ଥରୁଛି ନନ୍ଦନକାନନ, ବଢ଼ୁଛି ଓରାଙ୍ଗଓଟାନ ବିନିର ଦୁଃଖ

ବାରଙ୍ଗ: ଶୀତ ପୁରୁଣା ରେକର୍ଡକୁ ଭାଙ୍ଗିଦେଇଛି। ଅସହ୍ୟ ଜାଡ଼ରେ ସାରା ଓଡ଼ିଶା ଥରୁଛି। ମାସେରୁ ଊର୍ଧ୍ୱ ହେବ ରାଜଧାନୀ ସମେତ ରାଜ୍ୟର ଅର୍ଧାଧିକ ସହର ଜାଡ଼ରେ ଥରୁଥିବା ବେଳେ ଏଇ କିଛି ଦିନ ହେଲା ପାରଦ ୧୦ ତଳକୁ ଖସି ଆସିଛି। ସଂଜ ବୁଡ଼ିଲେ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି। ମଣିଷଙ୍କ ସମେତ ପଶୁପକ୍ଷୀ, ଜୀବଜନ୍ତୁ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ଏପରି ସ୍ଥିତିରୁ ନନ୍ଦନକାନନ ବି ବାଦ୍‌ ପଡ଼ିନି। ପ୍ରାଣୀ ଉଦ୍ୟାନରେ ରହୁଥିବା ଜୀବଜନ୍ତୁଙ୍କୁ ଶୀତ ଦାଉରୁ ରକ୍ଷା କରିବାକୁ କର୍ତ୍ତୃପକ୍ଷ ପଦକ୍ଷେପ ନେଇଥିଲେ ହେଁ ଶୀତକୋପରୁ ଏହି ନିରୀହ ବନ୍ୟପ୍ରାଣୀ ସଂପୂର୍ଣ୍ଣ ବର୍ତ୍ତି ପାରିନାହାନ୍ତି। ପ୍ରାଣୀ ଉଦ୍ୟାନର ମୋଟ ୨୧୩ ଖୁଆଡ଼ ମଧ୍ୟରେ ଥିବା ୧୪୧୩ ସ୍ତନ୍ୟପାୟୀ, ୨୯୬ ସରୀସୃପ, ୧୭୩୫ ପକ୍ଷୀ ଓ ୨୧ ପ୍ରଜାତିର ଉଭୟଚରଙ୍କୁ ମିଶାଇ ମୋଟ ୩୪୬୫ ଜୀବଜନ୍ତୁ ରହୁଛନ୍ତି। ପୂର୍ବ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁଯାୟୀ, ସନ୍ଧ୍ୟା ହେଲେ ଓରାଙ୍ଗଓଟାନ ଓ ସିମ୍ପାଞ୍ଜିମାନଙ୍କୁ କମ୍ବଳ ଘୋଡ଼ି ହେବା ପାଇଁ ଦିଆଯାଉଛି।

ସରୀସୃପ ଉଦ୍ୟାନରେ ରହୁଥିବା ଅହିରାଜ, ଅଜଗର, ନାଗ, ତମ୍ପ, ବୋଡା, ପଥର କଇଁଚ ପ୍ରଭୃତିଙ୍କୁ ଉଷ୍ମତା ପ୍ରଦାନ ଲାଗି ସେମାନଙ୍କ ଘରେ ନଡ଼ା ପକାଯିବା ସହ ବିଦ୍ୟୁତ୍‌ ବଲବ୍ ଜଳାଇବାର ବ୍ୟବସ୍ଥା ହୋଇଛି। ଲାଲ ଲରି, ପାରାକିଟ୍, ବରଜରି, ଜାଭା ପକ୍ଷୀ, କପୋତ, ପିଜାଣ୍ଟ, ମୟୂର, କାକତୁଆ, ମାକାଓ, ପ୍ରେମପକ୍ଷୀ ଓ କକାଟିଲ ପକ୍ଷୀମାନଙ୍କ ଘରକୁ ଲାଇଲନ ଜାଲରେ ଘୋଡ଼ାଇ ଦିଆଯାଉଛି। ସକାଳ ଖରା ଆସିବା ପର୍ଯ୍ୟନ୍ତ ତା’ ଭିତରେ ଆଲୋକ ଜଳାଇ ରଖାଯାଉଛି। ସକାଳ ହେଲେ ଏହି ସବୁ ପକ୍ଷୀମାନେ କଳରବ ଶବ୍ଦ‌ରେ ପରସ୍ପରକୁ ଆଲିଙ୍ଗନ କରିବା ସହ ଡେଇଁ ବୁଲୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ବାଘ, ସିଂହ ଓ ଭାଲୁମାନଙ୍କୁ ସନ୍ଧ୍ୟା ପରେ ସେମାନଙ୍କ କ୍ଷୁଦ୍ର ଖାଦ୍ୟଗ୍ରହଣ କକ୍ଷ ମଧ୍ୟରେ ଆବଦ୍ଧ କରାଯାଉଛି। ସକା‌ଳେ ସୂର୍ଯ୍ୟ ଉଇଁବା ପରେ ବାହାରକୁ ଛଡ଼ା ଯାଉଛି। ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ବାଘ, ଭାଲୁ, ସିଂହମାନେ ଖରାରେ ଶୋଇ ରହୁଥିବା ଦେଖିବାକୁ ମିଳୁଛି। ସିମ୍ପାଞ୍ଜି ପରିବାର (ଜୁଲୁ, ପମ୍ପେଟା, ପୂର୍ଣ୍ଣିମା, ସୁଭଦ୍ରା ଓ ଲକ୍ଷ୍ମୀ) ସୂର୍ଯ୍ୟ କିରଣର ସ୍ପର୍ଶ ପାଇଁ ମଞ୍ଚାରେ ବସି ରହୁଛନ୍ତି। କୁନି ସିମ୍ପାଞ୍ଜି ସୁଭଦ୍ରା ଓ ଲକ୍ଷ୍ମୀଙ୍କ ଝୁଲା ଖେଳ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜୁଛି। ‌ା

ବଢ଼ୁଛି ଓରାଙ୍ଗଓଟାନ ବିନିର ଦୁଃଖ
ଏକମାତ୍ର ବୃଦ୍ଧା ଓରାଙ୍ଗଓଟାନ ବିନି(୪୦) ପାଇର ଶୀତ କଷ୍ଟ ବଢ଼ିଛି। ସଂକ୍ରମଣ ଯୋଗୁଁ ତା’ ଥଳିରେ ଦୀର୍ଘ ଦୁଇ ବର୍ଷ ହେଲା ହୋଇଥିବା ଘାଆ ଶୁଖୁନାହିଁ। ତାକୁ ନିୟମିତ ଅନ୍ତରାଳରେ ଚିକିତ୍ସା କରାଯାଉଥିଲେ ହେଁ ତାହା ଭଲ ହେଉନାହିଁ। ସେ ଖଣ୍ଡିଆ କରି ଘାଆକୁ ଅଧିକ ବଢ଼ାଉଛି। ଏବେ ଶୀତ ଦାଉରୁ ବର୍ତ୍ତିବା ପାଇଁ ଖରାକୁ ଆସିଲେ ମାଛି ଦାଉ ସାଜୁଛନ୍ତି। ବିନି ବିରକ୍ତ ହେବା ସହ ବ୍ୟତିବ୍ୟସ୍ତ ହୋଇପଡ଼ୁଛି। ୨୦୦୩ ମସିହା ନଭେମ୍ବର ୨୦ ତାରିଖରେ ପୁଣେସ୍ଥିତ ରାଜୀବ ଗାନ୍ଧି ଜାତୀୟ ପ୍ରାଣୀ ଉଦ୍ୟାନରୁ ୨୫ ବର୍ଷ ବୟସ୍କ ବିନିକୁ ଏଠାକୁ ଅଣାଯାଇଥିଲା। ବର୍ତ୍ତମାନ ସମଗ୍ର ଭାରତବର୍ଷରେ ଏହି ପ୍ରଜାତିର ଏକମାତ୍ର ପ୍ରାଣୀ ନନ୍ଦନକାନନରେ ଅଛି।

ଅଣ୍ଡା ଦେଲା ଏମୁ

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୭୦ ନମ୍ବର ଖୁଆଡ଼ ମଧ୍ୟରେ ରହୁଥିବା ଏମୁ ପକ୍ଷୀ ଦୁଇ ଦିନ ତଳେ ଅଣ୍ଡା ଦେଇଛି। ସେ ଦେଇଥିବା କିଛି ଅଣ୍ଡା ଅସାବଧାନତା ଯୋଗୁ ଭାଙ୍ଗିଯାଇଛି। ବର୍ତ୍ତମାନ ଥିବା ୭ଟି ଅଣ୍ଡା ଉପରେ ସେ ମଝିରେ ମଝିରେ ବସି ଉଷ୍ମ କରୁଥିବା ଦେଖିବାକୁ ମିଳୁଛି। ନନ୍ଦନକାନନରେ ବର୍ତ୍ତମାନ ୨ଟି ପୁରୁଷ ଓ ୩ଟି ମାଈ ଏମୁ ପକ୍ଷୀ ଅଛନ୍ତି। ଏମାନେ ସାଧାରଣତଃ ମରୁଭୂମି ଅଞ୍ଚଳରେ ଦେଖାଯାଆନ୍ତି। ଏମାନେ ଉଡ଼ିପାରନ୍ତି ନାହିଁ। ହେଲେ ଘଣ୍ଟାକୁ ପ୍ରାୟ ୫୦କିମି ବେଗରେ ଦୌଡ଼ି ପାରନ୍ତି। ମାଈ ପକ୍ଷୀ ୧୧ଟି ଅଣ୍ଡା ଦାନ କରିଥାଏ।

ସମ୍ବନ୍ଧିତ ଖବର