ଅନିଶ୍ଚିତତାରେ ହାଣ୍ଡିଭଙ୍ଗା ଯାତ୍ରା, ପରମ୍ପରା ବଜାୟ ନ ରଖିଲେ ନୀତି ବର୍ଜନ ପାଇଁ ଦୁଇ ନିଯୋଗର ଚେତାବନୀ

ପୁରୁଣା ଭୁବନେଶ୍ୱର: ମହାଶିବରାତ୍ରି ପରେ ପଡ଼ୁଥିବା ଶନିବାର ପାଳିତ ହୁଏ ହାଣ୍ଡିଭଙ୍ଗା ଯାତ୍ରା। ଗତ ୫ବର୍ଷ ହେଲା ବନ୍ଦ ରହିଥିବା ଏହି ଯାତ୍ରା ଏବେ ମଧ୍ୟ ଅନିଶ୍ଚିତତାରେ ରହିଛି। ତେବେ ପ୍ରଶାସନ ଏହି ପରମ୍ପରା ବଜାୟ ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରର ଦୁଇ ସେବାୟତ ନିଯୋଗ ପରମ୍ପରା ବଜୟ ନରଖିଲେ ନୀତି ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି। ପ୍ରକଶ ଯେ, ପରମ୍ପରା ଅନୁଯାୟୀ ହାଣ୍ଡି ଭଙ୍ଗା ଯାତରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ କପିଳେଶ୍ୱର ମନ୍ଦିରକୁ ଯାତ୍ରା କରିଥାନ୍ତି। ଗତ ୫ବର୍ଷ ପୂର୍ବରୁ କପିଳେଶ୍ୱର ମନ୍ଦିରରେ ସେବାୟତମାନଙ୍କ ବିବାଦ ଯୋଗୁଁ ଏହି ଯାତ ବନ୍ଦ ରହିଥିଲା। ତେବେ ଏହା ପରେ ଠାକୁରଙ୍କ ଶିବବିବାହ ଓ ଶୀତଳଷଷ୍ଠୀ ଯାତ୍ରାରେ ଶ୍ରୀକପିଳନାଥ ଯୋଗ ଦେଇନଥିଲେ। ଏହା ଦ୍ୱାରା ପୁଣି ପରମ୍ପରା ଭଙ୍ଗ ହୋଇଥିଲା। ଦେବୋତ୍ତର ବିଭାଗ ଏହି ପରମ୍ପରା ବଜାୟ ରଖିବାରେ ଫେଲ ମାରିଥିଲା। ପରମ୍ପରା ବଜାୟ ରଖିବାକୁ ହାଇକୋର୍ଟ ନିର୍ଦେଶ ଦେବା ପରେ ମଧ୍ୟ ଶିବବିବାହ ଓ ଶୀତଳଷଷ୍ଠୀ ଯାତ୍ରାରେ ପରମ୍ପରା ବଜାୟ ରହିନଥିଲା। ତେବେ ପରମ୍ପରା ଅନୁଯାୟୀ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ ଆସନ୍ତା ଶନିବାର ପଡ଼ୁଥିବାରୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଏହି ପରମ୍ପରା ବଜାୟ ରଖିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଏପରିକି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଏହି ପରମ୍ପରା ବଜାୟ ରଖିବାକୁ ଚାପ ପ୍ରୟୋଗ କରିଛନ୍ତି। ପ୍ରଶାସନ ଏହି ପରମ୍ପରା ବଜାୟ ରଖିବା ପାଇଁ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଖୋର୍ଧା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଏହି ପରମ୍ପରା କରାଯିବ କି ନାହିଁ ପୂର୍ବ ଦିନ ମଧ୍ୟାହ୍ନ ୧୨ଟା ସୁଦ୍ଧା ନ ଜଣାଇଲେ ୨୯ତାରିଖ ସକାଳୁ ନୀତି ବନ୍ଦ କରିବୁ। ଏନେଇ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସେ କହିଛନ୍ତି। ସେହିପରି ପୂଜାପଣ୍ଡା ନିଯୋଗର ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା ସେହି ସମାନ ଦାବି ଦୋହରାଇଛନ୍ତି। ଏନେଇ ଉପଜିଲ୍ଲାପାଳ ତଥା କପିଳେଶ୍ବର ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ଦେବବ୍ରତ ସାହୁ କୁହନ୍ତି, ୫ଦିନ ପୂର୍ବରୁ କପିଳନାଥ ମନ୍ଦିରର ଖୁଣ୍ଟିଆ ଓ ମଲିଆ ସେବାୟତଙ୍କୁ ପୃଥକ ଭାବେ ଡକାଯାଇ ଆଲୋଚନା କରାଯାଇଛି। ଦୁଇ ଦିନ ମଧ୍ୟରେ ପୁଣି ଉଭୟଙ୍କୁ ଡକାଯାଇ ବୈଠକ କରାଯିବ। ଦେବୋତ୍ତର ବିଭାଗ ଓ ଖୋର୍ଧା ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାୟୀ ପରମ୍ପରା ବଜାୟ ପାଇଁ ଉଦ୍ୟମ ଚାଲିଛି। ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କୁହନ୍ତି ଏନେଇ ସେବାୟତମାନଙ୍କ ସହ ଆଲୋଚନା କରାଯାଉଛି।
ଠାକୁର ଯିବେ ଐଶାନେଶ୍ୱର!: ହାଣ୍ଡିଭଙ୍ଗା ଯାତ୍ରା ସାରି ଶ୍ରୀଲିଙ୍ଗରାଜ ମହାପ୍ରଭୁ ଫେରିବା ବାଟରେ ଐଶାନେଶ୍ୱର ମନ୍ଦିରକୁ ଯାତ୍ରା କରିଥାନ୍ତି। ତେବେ ଏହି ଯାତ୍ରା ବନ୍ଦ ଫଳରେ ଠାକୁର ଐଶାନେଶ୍ୱର ଯାତ୍ରା କରି ପାରୁନାହାନ୍ତି। ମହାପ୍ରଭୁ ଐଶାନେଶ୍ବର ମନ୍ଦିରକୁ ଯିବେ କି ନାହିଁ ସେନେଇ ଅନିଶ୍ଚିତତା ଜାରି ରହିଛି।

ସମ୍ବନ୍ଧିତ ଖବର