ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ

ବ୍ୟାଟେରି ରୁମ୍‌ରେ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଛି: ଅଗ୍ନିଶମ ବିଭାଗ, ୨୬ରୋଗୀଙ୍କୁ ଅନ୍ୟ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର

କ୍ଷଣିକରେ ବ୍ୟାପିଗଲା ରସାୟନିକ ଗ୍ୟାସ୍‌ ଓ ଧୂଆଁ
ଆଜି ରାଜଧାନୀରେ ଦୁଇ ଦୁଇଟି ଅଗ୍ନିକାଣ୍ଡ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରି ଦେଇଛି। ସକାଳେ ଆପୋଲୋ ହସ୍ପିଟାଲ, ଆଉ ସଞ୍ଜରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦ୍ଦେଶାଳୟରେ ନିଆଁ ଲାଗିଲା। ଦୁଇଟି ଯାକ ଅଗ୍ନିକାଣ୍ଡ ସର୍ଟ ସର୍କିଟ୍ ଯୋଗୁଁ ଘଟିଥିବା ପ୍ରାଥମିକ ତଦନ୍ତ ପରେ କୁହାଯାଉଛି। ଅଗ୍ନିକାଣ୍ଡ ଯେତିକି ଚିନ୍ତାଜନକ ନୁହେଁ ଏହାର ତୁରନ୍ତ ମୁକାବିଲା କରି ନପାରିବା ତା’ଠାରୁ ଅଧିକ ଚିନ୍ତାଜନକ ହୋଇଛି। ଅଗ୍ନିଶମ ବିଭାଗ ଅଗ୍ନି ନିର୍ବାପକ ସରଞ୍ଜାମ ଲଗାଇବା ନେଇ କଡ଼ାକଡ଼ି ନିୟମ କରିବାରେ ବିଫଳ ହେବାରୁ ଆଜି ନିଆଁ ଉପରେ ତୁରନ୍ତ ନିୟନ୍ତ୍ରଣ ଆଣିହେଲାନି। ସଂଯୋଗବଶତଃ ଏହି ଦୁଇଟି ଯାକ ଅନୁଷ୍ଠାନ ସ୍ବାସ୍ଥ୍ୟ ବିଭାଗ ସହ ସଂପୃକ୍ତ।

ପୁରୁଣା ଭୁଲ୍‌ରୁ ଚେତିଲେନି
ଅକ୍ଟୋବର, ୨୦୧୬ରେ ସମ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଲା। ଏଥିରେ ୨୩ଜଣ ମୃତ୍ୟୁବରଣ କଲେ। ହସ୍ପିଟାଲର ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍ ନଥିବାରୁ ନିଆଁକୁ ହଠାତ୍ ନିୟନ୍ତ୍ରଣ କରିହେଲାନି। ଏହାପରେ ଏସ୍‌ସିବି ମେଡିକାଲ, ଶିଶୁ ଭବନରେ ନିଆଁ ଲାଗିଲା। କେବଳ ଏତିକି ନୁହେଁ ପାଲ୍‌ ହାଇଟ୍‌ସ ମାଲିକ ସତ୍ୟପାଲ ସିଂହଙ୍କ ଘରେ ନିଆଁ ଲାଗି ତାଙ୍କ ସାନପୁଅଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହେଲା। ଏହାପରେ ରାଜଧାନୀରେ ୧୦ରୁ ଅଧିକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଲାଣି। କିନ୍ତୁ ଉଚ୍ଚ ଅଟ୍ଟାଳିକା, ସରକାରୀ ଓ ବେସରକାରୀ ହସ୍ପିଟାଲ, ସପିଂ ମଲ୍‌ରେ ଆବଶ୍ୟକୀୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା କିପରି ରହିବ ସେନେଇ ଅଗ୍ନିଶମ ବିଭାଗ ପଦକ୍ଷେପ ନେଇପାରୁନି। ଯେଉଁଥିପାଇଁ ଗୋଟିକ ପରେ ଗୋଟିଏ ଭୟାବହ ଅଗ୍ନିକାଣ୍ଡ ଘଟୁଛି। ଗତ ଦୁଇ ଦିନ ମଧ୍ୟରେ ଭୁବନେଶ୍ବର ରେଳ ଷ୍ଟେସନର ପ୍ରତୀକ୍ଷାଗୃହ, ଆପେ‌ାଲୋ ହସ୍ପିଟାଲ ଏବଂ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦେଶାଳୟରେ ନିଆଁ ଲାଗିବା ଏବଂ ଏହାକୁ ଅଗ୍ନିଶମ ବିଭାଗ ଅଧିକାରୀ ଯାଇ ନିୟନ୍ତ୍ରଣକୁ ଆଣିବା ପୂରା ବ୍ୟବସ୍ଥା କିପରି ଅଛି ତାହାକୁ ଦର୍ଶାଉଛି।

ଭୁବନେଶ୍ବର: ବ୍ୟାଟେରି ରୁମ୍‌ରେ ସର୍ଟ ସର୍କିଟ୍ ଯୋଗୁଁ ଆଜି ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ମୃତାହତ ହୋଇ ନଥିଲେ ହେଁ ୨୬ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବାହ୍ନ ପ୍ରାୟ ୧୦ଟା ୪୧ମିନିଟ ସମୟରେ ଆପୋଲୋ ହସ୍ପିଟାଲର ୫ମ ମହଲାରେ ଥିବା ବ୍ୟାଟେରି ରୁମ୍‌ରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ଯାଇଥିଲା। କ୍ଷଣିକ ମଧ୍ୟରେ ହସ୍ପିଟାଲ ଧୂଆଁମୟ ହୋଇଯାଇଥିଲା। ରସାୟନିକ ଗ୍ୟାସ ବି ଖେଳି ଯାଇଥିଲା। ଧୂଆଁ ବାହାରିବାକୁ ବାଟ ନଥିବାରୁ ପୂରା ହସ୍ପିଟାଲ ରସାୟନିକ ଗ୍ୟାସ୍‌ର ଗନ୍ଧ ଓ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ହସ୍ପିଟାଲରେ ଥିବା ଶତାଧିକ ରୋଗୀ ଓ ସମ୍ପର୍କୀୟ ଜୀବନ ବିକଳରେ ଦଉଡ଼ିଥିଲେ। ଏପରିକି ହସ୍ପିଟାଲର ଡାକ୍ତର, ନର୍ସ, କର୍ମଚାରୀ ଓ ସିକ୍ୟୁରିଟିମାନେ ବି ଜୀବନ ବିକଳରେ ବାହାରକୁ ଦଉଡ଼ି ପଳାଇ ଆସିଥିଲେ। ଧୂଆଁ ସମସ୍ତଙ୍କୁ ଅଣନିଃଶ୍ବାସୀ କରିବା ପୂର୍ବରୁ ହସ୍ପିଟାଲ କର୍ତ୍ତୃପକ୍ଷ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁ ଓ ଧୂଆଁକୁ ଆୟତ୍ତ କରିନେଇଥିଲେ। ଫଳରେ ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଥିଲା। ହସ୍ପିଟାଲରେ ନିଆଁ ଲାଗିବା ପରେ ସମସ୍ତ ରୋଗୀଙ୍କୁ ହସ୍ପିଟାଲ ବାହାରକୁ ଅଣାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଆଇସିୟୁରେ ଥିବା‌ ରୋଗୀ ଏବଂ ଗୁରୁତର ଥିବା ୧୫ଜଣଙ୍କୁ କଳିଙ୍ଗ, ଆମ୍ରି, କେୟାର ଓ ସ୍ପର୍ଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୧ଜଣଙ୍କୁ ଏହି ସବୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ହେଲେ ସ୍ଥିତି ନିୟନ୍ତ୍ରଣକୁ ଆଣି ରୋଗୀଙ୍କୁ ସେମାନଙ୍କ ୱାର୍ଡରେ ପୁଣି ଆଡମିଟ୍‌ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରାୟ ୩ରୁ ୪ଘଣ୍ଟା ସମୟ ନେବାରୁ େରାଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ହସ୍ପିଟାଲର ୫ମ ମହଲାରେ ଥିବା ବ୍ୟାଟେରି ରୁମ୍‌ରେ ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଏଠାରେ ପ୍ରାୟ ୪୦ଟି ୧୨ ଭୋଲ୍‌ଟର ବ୍ୟାଟେରି ଥିଲେ ହେଁ ନିଆଁ ୧୦ଟି ବ୍ୟାଟେରିକୁ ପୋଡ଼ି ଦେଇଥିଲା। ବ୍ୟାଟେରିର ବାହାର ପାର୍ଶ୍ବରୁ ନିଆଁ ଲାଗିଥିବାରୁ ଏହା ବିସ୍ଫୋରଣ ହେବା ପୂର୍ବରୁ ଏଥିରୁ ରସାୟିନକ ଗ୍ୟାସ୍ ବାହାରି ଚାରିଆଡ଼େ ଖେଳି ଯାଇଥିଲା। ଏପରିକି ବିଦ୍ୟୁତ ତାର ପୋଡ଼ି ଯାଇଥିବାରୁ ଧୂଆଁ ଅଧିକ ହୋଇଥିଲା। ପ୍ରାୟ ଦେଢ଼ଘଣ୍ଟାର ଉଦ୍ୟମ ପ‌େର ଧୂଆଁ ଓ ନିଆଁ ନିୟନ୍ତ୍ରଣକୁ ଆସିଥିଲା। ନିଆଁ ଯୋଗୁଁ କୌଣସି ରୋଗୀ ଆହତ ହୋଇନାହାନ୍ତି। କିନ୍ତୁ ଆମେ ପହଞ୍ଚିବା ପୂର୍ବରୁ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ସ୍ଥାନାନ୍ତର କରିଦେଇଥିବାରୁ ରସାୟନିକ ଗ୍ୟାସ୍ ଓ ଧୂଆଁ ଦ୍ବାରା କେହି ପ୍ରଭାବିତ ହୋଇଛନ୍ତି କି ନାହିଁ ଜଣାପଡ଼ିନି। ବ୍ୟାଟେରି ରୁମ୍‌ ନିକଟରେ ନ୍ୟୁରୋଲୋଜି ଓ ‌ନେଫ୍ରୋଲୋଜି ଓପିଡି ଥିବାବେଳେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ବି ଥିଲା। ତେଣୁ ଏହି ରୋଗୀମାନେ ପ୍ରଥମ ଧୂଆଁ ସଂସ୍ପର୍ଶରେ ଆସିଥିଲେ। ସେହିପରି ଠିକ୍ ସମୟରେ ସମସ୍ତ ରୋଗୀଙ୍କୁ ହସ୍ପିଟାଲ ବାହାରକୁ ସ୍ଥାନାନ୍ତର କରାଯାଇଥିବାରୁ କୌଣସି କ୍ଷୟକ୍ଷତି ହୋଇନି। କେନ୍ଦ୍ରାଞ୍ଚଳ ଅଗ୍ନିଶମ ଅଧିକାରୀ ଭାବଗ୍ରାହୀ ଘଡ଼େଇଙ୍କ ସୂଚନା ଅନୁଯାୟୀ କଳ୍ପନା, ଚନ୍ଦ୍ରଶେଖରପୁର, ବରମୁଣ୍ଡା ଫାୟାର ଷ୍ଟେସନରୁ ୩ଟି ଦମକଳ ଗାଡ଼ି, ଏକ ପ୍ଲାଟୁନ୍‌ ଷ୍ଟ୍ରାଇକିଂ ଫୋର୍ସ ଆସି ନିଆଁ ଲିଭାଇଥିଲେ। ଆମେ ପହଞ୍ଚିବା ପୂର୍ବରୁ ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ନିଆଁକୁ ଆୟତ୍ତ କରି ଦେଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବ୍ୟାଟେରି ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିଲା। ହେଲେ ହସ୍ପିଟାଲରେ ସମସ୍ତ ଅଗ୍ନି ନିର୍ବାପକ ବ୍ୟବସ୍ଥା‌ ଥିବା ସତ୍ତ୍ବେ କାହିଁକି ଧୂଆଁ ଅଧିକ ବ୍ୟାପିଲା ସେନେଇ ତଦନ୍ତ ହେବ। ବ୍ୟାଟେରିରୁ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ହସ୍ପିଟାଲ୍‌ କର୍ତୃପକ୍ଷ ଓ ଅଗ୍ନିଶମ ବିଭାଗର ଅଧିକାରୀମାନେ ପ୍ରାଥମିକ ତଦନ୍ତ ପରେ କହୁଥିଲେ ହେଁ ଏହି ଅଗ୍ନିକାଣ୍ଡ ପଛରେ ଆଉ କିଛି କାରଣ ଅଛି କି? ହସ୍ପିଟାଲର ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍ ଥିଲା କି ନାହିଁ, ରୋଗୀଙ୍କୁ ଠିକ୍ ଭାବେ ସ୍ଥାନାନ୍ତରିତ କରାଯାଇଛି କି ନାହିଁ, ହାଉସ୍ କିପିଂ ବ୍ୟବସ୍ଥା କିପରି ଥିଲା ସେନେଇ ତଦନ୍ତ କରି ରିପୋର୍ଟ ଦେବାକୁ କେନ୍ଦ୍ରାଞ୍ଚଳ ଅଗ୍ନିଶମ ଅଧିକାରୀ ଭାବଗ୍ରାହୀ ଘଡ଼େଇଙ୍କୁ ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ଆଜି ପୁଲିସ କମିସନର ସତ୍ୟଜିତ ମହାନ୍ତି, ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଡିସିପି ଅନୁପ ସାହୁ,‌ ସହିଦ ନଗର ଥାନା ଆଇଆଇସି ପଦ୍ମନାଭ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଅଗ୍ନିକାଣ୍ଡ ପରେ ଆପୋଲୋ ହସ୍ପିଟାଲର ଆଞ୍ଚଳିକ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧିର ଏମ୍‌ ଡିଗିକାର କହିଛନ୍ତି ଯେ, ହସ୍ପିଟାଲର ୫ମ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ହସ୍ପିଟାଲର କର୍ମଚାରୀମାନେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ସମସ୍ତ ଉଦ୍ୟମ କରିଥିଲେ। ଅଗ୍ନିଶମ ବିଭାଗ ଅଧିକାରୀମାନେ ବହୁତ କମ୍‌ ସମୟ ମଧ୍ୟରେ ପହଞ୍ଚି ନିଆଁକୁ ସଂପୂର୍ଣ୍ଣ ଲିଭାଇଥିଲେ। ୨୬ଜଣ ଗୁରୁତର ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ସମସ୍ତ ରୋଗୀଙ୍କୁ ସେମାନଙ୍କ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି।

କେମିତି ଥିଲା ସେଇ ମୁହୂର୍ତ୍ତ
ପରିଚାଳନା ଫେଲ୍‌ ମାରିଲା
ହୃଦରୋଗ ଯୋଗୁଁ ମୋ ଶାଶୂଙ୍କୁ ଶୁକ୍ରବାର ଜରୁରୀକାଳୀନ ୱାର୍ଡରେ ଆଡମିଟ୍‌ କରାଯାଇଥିଲା। ଆଜି ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥା’ନ୍ତା। ସକାଳୁ ଖବର ପାଇଲୁ ଯେ ହସ୍ପିଟାଲ୍‌ରେ ନିଆଁ ଲାଗିଛି। ଘରୁ ଆସିବା ବେଳକୁ ଶାଶୂଙ୍କୁ ବାହାରକୁ ବାହାର କରିଦେଇଥିଲେ। କେଉଁ ଡାକ୍ତର ତାଙ୍କ ଚିକିତ୍ସା କରୁଥିଲେ କିଏ ବାହାରକୁ ଆଣିଲା କିଛି ଜାଣିପାରି ନଥିଲୁ। ବାଧ୍ୟ ହୋଇ ଆମେ ତାଙ୍କୁ ଅନ୍ୟ ଏକ ହସ୍ପିଟାଲ୍‌ ନେଇଥିଲୁ। ଦୁଃଖର ବିଷୟ ହସ୍ପିଟାଲ୍‌ ନିଆଁ ଆୟତ୍ତ ହୋଇଥିଲା ସତ ହେଲେ ପରିଚଳାନା ଫେଲ୍‌ ମାରିଥିଲା। ଏମିତିକି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସେଭଳି କୌଣସି ପଦକ୍ଷେପ ନିଆଯାଇ ନଥିଲା।
ସତୀଶ୍ ମିଶ୍ର,ରୋଗୀଙ୍କ ସମ୍ପର୍କୀୟ
ଭୟରେ ତଳକୁ ଚାଲିଆସିଲୁ
ଶ୍ବଶୁରଙ୍କ ଚିକିତ୍ସା ପାଇଁ ୧୦ଟା ବେଳ ଆସି ହସ୍ପିଟାଲ୍‌ରେ ପହଞ୍ଚିଲୁ। ସ୍ନାୟୁ ବିଭାଗରେ ଶ୍ବଶୁରଙ୍କୁ ଦେଖାଇବା ପାଇଁ ୧୦ଟା ୧୫ ସମୟରେ ଟିକେଟ୍‌ କରି ଡାକ୍ତରଙ୍କୁ ଅପେକ୍ଷା କରିଥିଲୁ। ହଠାତ୍‌ ଏହି ସମୟରେ ନିଆଁ ଲାଗିଗଲା। ଭୟରେ ଦୌଡ଼ା ଦୌଡ଼ି ହୋଇ ତଳକୁ ଚାଲିଆସିଲୁ। ଡାକ୍ତରଙ୍କୁ ଦେଖାଇବୁ ଅପେକ୍ଷା କରିଛୁ।
ରବୀନ୍ଦ୍ର ନାଥ ପାଣିଗ୍ରାହୀ, ରୋଗୀଙ୍କ ସମ୍ପର୍କୀୟ
କେହି ଆମ କଥା ବୁଝିଲେନି
ପୁଅ ଦେହ ଖରାପ ହୋଇଯାଇଥିଲା। ତଣେୁ ଗତକାଲି ପଶ୍ଚିମବଙ୍ଗରୁ ଟ୍ରେନ୍‌ରେ ଆସି ରାତି ୪ଟାରେ ହସ୍ପିଟାଲ୍‌ରେ ପହଞ୍ଚିଥିଲୁ। ସକାଳୁ ଡାକ୍ତରଙ୍କୁ ଦେଖାଇବା ପାଇଁ ଅପେକ୍ଷା କରିଥିଲୁ। ହେଲେ ଅଗ୍ନିକାଣ୍ଡ ଘଟିବାରୁ କେହି ଆମକଥା ବୁଝୁନାହାନ୍ତି। ୩ ଘଣ୍ଟା ହେବ ପୁଅକୁ ବାହାରେ ଧରି ବସିଛି। ଡାକ୍ତରଙ୍କୁ ଦେଖାଇବା ପରେ ଯାଇ ଯିବି।
ଆଶାଲତା ପରିଡ଼ା, ରୋଗୀଙ୍କ ମା’
ହ୍ବିଲ୍‌ ଚେୟାର୍‌ରେ ବାହାରକୁ ଅଣାଗଲା
ସକାଳେ କଟକରୁ ହସ୍ପିଟାଲ ଆସିଥିଲି। ଡାଏଲିସିସ୍‌ ହୋଇଥାଆନ୍ତା। ଡାକ୍ତରଙ୍କୁ ଦେଖାଇ ଷ୍ଟିକରିଂ ପାଇଁ ତଳ ମହଲାକୁ ଆସିଥିଲି। ଷ୍ଟିକରିଂ ପରେ ଡାଏଲିସିସ୍‌ ହୋଇଥାଆନ୍ତା। ହେଲେ ଏହି ସମୟରେ ହସ୍ପିଟାଲ୍‌ରେ ନିଆଁ ଲାଗିବାରୁ ମତେ ହ୍ବିଲ୍‌ ଚେୟାରରେ ହସ୍ପିଟାଲ୍‌ ବହାରକୁ ଅଣାଯାଇଥିଲା। ଆଉ ୨ଟା ପରେ ଡାକ୍ତରଙ୍କୁ ଦେଖାଇବା ପାଇଁ କର୍ତୃପକ୍ଷ କହିଥିଲେ।
ରାଜ କିଶୋର ମଲ୍ଲ, ରୋଗୀ

ସମ୍ବନ୍ଧିତ ଖବର