୨୬ରୁ ଖଣ୍ଡଗିରି ଯାତ୍ରା ମହାକୁମ୍ଭ

ଭୁବନେଶ୍ୱର: ଦୁଲୁକିବ ମଞ୍ଚ। ଶୁଭିବ ଲହରିଆ ସଂଳାପ। ଖଣ୍ଡଗିରି ମେଳାକୁ ହୁଲ୍‌ସ୍ତୁଲ୍‌ କରିବେ ନାମୀଦାମୀ ଗଣନାଟ୍ୟ। ୨୪ରୁ କୁମ୍ଭମେଳା ଆରମ୍ଭ ହେଉଥିବା ବେଳେ ୨୬ରୁ ଜମିବ ଯାତ୍ରା ମଉଜ। ଚର୍ଚିତ ନାଟକକୁ ନେଇ ମଇଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଛନ୍ତି ବିଭିନ୍ନ ଯାତ୍ରା ଦଳ। ଛାଇ ଯାଇଛି ଯାତ୍ରା ପୋଷ୍ଟର୍‌। କେଉଁଠି ଯାତ୍ରାର ନାମକରଣକୁ ନେଇ ଲୋକଙ୍କ ଆଖି ଲାଖି ରହୁଛି ତ ପୁଣି କେଉଁଠି ନିଜ ପ୍ରିୟ ଯାତ୍ରା କଳାକାରଙ୍କୁ ୩୦ ଫୁଟିଆ ପୋଷ୍ଟର୍‌ରେ ଦେଖି ଅଟକି ଯାଉଛନ୍ତି ଯାତ୍ରାପ୍ରେମୀ। ଫେବ୍ରୁଆରି ୨୬ରୁ ହୁଲ୍‌ସ୍ତୁଲ କରିବ ଖଣ୍ଡଗିରି ଯାତ୍ରା ମହାସମର। ମାଘ ସପ୍ତମୀରୁ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ ହେବାକୁ ଥିବା ବେଳେ ୨୬ରୁ ଫେବ୍ରୁଆରି ୬ ଯାଏଁ ଜମିବ ଯାତ୍ରା ମହାସମର। ଷ୍ଟାର୍‌ଙ୍କୁ ନେଇ ଚାଲିବ ଲଢ଼େଇ।

ମେଳଣ ପଡ଼ିଆରେ ବାଘ ବାଘୁଣୀ
ଖଣ୍ଡଗିରି ସାଂସ୍କୃତିକ ପରିଷଦ ପକ୍ଷରୁ ଜାଗମରା ମେଳଣ ପଡ଼ିଆରେ ପ୍ରଥମାର୍ଧରେ ୨୬ରୁ ୩୧ ପର୍ଯ୍ୟନ୍ତ ‘ଇଷ୍ଟର୍ଣ୍ଣ ରେଡ୍‌’ ନାଟକ ମଞ୍ଚସ୍ଥ କରିବ। ବିନୋଦ-ବେବିନା ଯୋଡ଼ି ସମେତ ଖଳନାୟକ ବୀରେନ ମିଶ୍ର ଏବଂ ହୃଷିକେଶ, ବ୍ରଜ ପାଣିଙ୍କୁ ନେଇ ରେଡ୍‌ ଏଥର ଭେଟି ଦେବ ‘ପାଞ୍ଚ ପଇସାର ସ୍ୱାମୀ’, ‘ସୀତା ସ୍ୱୟମ୍ବର ବାକି ରହିଛି’, ‘କହିଦେଲେ ମୁଁ ମରିଯିବୁ ତୁ’ ଭଳି ଚର୍ଚିତ ନାଟକ। ସେହିଭଳି ୧ରୁ ୬ ତାରିଖ ପର୍ଯ୍ୟନ୍ତ ‘ଇଷ୍ଟର୍ଣ୍ଣ ବ୍ଲୁ’ ଲରେନ୍‌ସ, ମାମିନା, ଉଷଶୀ ମିଶ୍ର, ସଂଜୟ ଭୋଳଙ୍କୁ ନେଇ ମଞ୍ଚକୁ ଓହ୍ଲାଇବ। ଏଥର ‘ବାଘ ବାଘୁଣୀ’, ‘ନାରୀ ତୁ କୋଉ ଧାତୁରେ ଗଢ଼ା’ ଏବଂ ‘ସ୍ୱାମୀ ଦୁଇଜଣ ରାମ ରାବଣ’ ନାଟକ ନେଇ ମୈଦାନରେ ଉଭା ହେବ ବୋଲି ସମ୍ପାଦକ ମହେନ୍ଦ୍ର କୁମାର ଗୁରୁ ସୂଚନା ଦେଇଛନ୍ତି। ମହିଳା ଦର୍ଶକଙ୍କ ପାଇଁ ସୁରକ୍ଷିତ ବାତାବରଣ ଯୋଗାଇ ଦିଆଯିବ ବୋଲି କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ସାହୁ କହିଛନ୍ତି।

ଘାଟିକିଆ ପଡ଼ିଆରେ ପାକିସ୍ତାନୀ ଝିଅ
ସନାତନ ସେବା ସମିତି ପକ୍ଷରୁ ଘାଟିକିଆ ପଡ଼ିଆରେ ଏଥର ନାଟକ ମଂଚସ୍ଥ କରିବେ ‘ବାଘାଯତୀନ’ ଏବଂ ‘ସ୍ୱର୍ଣ୍ଣମହଲ’। ବାଘାଯତୀନ ୨୬ରୁ ୩୦ ପର୍ଯ୍ୟନ୍ତ ‘ମୁଁ ପାକିସ୍ତାନୀ ଝିଅ’, ‘କଳା ଓଢଣି’ ଏବଂ ‘କାହାଣୀ କାନ୍ଦୁଛି ଆଖି ଲୁହରେ’ ନାଟକ ଭେଟି ଦେବ। ବାପି ପଣ୍ଡା, ମନ୍ଦାକିନୀ, ଦିନା ପଣ୍ଡା ଏବଂ ଲକ୍ଷ୍ମୀଧର ଆକର୍ଷଣ ସାଜିବେ। ୩୧ରୁ ୬ ତାରିଖ ପର୍ଯ୍ୟନ୍ତ ସ୍ୱର୍ଣ୍ଣ ମହଲରୁ ଭେଟି ଦେବ ‘ନିଜ ଶବ ପାଇଁ ନିଜେ କୋକୋଇ’, ‘ମିଛୁଆ ସ୍ୱାମୀ’ ଏବଂ ‘ପ୍ରେମରେ ଲାଗିଛି ନିଆଁ’। ସୁରେଶ ପଣ୍ଡା, ଟିକିନା ଓ ଶୁଭେନ୍ଦୁଙ୍କ ଅଭିନୟର ଯାଦୁକୁ ଯାତ୍ରାପ୍ରେମୀ ଅନୁଭବ କରିବେ ବୋଲି ସମ୍ପାଦକ ବାନାମ୍ବର ହାଟୁଆ କହିଛନ୍ତି।

ଇନ୍ଦିରା ପଡ଼ିଆରେ କେବଳ କଳିଙ୍ଗ
ଏଥର ଇନ୍ଦିରା ପଡ଼ିଆରେ କେବଳ କଳିଙ୍ଗ ଗଣନାଟ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ନାଟକ ମଞ୍ଚସ୍ଥ କରିବ। ୩୧ରୁ ୬ ପର୍ଯ୍ୟନ୍ତ କଳିଙ୍ଗ ‘ରାଧା ହଜିଗଲା ଅଧା ବାଟରେ’ ନାଟକକୁ ନେଇ ମୈଦାନକୁ ଓହ୍ଲାଇବ। ପ୍ରତାପ, କାବେରୀ, ମହେନ୍ଦ୍ର ଦାସ, ନରି ପଣ୍ଡାଙ୍କ ଅଭିନୟ ଦେଖିବାକୁ ମିଳିବ। ମା’ ମଙ୍ଗଳା ଯୁବ ପରିଷଦ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୬ରୁ ୩୦ ଗ୍ରେଟ୍‌ ଇଷ୍ଟର୍ଣ୍ଣ ଏବଂ ରଙ୍ଗ ମହଲ ୩୧ରୁ ୬ ପର୍ଯ୍ୟନ୍ତ ନାଟକ ମଞ୍ଚସ୍ଥ କରିବ।
ଦୁର୍ଗାମଣ୍ଡପରେ କାଇଁଚ ମାଳି
ମା’ ବାରଭୁଜା ସାଂସ୍କୃତିକ ପରିଷଦ ପକ୍ଷରୁ ଦୁର୍ଗାମଣ୍ଡପରେ ପୂର୍ବ ଭଳି କୋଣାର୍କ ଏବଂ ଶିବାନୀ ଗଣନାଟ୍ୟ ତା’ର ନାଟକ ମଞ୍ଚସ୍ଥ କରିବେ। କୋଣାର୍କ ୨୬ରୁ ୩୦ ପର୍ଯ୍ୟନ୍ତ କାଇଁଚ ମାଳି, ବଦନାମ ହେଲି ତୋରି ପାଇଁ, ଛୁଇଁଦେଲେ ମେଘ ବରଷିଯାଏ’ ନାଟକ ନେଇ ଆସୁଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଶିବାନୀ ଗଣନାଟ୍ୟ ‘ରୂପ ରାଇଜର ରାଜକୁମାରୀ’, ‘ମଲା ବେଳେ ଦେବି ଗଙ୍ଗା ଜଳ’ ଏବଂ ‘ଚାଲ କରିବା ଠିଆ ପାଲା’ ନାଟକ ନେଇ ମୈଦାନକୁ ଆସିବ।

ମହତାବ ପେଣ୍ଡାଲ୍‌ରେ ‘ରାଜଧାନୀ ଗୋରୀ’
ମହତାବ ସାଂସ୍କୃତିକ ପରିଷଦ ପକ୍ଷରୁ ଆଇଗିଣିଆ ପଡ଼ିଆରେ ‘ଯାତ୍ରାଶ୍ରୀ ବିଶ୍ୱ ଦରବାର’ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ନାଟକ ପରିବେଷଣ କରିବ। ଚଳିତ ବର୍ଷ ‘ରାଜଧାନୀ ଗୋରୀ ନୁହେଁ କାହାରି’ ଉପରେ ସମସ୍ତଙ୍କ ନଜର। କୈଳାସ ବେହେରାଙ୍କ ଭଳି ଚର୍ଚିତ ଅଭିନେତାଙ୍କ ସମେତ ମୁନା, ନମିତା, ଦୟା ଓ ସଂଜୀବ ଆକର୍ଷଣ ସାଜିବେ ବୋଲି ସଭାପତି କୃଷ୍ଣଚନ୍ଦ୍ର ଜେନା କହିଛନ୍ତି। ୩୧ରୁ ୬ ତାରିଖ ପର୍ଯ୍ୟନ୍ତ ‘ତୁଳସୀ ଗଣନାଟ୍ୟ’ ନାଟକ ପରିବେଷଣ କରିବାକୁ ଯାଉଥିବା ବେଳେ ଚର୍ଚିତ ନାଟକ ‘ଦିନକ ପାଇଁ ମୁଁ ଦ୍ରୌପଦୀ ହେବି’ ନାଟକକୁ ନେଇ ଯାତ୍ରା ମୈଦାନକୁ ଓହ୍ଲାଇବ। ଜୁଲି ପଣ୍ଡା, ହାପି, ରମା, କମଲ, ସତ୍ୟ, ରାଧା, ତାରିଣୀ, ସାନମଣି, ଶ୍ରାବଣୀ ଓ ରଂଜିତଙ୍କ ଅଭିନୟରେ ଯାତ୍ରାପ୍ରେମୀ ମସଗୁଲ ହେବେ ବୋଲି ସମ୍ପାଦକ ନୃସିଂହପ୍ରସାଦ ସୁନ୍ଦରାୟ ସୂଚନା ଦେଇଛନ୍ତି।

ରଙ୍ଗ ମହଲ ବାଟ ଫିଟିଲା, ଇନ୍ଦ୍ର ଭୁବନ ପାଇଁ ପ୍ରଶ୍ନବାଚୀ
କେସିଏ ପଡ଼ିଆରେ ମା’ ମଙ୍ଗଳା ଯୁବ ପରିଷଦ ପକ୍ଷରୁ ନାଟକ ପରିବେଷଣ ନେଇ ସୃଷ୍ଟି ହୋଇଥିବା ଅଡ଼ୁଆ ଛିଣ୍ଡିଥିବା ବେଳେ ଏଥର ରଙ୍ଗ ମହଲ ନାଟ୍ୟ ପରିବେଷଣ କରିବାର ସୁଯୋଗ ପାଇଛି। ତେବେ ପଡ଼ିଆଟି ଖଣ୍ଡଗିରି ହାଇସ୍କୁଲ୍‌କୁ ପ୍ରଦାନ କରାଯାଇଥିବାରୁ ସେହି ସ୍କୁଲ୍‌ର ପ୍ରଧାନ ଶିକ୍ଷକଙ୍କ ନାମରେ ୫ଲକ୍ଷ ଟଙ୍କାର ଡିମାଣ୍ଡ୍‌ ଡ୍ରାଫ୍ଟ ସାଧାରଣ ପ୍ରଶାସନ ବିଭାଗର ଲ୍ୟାଣ୍ଡ୍‌ ଅଫିସରଙ୍କୁ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ମା’ ମଙ୍ଗଳା ଯୁବ ପରିଷଦକୁ ଅନୁମତି ମିଳିଥିଲେ ହେଁ ସଂପୃକ୍ତ ପଡ଼ିଆରେ ଜୟଦୁର୍ଗା ସଂଘ ପକ୍ଷରୁ ଯାତ୍ରା ଇନ୍ଦ୍ରଭୁବନରେ ନାଟକ ମଞ୍ଚସ୍ଥ ହେବା ନେଇ ଦ୍ୱନ୍ଦ୍ୱ ଉପୁଜିଛି। ସେଠାରେ ଯାତ୍ରା ପାଇଁ ଅନୁମତି ମିଳିବ କି ନାହିଁ ତାହା ଥୟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର