ରାଜଧାନୀରେ ଲୁଟେରାଙ୍କ ଉତ୍ପାତ : ଭୟର ବାତାବରଣ

ଭୁବନେଶ୍ବର : ରାଜଧାନୀରେ ଗଳିକନ୍ଦିରେ ଏବେ ଲୁଟେରାଙ୍କ ଆତଙ୍କ। କେଉଁଠି ଭୁଜାଲି ଲଗାଇ ସୁନାଚେନ୍‌ ଲୁଟି ନେଲେଣି ତ ଆଉ କେଉଁଠି ଘର ପଶି ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ସୁନାଗହଣା ଡକାୟତି କଲେଣି। ଏଭଳି ପରିସ୍ଥିତିରେ ଏବେ ରାଜଧାନୀବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ମହିଳାମାନେ ଇମିଟେସନ୍‌ ପିନ୍ଧି ବି ପଦାକୁ ଆସିବାକୁ ଡରିଲେଣି। ରାତି ୧୧ ପରେ ବାଇକ୍‌ ନେଇ ବାହା‌ରକୁ ଯିବାକୁ ଭୟ କଲେଣି ରାଜଧାନୀବାସୀ। କମିସନରେଟ୍‌ ପୁଲିସ ଦୁର୍ବଳତାକୁ ଲୁଟେରାମାନେ ଠଉରାଇ ନେଲା ଭଳି ଲାଗୁଛି। ଲୁଟେରାମାନେ କମିସନରେଟ୍‌ ପୁଲିସକୁ ଚ୍ୟାଲେଞ୍ଜ କରି ଲୁଟ୍‌ପାଟ୍‌ କରୁଛନ୍ତି। ଗତ ଦୁଇ ସପ୍ତାହ ମଧ୍ୟରେ ଧଉଳି, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ଇନଫୋସିଟି ଓ ସହିଦନଗର ଥାନା ଅଞ୍ଚଳରେ ଏକାଧିକ ସ୍ଥାନରେ ଲୁଟ, ଛିନ୍‌ତାଇ, ସିନ୍ଧିଚୋରି ଓ ଡକାୟତି ଭଳି ଘଟଣା ଘଟିଛି। ଚାରି ଆଡ଼େ ଏବେ ଏହି ଲୁଟେରାଙ୍କ ଉତ୍ପାତକୁ ନେଇ ଆଲୋଚନା। ଏହି ଲୁଟେରା ଗ୍ୟାଙ୍ଗ୍‌ ଭୁବନେଶ୍ବରର ନା ବାହାରୁ ଆସିଛନ୍ତି ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ୨୦୧୬ ମସିହା ମାର୍ଚ ମାସରେ ଠିକ ସମାନ ଢଙ୍ଗରେ ରାଜଧାନୀରେ ସିରିଜ୍‌ ଲୁଟ୍‌ ଘଟିଥିଲା। ଷ୍ଟେସନ୍‌ଠାରୁ ଆରମ୍ଭ କରି ଜନପଥ, ନୂଆପଲ୍ଲୀ, ସହିଦନଗର ଆଦି ଅଞ୍ଚଳରେ ଲୁଟେରାମାନେ ସକାଳୁ ସକାଳୁ ସିରିଜ୍‌ ଲୁଟ୍‌ କରି ପୁଲିସକୁ ଚ୍ୟାଲେଞ୍ଜ ଦେଇଥିଲେ।। କ୍ୟାପିଟାଲ ଥାନା ପୁଲିସ ଏହି ଲୁଟେରା ଗ୍ୟାଙ୍ଗକୁ କାବୁ କରିଥିଲା। ସେହି ଗ୍ୟାଙ୍ଗ୍ ଏବେ ପୁଣି ସକ୍ରିୟ ହୋଇ ଉଠିଥିବା ଖବର ପାଇଛି ପୁଲିସ।

ଅନ୍ୟପକ୍ଷରେ ବିଶେଷସୂତ୍ରରୁ ଯାହା ଖବର ମିଳିଛି ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କୁ ବଦନାମ କରିବାକୁ କେତେକ ଏଭଳି ଚକ୍ରାନ୍ତ କରୁଛନ୍ତି। କେତେକ ପୁରୁଣା ଅଫିସରଙ୍କ ବଦଳି ପରେ ସେମାନେ ଲୁଟେରା ଗ୍ୟାଙ୍ଗକୁ ଲଗାଇ ଏଭଳି ଅପରାଧ ଘଟାଇ କମିସନରେଟ ପୁଲିସକୁ ବଦନାମ କରିବାକୁ ଯୋଜନା କରିଛନ୍ତି। ଫଳରେ ନିର୍ବାଚନ ପରେ ସେମାନେ ଯେମିତି ପୁଣି ଥରେ ଫେରି ଆସି ପାରିବେ ତାହା ଏବେ ପୁଲିସ ମହଲରେ ଚର୍ଚା ହେଉଛି।

ବାଇକ୍‌, ମୋବାଇଲ୍‌ ଫୋନ୍‌, ସୁନାଚେନ୍‌ ଆଦି ପାଇଁ ଏହି ଗ୍ୟାଙ୍ଗ୍‌ ରାଜଧାନୀରେ ଲୁଟପାଟ୍‌ ଚଳାଉଥିବାରୁ ଏହାର ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ଯେଉଁ କାରଣରୁ କମିସନରେଟ୍‌ ପୁଲିସ ଉପରେ ରାଜଧାନୀବାସୀ ଅସନ୍ତୋଷ ପ୍ରକଟ କରିଛନ୍ତି।

ବାଙ୍କୁଆଳ ଡକାୟତି ଘଟଣା : ଦୁଇ ଦିନ ପରେ ମଧ୍ୟ ପୁଲିସ ହାତ ଖାଲି
ସହିଦନଗର ଥାନା ଅଧୀନ ବାଙ୍କୁଆଳ ଗାଁରେ ଆର୍‌ କେ ମହାକୁଡ଼ଙ୍କ ଘରୁ ହୋଇଥିବା ସିନ୍ଧିଚୋରି ଘଟଣାରେ ଏଯାଏ ପୁଲିସ ହାତ ଖାଲି ରହିଛି। ଗ୍ରାମବାସୀ କାବୁ କରିଥିବା ସୂର୍ଯ୍ୟମଣି ଦାସ ନାମକ ଜଣେ ସନ୍ଦିଗ୍ଧଙ୍କୁ ପୁଲିସ ପଚରା କରୁଛି। ତାଙ୍କ ସହିତ ଆଉ କିଏ କିଏ ଆସିଥିଲେ ସେ ସମ୍ପର୍କରେ ଖୋଳତାଡ଼ ଜାରି ରହିଛି। ପୁଲିସ ଜାଣିବାକୁ ପାଇଛି କି ସୂର୍ଯ୍ୟମଣିଙ୍କ ଘର କଟକ ଶିଖରପୁରରେ। ତାଙ୍କ ସହିତ ମୁନା ବେହେରା ନାମକ ଜଣେ ଯୁବକ ଘଟଣା ଦିନ ଆସିଥିଲା। ପୁଲିସ ଏବେ ମୁନା ଓ ତା ସାଙ୍ଗରେ ଥିବା ଅନ୍ୟ ଜଣେ ଯୁବକକୁ ଖୋଜାଖୋଜା କରୁଛି। ସେହିପରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରୁ ମଧ୍ୟ ଫୁଟେଜ ସଂଗ୍ରହ କରିଛି ପୁଲିସ। ସହିଦନଗର ଥାନା ପୁଲିସର ଏକ ଟିମ କଟକ ଯାଇ ମୁନା ଓ ସୂର୍ଯ୍ୟମଣିଙ୍କ ଅପରାଧ ନେଟୱର୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି। ଖୁବ ଶୀଘ୍ର ଏହି ଘଟଣାର ପର୍ଦାଫାସ ହେବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର