାଥଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର