ବିଜେବି କଲେଜରେ ପ୍ରାକ୍‌ ନିର୍ବାଚନୀ ହିଂସା : ଦୁଇ ଛାତ୍ରଗୋଷ୍ଠୀ ହାତାହାତି, ୭ ଆହତ

କ୍ୟାମ୍ପସ୍‌ରେ ଉତ୍ତେଜନା, ପୁଲିସ ମୁତୟନ

ଭୁବନେଶ୍ୱର : ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖାଦେଇଛି। ଏକ ନିର୍ଦିଷ୍ଟ ରାଜନୈତିକ ଛାତ୍ର ସଂଗଠନର ଦୁଇ ଗୋଷ୍ଠୀ କ୍ୟାମ୍ପସରେ ନିଜର ପତିଆରା ଜାହିର କରିବା ପାଇଁ ଆଜି ହାତାହାତି ହୋଇଛନ୍ତି। ଏଥିରେ ୭ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ଏକ ପ୍ଲାଟୁନ୍‌ ପୁଲିସ ମୁତୟନ ହୋଇଛନ୍ତି।

ସୂଚନା ଅନୁଯାୟୀ ଶନିବାର ରାତିରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ଆୟୁଷ ଅଗ୍ରଓ୍ଵାଲ ଓ ସୌମ୍ୟ ହଷ୍ଟେଲ୍‌ରେ ଥିବା ବେଳେ କେତେଜଣ ଛାତ୍ର ଓ ଅଣଛାତ୍ର ସେଠାକୁ ଯାଇ ଅନ୍ୟ ଗୋଷ୍ଠୀର ଛାତ୍ରଙ୍କ ସହ ନ ମିଶିବାକୁ ଧମକ ଦେଇଥିଲେ। ପ୍ରତିବାଦ କରିବାରୁ ସେମାନେ ଆୟୁଷ ଓ ସୌମ୍ୟଙ୍କୁ ମାଡ଼ ମାରିଥିଲେ। ଏ ନେଇ ଆୟୁଷ ଓ ସୌମ୍ୟଙ୍କ ସମର୍ଥକ ପ୍ରତିଶୋଧ ନେବା ସୁଯୋଗ ଅପେକ୍ଷାରେ ଥିଲେ। ଆଜି ପୂର୍ବାହ୍ଣ ୧୧ଟାରେ ଆୟୁଷ ଓ ସୌମ୍ୟ କଲେଜରେ ଥିବା ବେଳେ ଅନ୍ୟ ଗୋଷ୍ଠୀର ଛାତ୍ରମାନେ ପୁଣି ଧମକ ଦେଇଥିଲେ। ଫଳରେ ଉଭୟ ଗୋଷ୍ଠୀ ହାତାହାତି ହୋଇଥିଲେ। ମାର୍‌ପିଟ ଯୋଗୁଁ କ୍ୟାମ୍ପସ୍‌ ଅଶାନ୍ତ ହୋଇ ଉଠିଥିଲା। ଏହା ଦେଖି ଅନ୍ୟ ଛାତ୍ରଛାତ୍ରୀମାନେ ଭୟରେ ଏଣେତେଣେ ଦୌଡ଼ିଥିଲେ। ବିଜେବି କଲେଜ ସମ୍ମୁଖ ରାସ୍ତାରେ ପ୍ରାୟ ଦୁଇ ଘଣ୍ଟା ପାଇଁ ଯାତାୟାତ ଠପ୍‌ ହୋଇଯାଇଥିଲା। ପରିସ୍ଥିତି ଅଣାୟତ ହେବାରୁ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ବୁଝାସୁଝା କରିଥିଲା। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲେ ମଧ୍ୟ ଉତ୍ତେଜନା ଲାଗି ରହିଛି। ଉଭୟ ଛାତ୍ରଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଉଭୟ ଗୋଷ୍ଠୀ ପକ୍ଷରୁ ଆହତ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜନ ପଣ୍ଡା, ବିବେକଜିତ୍‌ ଶାସ୍ତ୍ରୀ, ସୁମିତ୍ରୀ ବଂଶଲ ଦାସ, ସୌମ୍ୟ ଶୋଭେନ୍‌ ମଲ୍ଲିକ ପ୍ରମୁଖ ରହିଛନ୍ତି। ସେମାନଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଚିକିତ୍ସା କରାଯାଇଛି। ଏବେ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ହାତାହାତି ହୋଇଥିବା ଛାତ୍ରଗୋଷ୍ଠୀ ଏକ ନିର୍ଦିଷ୍ଟ ରାଜନୈତିକ ଛାତ୍ର ସଂଗଠନ ବ୍ୟାନର୍‌ରେ ଗତ କିଛି ବର୍ଷ ହେଲା କ୍ୟାମ୍ପସ୍‌ରେ ପତିଆରା ଜାରି ରଖିଥିଲେ। ଛାତ୍ର ସଂସଦ ନିର୍ବାଚନରେ ପ୍ରାର୍ଥୀ ଦେଉଥିଲେ। ହେଲେ ଚଳିତ ବର୍ଷ କ୍ୟାମ୍ପସ୍‌ ରାଜନୀତିରେ ଓଲଟପାଲଟ ହୋଇଯାଇଛି। ଗତଥର କ୍ୟାମ୍ପସ୍‌ରେ ବିରୋଧୀ ଥିବା ସଂଗଠନର ଛାତ୍ରନେତା ଏଥର ସମ୍ପୃକ୍ତ ଛାତ୍ର ସଂଗଠନ ସହ ମିଶିଛନ୍ତି। ଏହାକୁ ନେଇ ପୂର୍ବରୁ ପତିଆରା ଜମାଇଥିବା ଛାତ୍ର ସଂଗଠନ ଏବେ ଦୁଇ ଫାଳ ହୋଇଯାଇଛି। ନୂଆ କରି ଛାତ୍ର ସଂଗଠନରେ ଯୋଗଦେଇଥିବା ଛାତ୍ରନେତାଙ୍କୁ କେତେକ ଛାତ୍ର ସମର୍ଥନ କରୁଥିବା ବେଳେ ଆଉ କିଛି ବିରୋଧ କରୁଛନ୍ତି। ଏହାକୁ ନେଇ ଗତ ୭ ଦିନ ହେଲା କ୍ୟାମ୍ପସରେ ପତିଆରା ଲଢ଼େଇ ପାଇଁ ଟଣାଓଟରା ଲାଗି ରହିଛି। ଶନିବାର ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଆଜି ତାହା ଉଗ୍ରରୂପ ନେଇଥିଲା। ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ପ୍ରକାଶ ପାଇଛି।

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରସନ୍ନ କୁମାର ମହାନ୍ତିଙ୍କ କହିବାନୁଯାୟୀ କ୍ୟାମ୍ପସ୍‌ରେ ପରିସ୍ଥିତି ଅଣାୟତ ହେବା କ୍ଷଣି ନିକଟସ୍ଥ ଥାନାକୁ ଖବର ଦିଆଯାଇଥିଲା। ସେମାନେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। କ୍ୟାମ୍ପସର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଉଭୟ ପୁରୁଷ ଓ ମହିଳା ପୁଲିସ ମୁତୟନ ହୋଇଛନ୍ତି। କଲେଜର ସୁରକ୍ଷାକର୍ମୀମାନେ ହଷ୍ଟେଲ୍‌କୁ ଜଗି ରହିଛନ୍ତି। ଗଣ୍ଡଗୋଳରେ ୭ରୁ ୮ ଜଣ ଆହତ ହୋଇଥିବା ଶୁଣାଯାଉଛି। ହେଲେ କ୍ୟାମ୍ପସ ବାହାରେ ମାର୍‌ପିଟ୍‌ ହୋଇଥିବାରୁ ଆହତଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିନି। ନିର୍ବାଚନ ସଂପର୍କରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ନିର୍ବାଚନ ବହୁତ ଦିନ ବାକି ରହିଛି। ତେଣୁ ଏବେଠାରୁ କିଛି ନିଷ୍ପତ୍ତି ନିଆଯାଇନି। ପୁଲିସ ଓ ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ଯାହା କିଛି ସ୍ଥିର କରାଯିବ।

ସମ୍ବନ୍ଧିତ ଖବର