ଜଗନ୍ନାଥ ସଂସ୍କୃତିର ମହନୀୟତା ବିଶ୍ୱବ୍ୟାପୀ କରାଯାଉ

‘ଲକ୍ଷ୍ମୀପୁରାଣ’ର ଚିତ୍ରଭିତ୍ତିକ ଇଂରାଜୀ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ପଞ୍ଚଦଶ ଶତାବ୍ଦୀରେ ବଳରାମ ଦାସଙ୍କ ରଚିତ ‘ଲକ୍ଷ୍ମୀ ପୁରାଣ’ ଆଧାରରେ ପ୍ର୍ରସ୍ତୁତ ଚିତ୍ରଭିତ୍ତିକ ଇଂରାଜୀ ପୁସ୍ତକ ‘ଲକ୍ଷ୍ମୀ ଜଗନ୍ନାଥ’ ଇଡ୍‌କଲ୍‌ ପ୍ରେକ୍ଷାଳୟରେ ଲୋକାର୍ପିତ ହୋଇଛି। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁରଙ୍କ ରଚନା ଏବଂ ତପନ ମହାରଣାଙ୍କ ଚିତ୍ରକୁ ଏକାଠି କରି ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଏହାର ପ୍ରକାଶନ କରିଥିବା ବେଳେ ସହାୟତା ଯୋଗାଇ ଦେଇଛନ୍ତି ଆମେରିକାର ଡ.ଦାଶ ଫାଉଣ୍ଡେସନ୍‌। ‘ପିଲାଙ୍କ ସମ୍ବାଦ’ରେ ଧାରାବାହିକ ଭାବେ ପ୍ରକାଶ ପାଇଥିବା ଚିତ୍ର ଓ ଲେଖାକୁ ନେଇ ଏହି ପୁସ୍ତକ ପ୍ରକାଶ କରାଯାଇଛି।

ଏହି ଲୋକାର୍ପଣ ଉତ୍ସବରେ ପୂର୍ବତନ ବାଚସ୍ପତି ଶରତ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଜଗନ୍ନାଥ ଭାବର ଶୀର୍ଷ ଠାକୁର। ତେଣୁ ବିଶ୍ୱ ବୁଝୁଥିବା ଭାଷାରେ ଜଗନ୍ନାଥଙ୍କ କଥା ବିଶ୍ୱବାସୀଙ୍କ ନିକଟରେ ପହଞ୍ଚିବା ଦରକାର। ସେହିଭଳି ଜଗନ୍ନାଥଙ୍କୁ ନେଇ ଗୋଟିଏ ଇଂରାଜୀ ପତ୍ରିକା ଛପା ହୋଇ ସମସ୍ତ ଏମ୍ବାସି ଓ ବିଶ୍ୱବିଦ୍ୟାଳୟକୁ ଯିବା ଦରକାର। ଫଳରେ ଜଗନ୍ନାଥଙ୍କ ମହାନ ସଂସ୍କୃତି ବିଶ୍ୱବ୍ୟାପୀ ହୋଇପାରିବ। ଯେତେବେଳେ ବିଶ୍ୱ ଲୋକଙ୍କୁ ଭାଗଭାଗ କରି ଦେଖୁଛି, ସେତେବେଳେ ୬୦୦ ବର୍ଷ ତଳେ ଜଣେ ଓଡ଼ିଆ ସାଧକ ଜାତି ଅଜାତି କିଛି ନାହିଁ ବୋଲି ଲେଖା ମାଧ୍ୟମରେ ବାର୍ତା ଦେବାର ଭାବନା ସମଗ୍ର ବିଶ୍ୱକୁ ଚମତ୍କତ କରିବ ବୋଲି ସେ କହିଥିଲେ। ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା କିଛି ବିଦେଶୀଙ୍କୁ ଲକ୍ଷ୍ମୀପୁରାଣର କାହାଣୀ ଶୁଣାଇବା ପରେ ସେମାନେ କିଭଳି ଚମତ୍କତ ହୋଇଥିଲେ, ସେଇ ଅଭୁଲା ସ୍ମୃତିକୁ ବଖାଣିଥିଲେ। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ସୀତାକାନ୍ତ ମହାପାତ୍ର ନିଜ ରଚିତ ଜଣାଣ ପୁସ୍ତକର ବ୍ୟାପକ ଅନୁବାଦ ପାଇଁ ପ୍ରସ୍ତାବ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଉପଦେଷ୍ଟା ଡ. ସୁବାସ ପାଣି, ଡ. ଦାଶ ଫାଉଣ୍ଡେସନ୍‌ର ଶୀତକଣ୍ଠ ଦାଶ, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପୀନାଥ ମହାନ୍ତି ପୁସ୍ତକ ସମ୍ପର୍କରେ ମତ ରଖିଥିଲେ। ଆରମ୍ଭରେ ପରିଷଦର ଉପସଭାପତି ପୀତବାସ ରାଉତରାୟ ସ୍ୱାଗତ ଭାଷଣ ଦେବା ସହ ସଭା ପରିଚାଳନା କରିଥିଲେ। ଶେଷରେ ଦେବେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର