ସ୍କୋଡା କାର୍‌ରେ ଗଞ୍ଜେଇ ବେପାର

ଅଢ଼େଇ କ୍ୱିଣ୍ଟାଲ୍‌ ଜବତ

ଖଣ୍ଡଗିରି: ବୁଧବାର କମିସନରେଟ୍‌ ପୁଲିସକୁ ଚୋରା ଗଞ୍ଜେଇ ଚାଲାଣର ପର୍ଦାଫାସ୍‌ କରିବାରେ ଏକ ବଡ଼ ସଫଳତା ମିଳିଛି। ଖଣ୍ଡଗିରି ଥାନା ପୁଲିସ ଦୁଇଟି ପୃଥକ ମାମଲାରେ ଏକକାଳୀନ ଅଢ଼େଇ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ(ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା) ଜବତ କରିବା ସହ ଚୋରା କାରବାରରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଧା ବେଗୁନିଆ ଥାନା ଟିକାତାଳ ଗାଁର ସୂର୍ଯ୍ୟକାନ୍ତ ମାନସିଂହ(୨୧) ଓ ଖୋର୍ଧା ଥାନା କେରଙ୍ଗ ଗାଁର ସେକ୍‌ ଇସାକ୍‌(୩୩)। କିନ୍ତୁ ପୁଲିସର ସତର୍କ ଚଢ଼ାଉ ସତ୍ୱେ ଏହି କଳା କାରବାରର ମାଷ୍ଟର ମାଇଣ୍ଡ ବୁଲୁ ପଟ୍ଟନାୟକ ଅଳ୍ପକେ ପୁଲିସ ହାତରୁ ଖସି ଫେରାର୍‌ ହୋଇ ଯାଇଛି। ବୁଲୁ ୨୦ ବର୍ଷର ଏକ କୁଖ୍ୟାତ୍‌ ଗଞ୍ଜେଇ ମାଫିଆ ବୋଲି ପୁଲିସ ଜାଣିବାକୁ ପାଇଛି ଓ ଖୁବ୍‌ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ସୂଚନା ମିଳିଛି।

ପୁଲିସ ସୂଚନାନୁସାରେ ମଙ୍ଗଳବାର ଏକ କଳାରଙ୍ଗର ସ୍କୋଡା କାର୍‌(ଓଆର୍‌୧୪ଏଲ୍‌-୦୧୧୧)ରେ ପ୍ରଚୁର ଗଞ୍ଜେଇ ରାଜଧାନୀକୁ ଆସୁଛି ବୋଲି ପୁଲିସକୁ ସୂଚନା ମିଳିଥିଲା। ତେଣୁ ଖଣ୍ଡଗିରି ଥାନା ପୁଲିସ ଓ କ୍ୟୁଏଟି ଷ୍ଟାଫ୍‌ କାର୍‌କୁ ପିଛା କରି ଧରିବାକୁ ଖଣ୍ଡଗିରି ଛକରେ ଭିନ୍ନ ଭିନ୍ନ ଟିମ୍‌ରେ ବିଭକ୍ତ ହୋଇ କୋଳଥିଆ, ଭରତପୁର ଓ ଟ୍ରାଫିକ୍‌ ଛକରେ ଜଗି ରହିଲେ। ପୂର୍ବାହ୍ଣ ପ୍ରାୟ ୧୧ଟାରୁ ପୁଲିସ ଟିମ୍‌ ଜଗି ବସିଲା। ଅପରାହ୍ଣ ପ୍ରାୟ ୧ଟା ବେଳେ ଭରତପୁରଠାରେ ଥିବା ଟିମ୍‌ କାରକୁ ଦେଖି ପିଛା କରିବା ସହ ଅନ୍ୟ ଟିମ୍‌କୁ ଖବର ଜଣାଇଥିଲା। କାର୍‌ଟି ଭରତପୁର ପାର୍‌ ହୋଇ ଅନ୍ଧାରୁଆ ପୂର୍ବରୁ ଜିଏ ପ୍ଲଟ ଏରିଆରେ ପହଞ୍ଚିଥିବାବେଳେ ପୁଲିସ ଟିମ୍‌ ତାକୁ ଘେରି ଯାଇଥିଲା। ମାତ୍ର ଏହା ପୂର୍ବରୁ କୌଣସି ସୂତ୍ରରୁ ଖବର ପାଇ ମାଷ୍ଟର ମାଇଣ୍ଡ ବୁଲୁ ପଟ୍ଟନାୟକ କାର୍‌ରୁ ଓହ୍ଲାଇପଡ଼ି ସେଠାରେ କେଉଁଠାରେ ଛପି ଯାଇଥିଲା। କାର୍‌ ଚାଳକ ସୂର୍ଯ୍ୟକାନ୍ତ କିନ୍ତୁ ଧରାପଡ଼ି ଯାଇଥିଲା। କାର୍‌ ଭିତରୁ ପୁଲିସ ଏକ କ୍ୱିଣ୍ଟାଲ ୫୨ କେଜି ଗଞ୍ଜେଇ ପାଇଥିଲା। ବୁଲୁକୁ ଠାବ କରିବା ପାଇଁ ପୁଲିସ ଭରତପୁରରେ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ କରିଥିଲେ ବି ତା ପତ୍ତା ମିଳି ନଥିଲା। ସୂର୍ଯ୍ୟକାନ୍ତର ସୂଚନାନୁସାରେ ବୁଲୁ ଓ ସେ ଏହି ଗଞେଇ ନେଇ ଚନ୍ଦକା ଓ ବାରଙ୍ଗ ଦେଇ କଟକ ଯାଇଥାଆନ୍ତେ। କନ୍ଧମାଳରୁ ଗଞ୍ଜେଇ ଚାଲାଣ କରି ରାଜଧାନୀ, କଟକ ଓ ଖୋର୍ଧାରେ ହିଁ ବୁଲୁ ଗଞ୍ଜେଇ ବେପାର ଚଳାଇ ଆସୁଛି ବୋଲି ଜଣାପଡ଼ିଛି।

ସେହିଭଳି ମଙ୍ଗଳବାର ଭୋର୍‌ ପ୍ରାୟ ୪ଟାବେଳେ ଖଣ୍ଡଗିରି ପାଟ୍ରୋଲିଂ ଭ୍ୟାନ୍‌ କେରଙ୍ଗର ପୁରୁଣା ବେପାରୀ ସେକ୍‌ ଇସାକ୍‌କୁ ଠାବ କରିଥିଲା। ବରମୁଣ୍ଡା ଦୁର୍ଗାମଣ୍ଡପ ନିକଟରେ ଇସାକ୍‌ ବସିଥିଲା ଓ ତା ନିକଟରେ ୪ଟି ପ୍ୟାକେଟ୍‌ ଥିଲା। ପୁଲିସ ସନ୍ଦେହ କରି ତାକୁ ପଚରାଉଚରା କରିବାବେଳେ ପ୍ୟାକେଟ୍‌ ଗୁଡ଼ିକ ତାର ନୁହେଁ ବୋଲି କହିଥିଲା। କିନ୍ତୁ ତନଖି କଲାବେଳକୁ ପ୍ୟାକେଟ୍‌ରେ ଗଞ୍ଜେଇ ଥିବା ଜଣାପଡ଼ଥିଲା। ପୁଲିସ ପ୍ୟାକେଟ୍‌ ଗୁଡ଼ିକ ଯାଞ୍ଚ କରୁଥିବାବେଳେ ଇସାକ୍‌ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ପୁଲିସ ଟିମ୍‌ ତାକୁ ଗୋଡ଼ାଇ ଗୋଡ଼ାଇ ଧରି ପକାଇଥିଲା। ପରେ ପ୍ୟାକେଟଗୁଡ଼ିକ ତାର ବୋଲି ସେ ମାନିଥିଲା। ଅନୁଗୁଳରୁ ବସ୍‌ ଯୋଗେ ସେ ଏହି ମାଲ୍‌ ଆଣିଥିଲା ଓ ଏକ ଟାଟା ଏସିରେ କେରଙ୍ଗ ନେବାକୁ ଯୋଜନା କରିଥିଲା ବୋଲି ସେ ପୁଲିସ ନିକଟରେ ସ୍ୱୀକାର କରିଥିଲା। ୪ଟି ଯାକ ପ୍ୟାକେଟ୍‌ରେ ପ୍ରାୟ ଏକ କ୍ୱିଣ୍ଟାଲ ମାଲ୍‌ ଥିଲା। ଉଲ୍ଲେଖଯୋଗ୍ୟ ଯେ ଗତ ଜାନୁଆରି ୪ରେ ଖଣ୍ଡଗିରି ଥାନା ପୁଲିସ ଅନୁରୂପଭାବେ ଏକ କାର୍‌ ସହ ୨୫ କେଜି ଗଞ୍ଜେଇ ଜବତ କରିଥିଲା। ଏଥରକୁ ମିଶାଇ ଚଳିତ ବର୍ଷ ଖଣ୍ଡଗିରି ଥାନା ପୁଲିସ ୩ଟି କେସ୍‌ର ପର୍ଦାଫାସ୍‌ କଲାଣି।

ସମ୍ବନ୍ଧିତ ଖବର