ମାର୍କେଟ୍‌ ବିଲ୍‌ଡିଂର ସୌନ୍ଦର୍ଯ୍ୟ ଉଜୁଡ଼ି ଗଲାଣି

ଭୁବନେଶ୍ବର : ଖୁଣ୍ଟ ଅଛି, ଲାଇଟ୍‌ ନାହିଁ। ପାଣି ଟାଙ୍କି ଅଛି, ଟ୍ୟାପ୍‌ ଖୋଲିଲେ ଆସୁନି। କାନ୍ଥରେ ବରଗଛ ଉଠିଗଲାଣି, ନଜର ପଡ଼ୁନି। ପଛପଟେ ଟ୍ରାନ୍ସଫର୍ମର ଅଛି, ହେଲେ ମୁକୁଳା ପଡ଼ିଛି। ରାଜଧାନୀର ଦ୍ବିତୀୟ ସର୍ବବୃହତ୍‌ ବଜାର ‘ମାର୍କେଟ୍‌ ବିଲ୍‌ଡିଂ’ ହିଁ ଏହିଭଳି ସମସ୍ୟା ଦେଇ ଗତିକରୁଛି। ଧୀରେ ଧୀରେ ଏହାର ସୌନ୍ଦର୍ଯ୍ୟ ଉଜୁଡ଼ି ଗଲାଣି। ଅଥଚ ‌ଏହାର ପରିଚାଳନାର ମଙ୍ଗ ଧରିଥିବା ବିଏମ୍‌ସି ଏସବୁ ସମସ୍ୟା ପ୍ରତି ଆଖି ବୁଜି ଦେଇଛି। ସମାଧାନ ତ ଦୂରର କଥା ଦୀର୍ଘଦିନ ହେବ ମାର୍କେଟ୍‌କୁ ସୁଧାରିବାକୁ ଆନ୍ତରିକତା ମଧ୍ୟ ଦେଖାଉନାହିଁ। କେବଳ ପରିସରରୁ ଅଳିଆ ସଫା କରିଦେଇ ଦାୟିତ୍ବ ସାରି ଦେଉଛି। ମାର୍କେଟ୍‌ ବିଲ୍‌ଡିଂ ପରିସରରେ ୨ଶହରୁ ଅଧିକ‌ ଛୋଟ‌ବଡ଼ ଦୋକାନ ସହ ନାମୀ ସୋରୁମ୍‌ ରହିଛି। ତେଣୁ ସକାଳୁ ରାତି ଯାଏଁ ଏ ବଜାର ଚଳଚଞ୍ଚଳ ରୁହୁଛି। ମାତ୍ର ଏହି ମାର୍କେଟ୍‌କୁ ଯଦି କେହି ବାହାରୁ ଆସୁଥିବ, ଏହା ଯେ ସ୍ମାର୍ଟସିଟିର ଅଂଶବିଶେଷ ତାହା ଦେଖି ସେ ନିଶ୍ଚେ ଉପହାସ କରିବ।

ଚରିଗଲାଣି ଗଛ

ମାର୍କେଟ୍‌ ବିଲ୍‌ଡିଂ ପରିସରର ଥିବା ପୁରୁଣା ବିଲ୍‌ଡିଂ ଦୀର୍ଘବର୍ଷ ହେବ ମରାମତି ହୋଇନାହିଁ। ତେଣୁ କିଛିଦିନ ହେବ ଏହି ବିଲ୍‌ଡିଂ ଉପରେ ଗଛ ମାଡ଼ିଗଲାଣି। କାନ୍ଥରେ ବରଗଛ ଉଠି ଚେର ଚରିଗଲାଣି। ଅଥଚ ଏସବୁକୁ ଦେଖି ବି ଅଣଦେଖା କରିଚାଲିଛି ପ୍ରଶାସନ। ବାହାରପଟକୁ ସବୁ ଚକାଚକ ଦେଖାଯାଉଥିଲେ ହେଁ ହେୟ ଜ୍ଞାନ ଯୋଗୁଁ ବୃହତ୍‌ ଦ୍ରୁମ ବିଲ୍‌ଡିଂର କାନ୍ଥକୁ ଧୀରେଧୀରେ କ୍ଷତି ପହଞ୍ଚାଇ ଚାଲିଛି। ମାର୍କେଟ୍‌ ପରିସରରେ ଏକ ବିରାଟ ପାଣି ଟାଙ୍କି ତ ଅଛି, କିନ୍ତୁ ଏଥିରେ ଦୀର୍ଘଦିନ ହେବ ପାଣି ଆସୁନାହିଁ। ସେଇ ଟାଙ୍କି ଅନେକ ଦିନ ଧରି ସଫା ‌ମଧ୍ୟ ହୋଇନାହିଁ।

