ଭୁବନେଶ୍ବର : ୟୁନିଟ-୨ରେ ବିଭିନ୍ନ ସରକାରୀ କ୍ବାର୍ଟର୍ସ ସମ୍ମୁଖରେ ବେଆଇନ ଭାବେ ଗଢ଼ି ଉଠିଥିବା ବାଉଁଶ-ଜରି ପାଲ ଦୋକାନ ଏବଂ କ୍ୟାବିନକୁ ଆଜି ମିଳିତ ଉଚ୍ଛେଦକାରୀ ଟିମ୍ ଭାଙ୍ଗିଛି। ୱାର୍ଡ ୪୦ର କ୍ବାର୍ଟର୍ସ ନଂ ଭିଏ-୧୦/୧ ସମ୍ମୁଖ ଯଥା ମାର୍କେଟ୍ ବିଲଡିଂ ନିକଟରୁ ଜନପଥକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟରେ ଥିବା ୮୮ଟି କ୍ୟାବିନକୁ ଉଚ୍ଛେଦ କରାଯାଇଥିଲା। ଏଥିପାଇଁ ଦୁଇଟି ଏସ୍କାଭେଟର ବ୍ୟବହାର ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସାଧାରଣ ପ୍ରଶାସନ ବିଭାଗ ଏବଂ ବିଏମ୍ସିର ନିର୍ଦ୍ଦେଶକ୍ରମେ ଏହି ଉଚ୍ଛେଦ ହୋଇଥିଲା। ଏହି ରାସ୍ତାରେ ଦୀର୍ଘ ବର୍ଷ ହେଲା ଦୋକାନଗୁଡ଼ିକ ବେଆଇନ ଭାବେ ଘର ସମ୍ମୁଖେର ରାସ୍ତାକୁ ମାଡ଼ି ବ୍ୟବସାୟ କରୁଥିବାରୁ କ୍ବାର୍ଟର୍ସରେ ରହୁଥିବା ଲୋକମାନେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଥିଲା। ଏନେଇ ସ୍ଥାନୀୟ ଲୋକ ବିଏମ୍ସି ଓ ସାଧାରଣ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ଆଜି ଉଚ୍ଛେଦ ହୋଇଛି ।
ଏହାପରେ ୟୁନିଟ-୨ ମାର୍କେଟର କେଶରୀ ମଲ୍ ପାର୍ଶ୍ବରେ କେବେ ଉଚ୍ଛେଦ ହେବ ତାହାକୁ ସ୍ଥାନୀୟ ଲୋକ ଅପେକ୍ଷା କରିଛନ୍ତି।