ଭୁବନେଶ୍ୱର : ପ୍ରହସନ ପାଲଟିଛି ଅନ୍ଲାଇନ୍ ମଦ ବେପାର। ଅନ୍ଲାଇନ୍ରେ କୁହାଯାଇଥିଲେ ମଧ୍ୟ ସବୁ ଅଫ୍ଲାଇନ୍ ଚାଲିଛି। ଦୋକାନୀ ମଦ ବୁକିଂ କରିବା ପରେ ତାକୁ ଫୋନ୍ କରି ଦୋକାନ ପର୍ଯ୍ୟନ୍ତ ଡକା ଯାଉଛି। ରାସ୍ତା ଆରପାଖେ ବା ଦୋକାନ ଦୁଆର ମୁହଁରେ ମଦ ଡେଲିଭରି ହେଉଛି। ଏହି ବେଆଇନ ବେପାରକୁ ଶୃଙ୍ଖଳିତ ଭାବରେ କରିବା ପାଇଁ ପୁଲିସ ଜଗିଛି। ବେପାରୀ ଲାଭ ନେଉଛି, ପୁଲିସ ପହରା ଦେଉଛି। ପୁଲିସ ଏଭଳି ପହରା ଦେବାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ମଦ ବେପାରରେ ପୁଲିସ କ’ଣ ଲାଭ ପାଉଛି? କାହିଁକି ଏତେ ଯତ୍ନର ସହ ଏହି ବେଆଇନ ବେପାରରେ ଉତ୍କଣ୍ଠାର ସହ ସାମିଲ ହୋଇଛି? ଏଭଳି ଅନେକ ପ୍ରଶ୍ନ ଏବେ ପୁଲିସକୁ ବିବାଦକୁ ଟାଣିଛି। ମଦ ବେପାରରେ ବିଶୃଙ୍ଖଳା ହେବା ଆଶଙ୍କା କରି ବ୍ୟବସାୟୀମାନେ ପୁଲିସ କମିସନରଙ୍କ ଶରଣ ପଶିଥିଲେ। ଏହା ପର ଠାରୁ ଦୋକାନ ଦୁଆର ମୁହଁରେ ପୁଲିସ ପହରା ଆରମ୍ଭ ହୋଇଥିଲା। ଗୋଟିଏ ଗୋଟିଏ ମଦ ଦୋକାନ ଦୁଆର ମୁହଁରେ ଦୁଇରୁ ତିନି ପୁଲିସ କର୍ମଚାରୀ ଛିଡ଼ା ହେଉଛନ୍ତି। ମଦ ଦେକାନୀ ବସିବା ପାଇଁ ଚୌକିର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଯେଉଁଥିପାଇଁ ଏହି ବ୍ୟବସ୍ଥା ହୋଇଥିଲା ତାହା ହେଉ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
କୋଭିଡ-୧୯ ମୁକାବିଲା ପାଇଁ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଅନ୍ଲାଇନ୍ରେ ମଦ ବିକ୍ରି ବ୍ୟବସ୍ଥା ହୋଇଥିଲା। ଡେଲିଭରି ବଏ କିମ୍ବା ସ୍ବୀକୃତିପ୍ରାପ୍ତ ସଂସ୍ଥା ମଦ ନେଇ ଘରେ ପହଞ୍ଚାଇବେ। ଦୋକାନୀମାନେ ନିଜ ନିଜର ଡେଲିଭରି ବଏ ମଦ ଡେଲିଭରି କରିବେ ବୋଲି କହିଲେ। ଅନ୍ଲାଇନ ବେପାର ବେଳେ କାଳେ କିଏ ଆକ୍ରମଣ କରିବ ସେ ନେଇ ସୁରକ୍ଷା ମାଗିଲେ। ହେଲେ ଗ୍ରାହକଙ୍କୁ ଦୋକାନ ପାଖକୁ ଡାକି ବ୍ୟବସାୟ କଲେ। ଏଣେ କିନ୍ତୁ ପୁଲିସ ଜଗିଲା। ଯଦି ପୁଲିସ ଜଗିଲା ତେବେ ଏଭଳି ବେଆଇନ ବେପାର କେମିତି ହେଲା? ଏଭଳି ବିଭିନ୍ନ ପ୍ରଶ୍ନ ଏବେ ପୁଲିସର ଭୂମିକାକୁ ସନ୍ଦେହ ଘେରକୁ ଟାଣି ନେଇଛି।
ଠିପିଖୋଲାରେ ବାଉନ୍ସର, ଠିପି ବନ୍ଦରେ ପୁଲିସ
ନିଜର ସୁରକ୍ଷା ପାଇଁ ଠିପି ଖୋଲା ଓ ବାର୍ଗୁଡ଼ିକ ନିଜ ଖର୍ଚ୍ଚରେ ବାଉନ୍ସର ରଖିଛନ୍ତି। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସେମାନେ ନିୟନ୍ତ୍ରଣ କରୁଛନ୍ତି। ଅନ୍ୟ ବ୍ୟବସାୟୀମାନେ ସୁରକ୍ଷା ପାଇଁ ସୁରକ୍ଷାକର୍ମୀ ରଖିଛନ୍ତି। ହେଲେ ଠିପି ବନ୍ଦ ମଦ ଦୋକାନରେ ପୁଲିସ ଏହି କାର୍ଯ୍ୟ କରୁଛି। ଏଣୁ ଏହା ଭିତରେ ରହସ୍ୟ ଥିବା ଅନେକ ଆଶଙ୍କା କରିଛନ୍ତି।
ପୁଲିସକୁ ହାତଗୁଞ୍ଜା!
ମଦ ଦୋକାନ ଆଗରେ ଜଗୁଥିବା ପୁଲିସ କର୍ମଚାରୀମାନଙ୍କୁ ମୋଟା ଅଙ୍କର ହାତଗୁଞ୍ଜା ମିଳୁଛି। ରାସ୍ତା ଆରପଟେ ଡେଲିଭରି ଦେଇ ବିନା ଖର୍ଚ୍ଚରେ ଦୋକାନୀ ଡେଲିଭରି ଚାର୍ଜ ପକେଟ୍ରେ ପୂରାଉଛି। ତା’ ଛଡ଼ା ଅଧିକ ଦରରେ ମଧ୍ୟ ବିକ୍ରି ହେଉଛି। ଏଭଳି ବେଆଇନ ଭାବରେ ଆସୁଥିବା ଅର୍ଥରୁ ସିଂହଭାଗ କର୍ମଚାରୀଙ୍କ ପକେଟ୍କୁ ଯାଉଥିବା ଏକ ସଙ୍ଗିନ ଅଭିଯୋଗ ଆସିଛି। କେବଳ ଅର୍ଥ ନୁହେଁ, ଆବଶ୍ୟକ ବେଳେ ମଦ ମଧ୍ୟ ମାଗଣାରେ ଉପଲବ୍ଧ ହେଉଛି ବୋଲି ଅଭିଯୋଗ ରହିଛି। ତେବେ ଏହାକୁ ଜଣେ ବରିଷ୍ଠ ଅଧିକାରୀ ଖଣ୍ଡନ କରିଛନ୍ତି। ବ୍ୟବସାୟୀ ସୁରକ୍ଷା ଲୋଡ଼ିଥିବାରୁ ସେଠାରେ କର୍ମଚାରୀ ନିୟୋଜିତ କରାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି।