ଦୀପାବଳି ପାଇଁ କମିସନରେଟ୍‌ ପୁଲିସର ପ୍ରସ୍ତୁତି : ପ୍ରଦୂଷଣ ରୋକିବାକୁ ପ୍ରୟାସ

ଭୁବନେଶ୍ବର : ଦୀପାବଳିରେ ବାଣ ଫୁଟାକୁ ନେଇ ସୁପ୍ରିମ୍‌ କୋର୍ଟଙ୍କ କଟକଣା ଲାଗୁ ପରେ କମିସନରେଟ୍‌ ପୁଲିସ ଅଧିକ ସଜାଗ ହୋଇ ଉଠିଛି। ସୁରକ୍ଷା ଓ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦୀପାବଳିକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବାକୁ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ବିଶେଷ କରି ପ୍ରଦୂଷଣ ରୋକିବା ପାଇଁ ଗୁରୁତ୍ବ ଦିଆଯାଇଛି। ଦୀପାବଳି ସମୟରେ ‌କେଉଁ ବାଣ ବ୍ୟବାହର କରିବେ, କେତେ ଡେସିବେଲ୍‌ ଶବ୍ଦର ବାଣ ଫୁଟାଇବେ, କେଉଁ ସ୍ଥାନରେ ବାଣ ଫୁଟାଇବେ ସେଥିପାଇଁ ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି। ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶକୁ କଡ଼ାକଡ଼ି ଭାବେ ‌ଲାଗୁ କରିବା ପାଇଁ ପୁଲିସ ଯୋଜନା କରିଛି। ତେବେ ଏନେଇ କମିସନରେଟ୍‌ ପୁଲିସ ପକ୍ଷରୁ ବାଣଫୁଟା ସମୟରେ ସତର୍କତା ଅବଲମ୍ବନ ପାଇଁ କେତେକ ପରାମର୍ଶ ଦିଆଯାଇଛି। ସୁପ୍ରିମ କୋର୍ଟଙ୍କ ନିର୍ଦେଶ କ୍ରମେ ସନ୍ଧ୍ୟା ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି। ଏହାସହିତ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କଠାରୁ ବାଣ କିଣିବା, ପିଲାଙ୍କୁ ଏକୁଟିଆ ବାଣ ଫୁଟାଇବାକୁ ନ ଦେବା, ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ କରୁଥିବା ବାଣ ନ ଫୁଟାଇବାକୁ ପରାମର୍ଶ ଦିଆଯାଇଛି। ସେହିପରି ଜନବସତି, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାଳଠାରୁ ଅତିକମ୍‌ରେ ଶହେ ମିଟର ଦୂରତା ଭିତରେ ବାଣ ନ ଫୁଟାଇବାକୁ କୁହାଯାଇଛି। ଚାଇନା ବାଣ ମାଳ ଅବସ୍ଥାରେ ଫୁଟାଇବାକୁ ସମ୍ପୂର୍ଣ୍ଣ ନି‌ଷେଧ କରାଯାଇଛି। ପଶୁ ପକ୍ଷୀଙ୍କ କ୍ଷେତ୍ରରେ ବାଣ ପ୍ରୟୋଗ ନ କରିବାକୁ ମଧ୍ୟ କମିସନରେଟ୍‌ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ବାଣ ଫୁଟା ସମୟରେ ଆଶୁ ଚିକିତ୍ସା ବକ୍ସ ପାଖରେ ରଖବା ଓ ବାଣ ଫୁଟା ପରେ ଅବଶେଷକୁ ପାଣିରେ ପକାଇ ଦେବାକୁ କୁହାଯାଇଛି। ଜରୁରୀ ପରିସ୍ଥିତି ଉପୁଜିଲେ ପୁଲିସ କଣ୍ଟ୍ରୋଲରୁମ୍ (୧୦୦) କିମ୍ବା ଦମକଳ କେନ୍ଦ୍ର (୧୦୧) ସହ ଯୋଗାଯୋଗ କରିବାକୁ ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ବିମାନବନ୍ଦରର ୨୦କିମି ମଧ୍ୟରେ ଆକାଶଦୀପ ନ ଉଡ଼ାଇବାକୁ ଅନୁରୋଧ

ଭୁବନେଶ୍ବର : ଦୀପାବଳି ପାଇଁ ବାଣ ଫୁଟା ଆରମ୍ଭ ହୋଇଯାଇଥିବାବେଳେ ଏହାକୁ ନେଇ ବିମାନ ଉପରେ ଥିବା ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ସର୍ବସାଧାରଣରେ ନିବେଦନ କରାଯାଇଛି। ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ଯେ, ଏବେ ଆକାଶରେ ଆକାଶଦୀପ, ରକେଟ୍ ବମ୍ବ, ଲେଜର୍‌ ବିମ୍‌ ଦେଖିବାକୁ ମିଳିଛି। ଏହାଦ୍ବାରା ବିମାନ ଓ ବିମାନଯାତ୍ରୀଙ୍କ ଉପରେ ବିପଦ ଥିବାରୁ ବିମାନବନ୍ଦରର ୨୦କିମି ପରିଧି ଭିତରେ ଲୋକମାନେ ଏହି ପ୍ରକାରର ବାଣ ନଫୁଟାଇବା ସହ ଆକାଶକୁ ଆଲୋକ କରୁଥିବା କୌଣସି ବାଣ ନ ଛାଡ଼ିବାକୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର