ଏବେ ଚେତିଲେ, ‘ରାମ୍‌କି’କୁ ଜରିମାନା

ଅଳିଆ ନ ଉଠାଇବା ମହଙ୍ଗା ପଡ଼ିଲା

ଚନ୍ଦ୍ରଶେଖରପୁର: ସଫେଇ ସଂସ୍ଥା ‘ରାମ୍‌କି’ ନିୟମିତ ଭାବେ କାମରେ ଖିଲାପ କରୁଛି। ଏହା ସମସ୍ତେ ଜାଣିଥିଲେ। କର୍ପୋରେଟର୍‌ଙ୍କଠାରୁ ଆରମ୍ଭ କରି କମିସନର୍‌, ମେୟରଙ୍କ ପର୍ଯ୍ୟନ୍ତ। କିନ୍ତୁ କିଛି ଅଦୃଶ୍ୟ ଚାପ ଯେପରି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିଲା। ରାମ୍‌କିର ମନମାନିରେ ଚନ୍ଦ୍ରଶେଖରପୁର, ପଟିଆ ଅଞ୍ଚଳ ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଲା ପରେ ଓ ଗଣମାଧ୍ୟମରେ ତାହା ପଦାକୁ ଆସିଲା ପରେ କତ୍ତୃର୍ପକ୍ଷ ଚେତିଛନ୍ତି। ଆଜି ରାମ୍‌କିକୁ ନୋଟିସ୍ କରି ଜରିମାନା କରିଛନ୍ତି। ‌ଦିନ ଦିନ ଧରି ଆବର୍ଜନା ଉଠୁ ନ ଥିଲା ବେଳେ କର୍ପୋରେଟର୍‌ମାନେ ପାଟି ନ ଫିଟାଇବା ଆହୁରି ରହସ୍ୟଜନକ ହୋଇପଡ଼ିଛି।

ବର୍ଷ ବର୍ଷ ଧରି ରାମ୍‌କି ଚଳାଇଛି ମନମାନି
କର୍ପୋରେଟର୍‌ମାନଙ୍କ ରହସ୍ୟଜନକ ନିରବତା

ଆଜି ନଗର ସ୍ବାସ୍ଥ୍ୟ ଅଧିକାରୀ ରାମ୍‌କି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଲିଖିତ ନୋଟିସ୍ ଦେଇଛନ୍ତି। ୨ ନମ୍ବର ୱାର୍ଡରେ ୪ ଦିନ ହେଲା ଆବଜର୍ନା ଉଠୁ ନ ଥିବାରୁ ସେହି ୱାର୍ଡ ପାଇଁ ‘ରାମ୍‌କି’ର ୪ ଦିନର ସମ୍ପୂର୍ଣ୍ଣ ଅର୍ଥ କାଟି ଦିଆଯାଇଛି। ଆଉ ୩ଟି ୱାର୍ଡ ୧, ୧୩ ଓ ୧୪ ଲାଗି ୩୦ ପ୍ରତିଶତ ଅର୍ଥ କଟାଯାଇଛି। ‘ରାମ୍‌କି’ର ଦେୟରୁ ପାଖାପାଖି ୨୦ ଲକ୍ଷ ଟଙ୍କା କାଟିଦିଆଯିବ ବୋଲି ଜଣାପଡ଼ିଛି। ଯେତେ ଶୀଘ୍ର ସମ୍ଭବ ୱାର୍ଡଗୁଡ଼ିକରେ ପଡ଼ି ରହିଥିବା ଅଳିଆ ଉଠାଇବାକୁୁ ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ‘ରାମକି’ ଦାୟିତ୍ବରେ ଥିବା ବିଭିନ୍ନ ୱାର୍ଡରୁ ଅଳିଆ ଉଠୁ ନ ଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା‌ ପରେ ବିଏମ୍‌ସିର ଉତ୍ତର ଜୋନାଲ୍‌ ଡେପୁଟି କମିିସନର(ଜେଡ୍‌ଡିସି) ଆଜି ସହରର ବିଭିନ୍ନ ୱାର୍ଡ ବୁଲିଥିଲେ। ସକାଳୁ ଯାଞ୍ଚ କରିବା ବେଳେ ସ୍ବଚ୍ଛତାର ପ୍ରକୃତ ଚିିତ୍ର ଦେଖିବାକୁ ପାଇଥିଲେ। କେଉଁଠି ଅଳିଆର ପାହାଡ଼ ହୋଇଥିଲା ତ ଆଉ କେଉଁଠି ରାସ୍ତା ଉପରେ ପଚାସଢ଼ା ପାଣି ‌େଢଉ ଖେଳୁଥିଲା। ଦୁଇ ନମ୍ବର ୱାର୍ଡରେ ସ୍ଥିତି ଅଧିକ ସଙ୍ଗିନ ହୋଇ ପଡ଼ିଥିଲା। ‌ଯୁଆଡେ ଚାହିଁଲେ ଖାଲି ଅଳିଆ। ୪ ଦିନ ହେଲା ଝାଡ଼ୁ ମରାଯାଇ ନ ଥିବା ଲୋକେ ଅଭିଯୋଗ କରିଥିଲେ। ଡଷ୍ଟବିନ୍‌ ଭାଙ୍ଗି ପଡ଼ିଥିଲେ ମଧ୍ୟ ତାହାର ମରାମତି ହୋଇନି। ଡଷ୍ଟବିନ୍‌ ବାହାରେ ଅଳିଆ ଜମା ହୋଇଛି। ସମ୍ପୂର୍ଣ୍ଣ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ଏଭଳି ସ୍ଥିତି ଦେଖିବା ପରେ ଏକ ନମ୍ବର ୱାର୍ଡରେ ପହଞ୍ଚିଥିଲେ। ସେଠାରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା। ୧୩ ଓ ୧୪ ନମ୍ବର ୱାର୍ଡ ସ୍ଥିତି ବି ସମାନ। ଉକ୍ତ ୩ ୱାର୍ଡରେ ତିନି ଦିନ ହେଲା ଅଳିଆ ଉଠି ନଥିବା ଦେଖିବାକୁ ମିଳିଥିଲା।

ଚନ୍ଦ୍ରଶେଖରପୁର ଅଞ୍ଚଳର କିଛି ୱାର୍ଡରେ ସଫେଇ ଦାୟିତ୍ବ ‘ରାମ୍‌କି’ ନେବା ପରଠାରୁ କାମରେ ଅବହେଳା ହେଉଥିବା ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଛି। ଏପରିକି କାଉନ୍‌ସିଲ୍ ବୈଠକରେ ମଧ୍ୟ କଥା ଉଠିଛି। କିନ୍ତୁ କେବଳ ଚେତାବନୀ ଦେଇ ‘ରାମ୍‌କି’କୁ ଛାଡ଼ି ଦିଆଯାଇଛି। ତା’ପରେ ବି ସ୍ଥିତିରେ କୌଣସି ସୁଧାର ଆସି ନାହିଁ। ସ୍ଥିତି ଯେମିତିକୁ ସେମିତି ରହିବାରୁ ଶେଷରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜେଡ୍‌ଡିସିଙ୍କ ପକ୍ଷରୁ ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସୁପାରିସ୍ କରାଯାଇଥିଲା। ସେହି ରିପୋର୍ଟ ଆଧାରରେ ଏବେ କାର୍ଯ୍ୟାନୁଷ୍ଠାନ ହୋଇଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ‘ରାମକି’ ସ୍ବଚ୍ଛତା ପ୍ରତି ଆଦୌ ଧ୍ୟାନ ଦେଉନି। ଗୋଟିଏ ୱାର୍ଡରେ ଅତି କମ୍‌ରେ ୬୦% ସ୍ବଚ୍ଛତା କରିବା କଥା। କିନ୍ତୁ ‘ରାମ୍‌କି’ ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ବାରମ୍ବାର ଅଭିଯୋଗ ଆସୁଛି। ଗତ ୧୫ ଦିନ ମଧ୍ୟରେ ବିଭିନ୍ନ ୱାର୍ଡରୁ ୨୦ରୁ ଅଧିକ ଅଭିଯୋଗ ଆସିଛି। ଏହାପରେ ତାଗିଦ୍‌ କରାଯାଇଛି। ହେଲେ ସମ୍ପୃକ୍ତ କମ୍ପାନି ହେୟଜ୍ଞାନ କରୁଛି। ଗତ ୪ ଦିନ ହେଲା ଦୁଇ ନମ୍ବର ୱାର୍ଡରୁ ଗୋଟିଏ ଟ୍ରାକ୍ଟର ଅଳିଆ ବି ଉଠାଯାଇ ନ ଥିବା ଲୋକେ ଅଭି‌େଯାଗ କରିଥିଲେ। ଯାଞ୍ଚ ସମୟରେ ବି ଜେଡ୍‌ଡିସି ଦେଖିବାକୁ ପାଇଥିଲେ। ତାହାକୁ ଆଧାର କରି କାର୍ଯ୍ୟାନୁୁଷ୍ଠାନ ହୋଇଛି। ନଗର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରାମ ଚନ୍ଦ୍ର ରାଉତ କହିଛନ୍ତି ଯେ ଜେଡ୍‌ଡିସି(ଉତ୍ତର)ଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଯେତେଶୀଘ୍ର ସମ୍ଭବ ଅଳିଆ ଉଠାଇବାକୁ ନିର୍ଦେଶ ଦିଆଯାଇଛି। ପୂର୍ବରୁ ମଧ୍ୟ ଏକାଧିକ ଥର କାର୍ଯ୍ୟାନୁଷ୍ଠାନ ହୋଇଛି। ତେବେ ରାମ୍‌କି କାମରେ ବାରମ୍ବାର ଚରମ ଅବହେଳା ପ୍ରଦର୍ଶନ କରୁଥିଲେ ବି ବିଏମ୍‌ସି କତ୍ତୃର୍ପକ୍ଷଙ୍କ ନରମ ମନୋଭାବ ସଚେତନ ନାଗରିକମାନଙ୍କୁ ବ୍ୟଥିତ କରୁଛି। ଏପରିକି ବିଏମ୍‌ସିର ନିର୍ଦ୍ଦେଶ ଓ ଚେତାବନୀକୁ ରାମ୍‌କି ଖାତିର କରୁନି। ତଥାପି ବିଏମ୍‌ସି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛି। କର୍ପୋରେଟର୍‌ମାନଙ୍କ ଭୂମିକା ଆହୁରି ରହସ୍ୟଜନକ। ସଫେଇ ପରି ମୌଳିକ କାର୍ଯ୍ୟ ଠିକ୍ ଭାବେ ହେଉ ନ ଥିଲେ ବି କର୍ପୋରେଟର୍‌ମାନଙ୍କ ପକ୍ଷରୁ ଯେପରି ପ୍ରତିବାଦ ହେବା କଥା ତାହା ହେଉ ନାହିଁ। ରାମ୍‌କି ପ୍ରତି ସେମାନଙ୍କର ଦରଦ କ’ଣ ପାଇଁ ତାହା ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି।

ବିଏମ୍‌ସି ୧୩ ନମ୍ବର ୱାର୍ଡର କର୍ପୋରେଟର୍‌ ସୌଭାଗ୍ୟ ବାରିକ୍‌ କହିଛନ୍ତି, ଏ ନେଇ ପୂର୍ବରୁ ବି ଅଭିଯୋଗ ହୋଇଥିଲା। ଗାଡ଼ି ଚାଳକ ଆନ୍ଦୋଳନ କରୁଥିବା କହି ମଝିରେ ଅଳିଆ ଉଠୁ ନ ଥିଲା। ୱାର୍ଡରୁ ୩ଟି ଡଷ୍ଟବିନ୍‌ ମରାମତି ପାଇଁ ଯାଇଛି ଯେ ଏପର୍ଯ୍ୟନ୍ତ ଫେରିନି। ଟ୍ରାକ୍ଟର୍‌ ଆସୁ ନଥିବାରୁ ସମସ୍ୟା ହେଉଛି। ଅନେକ ସମୟରେ ଆମେ ଝାଡ଼ୁଦାରଙ୍କୁ ନେଇ ଅଳିଆ ସଫା କରୁଛୁ। ୧ ନମ୍ବର ୱାର୍ଡ କର୍ପୋରେଟର୍‌ ମମତା ରାଉତ କହିଛନ୍ତି ଯେ ଲୋ‌େକ ଅଭିଯୋଗ କରିବା ପରେ ଜୋନାଲ୍‌ ‌ଡେପୁଟି କମିସନର୍‌ ଆଜିି ୱାର୍ଡ ପରିକ୍ରମା କରି ଯାଞ୍ଚ କରିଛନ୍ତି। ଲୋକଙ୍କ ସମସ୍ୟା ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଥିଲା।

ସମ୍ବନ୍ଧିତ ଖବର