ଉଭେଇଗଲାଣି ସୌନ୍ଦର୍ଯ୍ୟ

ମାର୍କେଟ୍‌ ପରିସର‌କୁ ସୌନ୍ଦର୍ଯ୍ୟରେ ଦ୍ବିଗୁଣିତ କରୁଥିବା ଫାଉଣ୍ଟେନ୍‌ କେବେଠୁ ଅଚଳ ପଡ଼ିଛି। ଫାଉଣ୍ଟେନ୍‌ ପରିସର ଡମ୍ପିଂ ପାଲଟିଯାଇଛି। କେବେ ଚାଲିଥିଲା କାହାର ମନେ ନାହିଁ। ସେହିଭଳି ମାର୍କେଟ୍‌ ପରିସରରେ ସୁସଜ୍ଜିତ ବିଦ୍ୟୁତ ଖୁଣ୍ଟି ମାର୍କେଟ୍‌ର ଶୋଭା ବଢ଼ାଉଥିଲେ ହେଁ, କେତେକ ଖୁଣ୍ଟରୁ ଲାଇଟ୍‌ ଉଭାନ ହୋଇଯାଇଛି। କିଛି ସ୍ଥାନରେ ଲାଇଟ୍‌ ଗୁଡ଼ିକ ଭାଙ୍ଗିରୁଜି କଦର୍ଯ୍ୟ ଦେଖାଯାଉଛି। ପୁଣି ମାର୍କେଟ୍‌ ମଧ୍ୟ ଭାଗରେ ଫୁଲ ଗଛ ଓ ସାଜସଜା ଗଛ ଲଗାଇ ସୁନ୍ଦର କରିବାକୁ ଚେଷ୍ଟା କରାଯାଇଥିଲେ ହେଁ, କେତେକ ଗଛ ଋଗ୍‌ଣ ହୋଇଗଲାଣି ତ ଆଉ କେତେକ ଗଛର କୁଣ୍ଡ ଭାଙ୍ଗିରୁଜି ଗଲାଣି।

ସାଂଘାତିକ ହେଇପାରେ ମୁକୁଳା ଟ୍ରାନ୍ସଫର୍ମର

ମାର୍କେଟ୍‌ ପଛ ପାର୍ଶ୍ବରେ ହେଭିୱେଟ୍‌ ଟ୍ରାନ୍ସଫର୍ମର ସ୍ଥାପନ ହୋଇଛି। ବଡ଼ବଡ଼ ସୋ ରୁମ୍‌ ଥିବାରୁ ଉଭୟ ପାର୍ଶ୍ବରେ ଛୋଟବଡ଼ ହୋଇ ୧୦ରୁ ଅଧିକ ଟ୍ରାନ୍ସଫର୍ମର ରହିଛି। କିନ୍ତୁ ‌ସବୁଗୁଡ଼ିକ ମୁକୁଳା ଅବସ୍ଥାରେ ରହିଛି। ଏହି ଟ୍ରାନ୍ସଫର୍ମର ନିକଟରେ ବ୍ୟବସାୟୀମାନେ ପାର୍କିଂ କରୁଛନ୍ତି। ପୁଣି ଏହା ଅଘୋଷିତ ମୁତ୍ରାଗାର ପାଲଟିଛି। ଟିକେ ଅସାବଧାନ ହେଲେ ମୁକୁଳା ଟ୍ରାନ୍ସଫର୍ମର ପ୍ରାଣ ନେଇଯିବାର ସମ୍ଭାବନା ରହିଛି। ଟ୍ରାନ୍ସଫର୍ମରକୁ ଯାଇଥିବା ରାସ୍ତା ଏତେ ସଂକୀର୍ଣ୍ଣ ଯେ ଯଦି ଏଠାରେ କୌଣସି କାରଣବଶତଃ ସର୍ଟସର୍କିଟ୍‌ ହୁଏ ତେବେ ଟ୍ରାନ୍ସଫର୍ମର ନିକଟ ଯାଏଁ ଅଗ୍ନିଶମ ଗାଡ଼ି ବି ପହଞ୍ଚିପାରିବ ନାହିଁ।

ସମ୍ବନ୍ଧିତ ଖବର