ଡଟ୍‌ ଫେଷ୍ଟ୍‌ର ଫୋକ୍‌ ସ୍କେପ୍‌, ଥଙ୍ଗ୍‌ ଟା ଚମକ

ଭୁବନେଶ୍ବର: ତିନି ଦିନ ଧରି ବଲିଉଡ୍‌ ନାଇଟ୍‌ରେ ଧୁମ୍‌ ନାଚିବା ପରେ ଆଜି ଲୋକନୃତ୍ୟରେ ଝୁମିବାର ଅବକାଶ ଆଣି ଦେଇଥିଲା ଡଟ୍‌ ଫେଷ୍ଟ୍‌। ଲୋକନୃତ୍ୟରେ ପରମ୍ପରା ଓ ସଂସ୍କୃତିର ଝଲକ ସାଙ୍ଗକୁ ସାମରିକ କଳାରେ ଆଖି ଖୋସି ଦେଇଥିଲେ ଶିଳ୍ପୀବୃନ୍ଦ। ଲୋକବାଦ୍ୟର ତାଳେ ତାଳେ ସାଂସ୍କୃତିକ ଏକତାକୁ ପ୍ରଦର୍ଶନ କରିଥିଲେ କଳାକାର। ଆସାମ, ପଂଜାବ, ମଣିପୁର ଓ ଜମ୍ମୁ କଶ୍ମୀରର ୮ଜଣ କଳାକାରଙ୍କ ସମବେତ ନୃତ୍ୟ ବେଶ୍‌ ରୋଚକ ଅନୁଭବ ଦେଇଥିଲା। ସୋହିନୀ ମିଶ୍ରଙ୍କ ସଂଗୀତରୁ ଆରମ୍ଭ ହୋଇଥିଲା ଆଜିର ଡଟ୍‌ ଫେଷ୍ଟ୍‌ ସନ୍ଧ୍ୟା। କାଞ୍ଚିରେ କାଞ୍ଚିରେ.., ତୁ ନୂଆ ସାୟରୀ ନା ନୂଆ କବିତା.., ଜିୟା ଜିୟା ଜିୟାରେ.. ଏବଂ ତେରେ ଲିଏ ହି ତୋ ସିଗ୍‌ନାଲ୍‌ ତୋଡ୍‌ ତୋଡ୍‌କେ..ଭଳି ଗୀତ ଗାଇ ଶୀତୁଆ ସଂଜରେ ଉଷ୍ମତା ଭରିଥିଲେ। ପରେ ଆରମ୍ଭ ହୋଇଥିଲା ଲୋକନୃତ୍ୟ। ଜମ୍ମୁ କଶ୍ମୀରର ରୋଫ୍‌ ନୃତ୍ୟ ସାଙ୍ଗକୁ, ଆସାମର ବିହୁ, ପଂଜାବର ଭାଙ୍ଗ୍‌ଡ଼ା ନୃତ୍ୟ ସାଙ୍ଗକୁ ମଣିପୁରର ଥଙ୍ଗ୍‌ଟା ସାମରିକ ନୃତ୍ୟ ମନ କିଣି ନେଇଥିଲା। ବିଶେଷକରି ଖଣ୍ଡା ଓ ବର୍ଛାରେ ଉଭୟ ଯୁବକ ଯୁବତୀଙ୍କ ଲଢ଼େଇ ଚମକ ଭରିଥିଲା। ଏଥିସହ ନିଆଁ ଖେଳ ସାଙ୍ଗକୁ ସାମରିକ କଳାରେ ଦର୍ଶକଙ୍କୁ ବିଭୋର କରିଥିଲେ କଳାକାରବୃନ୍ଦ। ସୁଲଗ୍ନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର