ଭୁବନେଶ୍ୱର : ଗୋଟିପୁଅ ନୃତ୍ୟର ଆକର୍ଷଣୀୟ ଅନୁଭବ ସାଙ୍ଗକୁ ପୂଜ୍ୟପୂଜା ପରମ୍ପରାର ନିଦର୍ଶନ ସ୍ୱରୂପ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ୨ ଦିନିଆ ‘ଗୋଟିପୁଅ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଆରାଧନା ଡ୍ୟାନ୍ସ ଏକାଡେମି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଗତକାଲି ଓଡ଼ିଶୀ ନୃତ୍ୟ ଗୁରୁ ଦୁର୍ଗାଚରଣ ରଣବୀରଙ୍କୁ ଆରାଧନା ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କୁ ଉତ୍ତରୀୟ ଓ ମାନପତ୍ର ସହ ୧୦ ହଜାର ଟଙ୍କାର ଅର୍ଥରାଶି ଦେଇ ସମ୍ବର୍ଧିତ କରାଯାଇଥିଲା। ଆଜି ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲଙ୍କୁ ଆରାଧନା ଗୋଟିପୁଅ ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କୁ ୫ ହଜାର ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ସନ୍ଧ୍ୟାରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା, ମର୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଜି ଗୁରୁ ବନମାଳି ମହାରଣା, ଲକ୍ଷ୍ମୀକାନ୍ତ ପାଲିତ୍, ଦୁର୍ଗାଚରଣ ସାହୁ ଓ ମନୋଜ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତିଭାମାନଙ୍କୁ ସମ୍ବର୍ଧିତ କରିଥିଲେ। ଆଜି ସନ୍ଧ୍ୟାରେ ନୃତ୍ୟାନୁଷ୍ଠାନ ସୃଜନର କଳାକାରମାନେ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ନୃତ୍ୟ ପରିବେଷଣ କରିଥିଲେ। ପରେ ଗୁରୁ ନିରଂଜନ ରାଉତ, ରାଜଶ୍ରୀ ପ୍ରହରାଜଙ୍କ ସଂଯୋଜନାରେ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା।
ଶେଷରେ ଆରାଧନା ଡ୍ୟାନ୍ସ ଏକାଡେମିର ନୃତ୍ୟଶିଳ୍ପୀମାନେ ଗୋଟିପୁଅ ନୃତ୍ୟ ଭେଟି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ଡ.ସ୍ନେହପ୍ରଭା ସାମନ୍ତରାୟ, ଉପଦେଷ୍ଟା ଶକ୍ତିଦତ୍ତ ମିଶ୍ର ଏବଂ ସମ୍ପାଦକ ଚିତ୍ରସେନ ସ୍ୱାଇଁ ଉପସ୍ଥିତ ଥିଲେ। ଇଂ ଶ୍ରୀନିବାସ ଘଟୁଆରୀ ଏବଂ ମଧୁମିତା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସ୍ମୃତିପୁଷ୍ପା ପଣ୍ଡା, ମୋନାଲିସା ସାହୁ, ରଶ୍ମିରଂଜନ ସ୍ୱାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।