କଣ୍ଢେଇ ମେଳଣର ହୀରକ ଜୟନ୍ତୀ: ଟିକି ବିମାନରେ କୁନି କଣ୍ଢେଇ ଦିଅଁ

ଖଣ୍ଡଗିରି: ଶୁକ୍ରବ‌ାର ପୂର୍ବାହ୍ନରେ ତମାଣ୍ଡୋ ଥାନା ଭଗବାନପୁର ଗାଁ କଣ୍ଢେଇ ମେଳଣର ହୀରକ ଜୟନ୍ତୀ ଜାକଜମକରେ ଉଦ୍‌ଘାଟିତ ହୋଇଯାଇଛି। ୫ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଉତ୍ସବର ଆଜି ଥିଲା ଜମାଣ ପର୍ବ। ପ୍ରାୟ ୩୦ଟି ଟିକି ବିମାନରେ କୁନି କଣ୍ଢେଇ ଠାକୁରମାନଙ୍କୁ ବିଶାଳ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଇ ମେଳଣ ପଡ଼ିଆରେ ଅବସ୍ଥାପିତ କରାଯାଇଛି। ଗାଁ ମୁଣ୍ଡ ମା’ ଛୋଟି ଭୁଆସୁଣୀ ମନ୍ଦିର ପଡ଼ିଆରେ ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଚଳିତବର୍ଷ ଏହି ମେଳଣକୁ ୭୫ବର୍ଷ ପୂରିଛି। ତେଣୁ ହୀରକ ଜୟନ୍ତୀ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରଥମତଃ ଚଳିତ ବର୍ଷ ଆଖପାଖ ଗାଁର ଆଉ କିଛି ନୂଆ ବିମାନ ସାମିଲ୍ ହୋଇଛନ୍ତି। ସେହିଭଳି ୫ଦିନ ପର୍ଯ୍ୟନ୍ତ ଅପେରା ପାର୍ଟି ଯାତ୍ରା ପରିବେଷଣ କରିବାକୁ ଥିବା ବେଳେ ସନ୍ଧ୍ୟାରେ ଭଜନ ସମାରୋହ, ସଂକୀର୍ତ୍ତନ, ଭଜନ ସତ୍‌ସଙ୍ଗ୍ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ଆସନ୍ତା ୯ତାରିଖ ମଙ୍ଗଳବାର ଦିନ ଦିଅଁ ମେଳଣ ଓ ବାଲ୍ୟଭୋଜିରେ ଏହି ମେଳଣ ଉଦ୍‌ଯାପିତ ହେବ। ଆଜି ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ଜମାଣ ପର୍ବକୁ ଉଦ୍‌ଘ‌ାଟନ କରିବା ପରେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଶୋଭାଯାତ୍ରାରେ ବୁଢ଼ାବୁଢ଼ୀ ନାଚ, ଟାକୁଟାକୁଆ ଚଢ଼େଇ ନାଚ, ଘୋଡ଼ା, ବାଘ, ହରିଣ ନାଚ ଓ ଷଣ୍ଢ ନାଚ ପ୍ରଦର୍ଶିତ ହୋଇଥିଲା। ସେହିଭଳି ପାଇକ ଆଖଡ଼ା କଳା ପ୍ରଦର୍ଶନ ମଧ୍ୟ ଅନ୍ୟତମ ଆକର୍ଷଣ ଥିଲା। ଶୋଭାଯାତ୍ରା ମଧ୍ୟରେ କଣ୍ଢେଇ ଠାକୁରମାନଙ୍କୁ ଗ୍ରାମବାସୀମାନେ ଚାଚେରି ଭୋଗ ବାଢ଼ିଥିଲେ। ଛୋଟ ଛୋଟ ପିଲାମାନେ ବିମାନ କାନ୍ଧେଇ ସେମାନଙ୍କ କଣ୍ଢେଇ ଦିଅଁକୁ ଗାଁ ବୁଲାଉଥିଲେ। ଏହି ମେଳଣର ବିଶେଷତ୍ବ ହେଲା, ଏଥିରେ ପିଲାମାନଙ୍କ ଦ୍ବାରା ହାତ ତିଆରି ବିମାନରେ ବସିଥାନ୍ତି ଖେଳନା କଣ୍ଢେଇ। ବିଭିନ୍ନ ପ୍ରକାର ଟେଡିରୁ ଆରମ୍ଭ କରି ମାଟି କଣ୍ଢେଇ, ସେରାମିକ୍ କଣ୍ଢେଇ ଓ ପ୍ଲାଷ୍ଟିକ୍ କଣ୍ଢେଇ ବିମାନ ଭିତରେ ରଖାଯାଇଥାନ୍ତି। ସେହିମାନେ ଠାକୁର ଭାବେ ପୂଜା ପାଆନ୍ତି। ତଥାପି ପାରମ୍ପରିକ ପଞ୍ଚୁ ଦୋଳ, ଦଶ ଦୋଳ ଓ ଭଗବତ ମେଳଣ ଭଳି ଏହି କଣ୍ଢେଇ ମେଳଣର ଆୟୋଜନରେ ବହୁ ସାମଞ୍ଜସ୍ୟ ରହିଛି।

ସମ୍ବନ୍ଧିତ ଖବର