ଫନି ଉଜାଡ଼ି ଦେଲା ଶ୍ରମିକ ନିତ୍ୟାନନ୍ଦଙ୍କ ସଂସାର

ଭୁବନେଶ୍ବରରେ କାନ୍ଥ ତଳେ ଚାପି ରହିଥିଲେ, ଶୁଦ୍ଧିକ୍ରିୟା ସରିଲା, ସରକାରୀ ସହାୟତା ମିଳିଲାନି

ଭୁବନେଶ୍ବର : ‘ଫନି’ ବାତ୍ୟାରେ ଭୁବନେଶ୍ବରରେ କାନ୍ଥ ଭୁଶୁଡ଼ି ଗୁରୁତର ହୋଇପଡ଼ିଥିଲେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କୁମାରପାଣି ପଞ୍ଚାୟତ ବାରସିଙ୍ଗି ଗ୍ରାମର ନିତ୍ୟାନନ୍ଦ ବାଡ଼ତ୍ୟା। ଅର୍ଥାଭାବରୁ ଉଚିତ୍ ଚିକିତ୍ସା ପାଇ ପାରିଲେ ନାହିଁ। ମାସେ କାଳ ଧରି ମୃତ୍ୟୁ ସହ ସଂଘର୍ଷ ପରେ ଶେଷରେ ଗତ ୬ ତାରିଖରେ ସେ ଶେଷ ନିଃଶ୍ବାସ ତ୍ୟାଗ କଲେ। ଏହା ଭିତରେ ଦେଖୁ ଦେଖୁ ୧୨ ଦିନ ବିତିଗଲା। ଶୁଦ୍ଧିକ୍ରିୟା ସରିବା ପରେ ବନ୍ଧୁ ପରିଜନ ଯିଏ ଯା’ ଘରକୁ ଗଲେ। ହେଲେ ଆଜି ସୁଦ୍ଧା ନିତ୍ୟାନନ୍ଦଙ୍କ ଅସହାୟ ପରିବାରକୁ ସରକାରୀ ସହାୟତା ଟଙ୍କାଟିଏ ବି ମିଳିଲା ନାହିଁ। ପରିବାରର ଏକମାତ୍ର ରୋଜଗାରକ୍ଷମ ମୁରବି ନିତ୍ୟାନନ୍ଦ ଚାଲିଯିବା ପରେ ପତ୍ନୀ ଓ ଦୁଇ ଛୋଟ ପିଲା ବେସାହାରା ପାଲଟିଛନ୍ତି। କାଣିଚାଏ ବି ସରକାରୀ ସହାୟତା ତ ଦୂରର କଥା ଅଧିକାରୀ କେହି ତାଙ୍କ ଘର ପିଣ୍ଡା ମାଡ଼ି ନାହାନ୍ତି।

ନିତ୍ୟାନନ୍ଦ ଭୁବନେଶ୍ୱରରେ ରହି ଶ୍ରମିକ ଭାବେ କାମ କରୁଥିବା ବେଳେ ଗତ ମାସ ୩ ତାରିଖରେ ଫନି ବାତ୍ୟା ବେଳେ କାନ୍ଥ ପଡ଼ିଯିବା ଯୋଗୁଁ ସେ ଗୁରୁତର ହୋଇଥିଲେ। କିନ୍ତୁ ପ୍ରାଥମିକ ଚିକିତ୍ସା ପରେ ଅର୍ଥାଭାବ କାରଣରୁ ସେ ଘରକୁ ଚାଲି ଆସିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସିତ କରାଯାଉଥିଲା। ଗତ ୬ ତାରିଖରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଚିକିତ୍ସା ପାଇଁ ନିତ୍ୟାନନ୍ଦଙ୍କ ପାଖରେ ନା ବିଜୁ ସ୍ୱାସ୍ଥ୍ୟ ବୀମା ନା ମୁଖ୍ୟମନ୍ତ୍ରୀ ଚିକିତ୍ସା ପାଣ୍ଠି ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ସହାୟତା କିଛି ବି ମିଳି ନଥିଲା। କେବଳ ମେଡିକାଲ ଯିବା ଖର୍ଚ୍ଚ ବାବଦକୁ ୪ ହଜାର ଟଙ୍କା ମିଳିଥିଲା। ବର୍ତ୍ତମାନ ସରକାରୀ ସହାୟତାକୁ ନିତ୍ୟାନନ୍ଦଙ୍କ ପତ୍ନୀ ଓ ଦୁଇ ପିଲା ଅପେକ୍ଷା କରିଥିବା ବେଳେ ଏ ଦିଗରେ ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର