ବୁଲା କୁକୁରକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଭୁବନେଶ୍ବର: କେବେ କେମିତି ଅଗ୍ନିଶମ ବାହିନୀ କୌଣସି ଦୁର୍ଘଟଣାସ୍ଥଳରେ ପହଞ୍ଚିବା ଟିକେ ବିଳମ୍ବ ହୋଇଗଲେ ଅନେକ ତାଙ୍କ ଉପରେ ମନଇଚ୍ଛା ବର୍ଷିଯାଆନ୍ତି। ମାତ୍ର ଜୀବନ ଯାହାର ବି ହୋଇଥାଉ, ତାକୁ ଉଦ୍ଧାର କରିବା ପାଇଁ ଯେ ସେମାନେ ପହଞ୍ଚି ଯାଆନ୍ତି, ତାହା ଆଜି ଏକ ଘଟଣାରୁ ଦେଖିବାକୁ ମିଳିଛି। ଘଟଣାଟି ଏମିତି। ବରମୁଣ୍ଡା ଜଗନ୍ନାଥ ବିହାର ପ୍ଲଟ୍‌ ନଂ ୮୬ରେ ଗତକାଲି ରାତିରେ ଏକ ବୁଲା (ପିଲା)କୁକୁରଟିଏ ପଶିଯାଇଥିଲା। ବାହାରକୁ ବାହାରିବା ବେଳେ ଯେବେ ଗେଟ୍‌ରେ ଲଗାଯାଇଥିବା ତାର ଜାଲି ବାଟେ ମୁଣ୍ଡ ପୂରାଇ ବାହାରିବାକୁ ଚେଷ୍ଟା କରୁଥିଲା, ସେଇ ଜାଲିରେ ତା ମୁଣ୍ଡ ଫସିଯାଇଥିଲା। ଆଜି ସକାଳେ ସେଇ ଘର ମାଲିକ ଲିଙ୍ଗରାଜ ହାତୀ କୁକୁରଟିର ଏପରି ଅବସ୍ଥା ଦେଖି ସ୍ନେକ୍‌ ହେଲପ୍‌ ଲାଇନ୍‌ର ଶୁଭନ୍ଦେୁ ମଲ୍ଲିକଙ୍କୁ ଫୋନ୍‌ କରିଥିଲେ। ଶୁଭେନ୍ଦୁ ଘଟଣାସ୍ଥଳରେ ପହଞ୍ଚି କିଛି ସ୍ଥାନୀୟ ବ୍ୟକ୍ତିଙ୍କ ସହଯୋଗରେ କୁକୁରକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସଫଳ ହୋଇ ନଥିଲେ। ତେବେ କୁକୁରକୁ କିଛି ବିସ୍କୁଟ୍‌ ଖୁଆଇବା ସହ ପାଣି ପିଆଇଥିଲେ। ଅଗ୍ନିଶମ ବାହିନୀକୁ ଫୋନ୍‌ କରି ଜଣାଇଥିଲେ। ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିବା ପରେ ମାତ୍ର ୪ ମିନିଟ୍‌ ମଧ୍ୟରେ କୁକୁରକୁ ଉଦ୍ଧାର କରିଥିଲେ।

ଏପରି ଘଟଣା ପରେ ଅଗ୍ନିଶମ ବାହିନୀ ବୁଲା କୁକୁର ସମ୍ବନ୍ଧରେ ଶୁଣି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି କୁକୁରକୁ ଉଦ୍ଧାର କରିବା ପରେ ଅନେକ ଅଗ୍ନିଶମ ବାହିନୀକୁ ସାଧୁବାଦ ଜଣାଇଥିଲେ। ଏନେଇ ଶ୍ରୀ ମଲ୍ଲିକ କୁହନ୍ତି, ବୁଲା କୁକୁରଟିଏ ଅସୁବିଧାରେ ପଡ଼ିଥିବା ଦେଖିଲେ ଅନେକ ମୁହଁ ମୋଡ଼ି ଚାଲିଯାଆନ୍ତି। ମାତ୍ର ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ସେଇ ଜୀବଜନ୍ତୁଙ୍କୁ ଭଲ ପାଆନ୍ତି ଏବଂ ତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରନ୍ତି। ଏହାକୁ ଗୁରୁତ୍ବର ସହ ନେଇ ଘଟଣାସ୍ଥଳରେ ପହଞ୍ଚି କୁକୁରକୁ ଉଦ୍ଧାର କରିଥିବାରୁ ଅଗ୍ନିଶମ ବାହିନୀ ମଧ୍ୟ ଧନ୍ୟବାଦର ପାତ୍ର।

ସମ୍ବନ୍ଧିତ ଖବର