ରାଜଧାନୀରେ ବାଲ୍ୟବିବାହ: ଚାଇଲ୍ଡଲାଇନ୍‌ ଦ୍ୱାରା ନାବାଳିକା ଉଦ୍ଧାର

ଆଗାମୀ ନଭେମ୍ବର ୧୯ରେ ହୋଇଥାନ୍ତା ବାହାଘର

ଭୁବନେଶ୍ୱର: ପରିବାର ଲୋକଙ୍କ ଦ୍ୱାରା ଜୋର ଜବରଦସ୍ତ ବିବାହ କରାଯାଉଥିବା ଜଣେ ନାବାଳିକାଙ୍କୁ ଚାଇଲ୍ଡଲାଇନ୍‌ ପକ୍ଷରୁ ବୁଧବାର ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଶିଶୁ କଲ୍ୟାଣ କମିଟି ଠାରୁ ବିଶେଷ ରୂପେ ସୂଚନା ମିଳିବା ପରେ ଚାଇଲ୍ଡଲାଇନ୍‌ର କର୍ମଚାରୀମାରେ ନାବାଳିକାଙ୍କୁ ବାଣୀବିହାର ଅଞ୍ଚଳରୁ ଉଦ୍ଧାର କରିଛନ୍ତି। ଏହି ୧୫ ବର୍ଷୀୟ ଝିଅର ବାହାଘର ଆଗାମୀ ନଭେମ୍ବର ୧୯ରେ ସମ୍ପନ୍ନ ହେବାର ଥିଲା। ଏଥିପାଇଁ ନିମନ୍ତ୍ରଣ ପତ୍ର ବଣ୍ଟା ସରିଥିବା ବେଳେ, ବିବାହକୁ ନେଇ ପରିବାର ଲୋକେ ଜୋରଦାର ପ୍ରସ୍ତୁତି ଚଳାଇଥିଲେ।

ବିବାହ ଭୋଜିର ଆୟୋଜନ ପାଇଁ ଟେଣ୍ଟ ହାଉସ୍‌ ଅଗ୍ରୀମ ଦିଆ ସରିଥିଲା। ଝିଅକୁ ଯୌତୁକ ଦେବା ପାଇଁ ଅନେକ ନିତ୍ୟ ବ୍ୟବହାର୍ଯ୍ୟ  ସାମଗ୍ରୀ କିଣା ସରିଥିଲା। ସେହିପରି ପରିବାରର ଅତି ଘନିଷ୍ଠ ଲୋକେ ଆସିବା ଆରମ୍ଭ କରି ଦେଇଥିବା ବେଳେ ଚାଇଲ୍ଡ ଲାଇନର କର୍ମଚାରୀମାନେ ଝିଅକୁ ନେଇଯାଇଛନ୍ତି। ଶିଶୁ କଲ୍ୟାଣ ସମିତିର ନିର୍ଦ୍ଦେଶରେ ବର୍ତମାନ ନାବାଳିକାକୁ ବିଶ୍ୱ ଜୀବନ ମୁକ୍ତ ଆଶ୍ରୟସ୍ଥଳୀରେ ରଖାଯାଇଛି।

କେମିତି ଚାଲିଛି ‘ବେଟି ବଚାଓ, ବେଟି ପଢ଼ାଓ ଅଭିଯାନ’

ମହିଳା ଶିକ୍ଷା ହାର ବଢ଼ାଇବା ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାର ‘ବେଟି ବଚାଓ, ବେଟି ପଢ଼ାଓ ଅଭିଯାନ’ ଆରମ୍ଭ କରିଛନ୍ତି। ଏହି ଯୋଜନାକୁ ସଫଳ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଯୋଜାନର ସଫଳ ରୂପାୟନ ହୋଇ ପାରୁ ନଥିବାରୁ ଲକ୍ଷ ଲକ୍ଷ ଝିଅ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି। ବୁଦ୍ଧିଜୀବୀଙ୍କ କହିବା ଅନୁସାରେ ସରକାରୀ ଯୋଜନା ଲାଗୁ କରିବା ପୂର୍ବରୁ ସଚେତନତା ବାର୍ତ୍ତାର ଅଭାବ ପରିଲକ୍ଷିତ ହେଉଛି। ଯାହା ଫଳରେ ବାଲ୍ୟ ବିବାହ ଭଳି ଘଟଣା ଘଟିଚାଲିଛି। 

ରାଜ୍ୟର ସର୍ବପୁରାତନ ତଥା ଦେଶର ଜଣାଶୁଣା ବିଶ୍ୱବିଦ୍ୟାଳୟ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ ପାଚେରୀ ବାହାର ପାଖରେ ଶହ ଶହ କୁଡ଼ିଆ ଘର ରହିଛି। ଏଠାରେ ରହୁଥିବା ଗରିବ ପରିବାରରେ ରହନ୍ତି ଶହ ଶହ ବାଳିକା। ଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁ ଏହି ନାବାଳିକାମାନଙ୍କୁ ପ୍ରାପ୍ତ ବୟସ ପୂର୍ବରୁ ବିବାହ କରି ଦିଆଯାଉଛି। ଅନେକ ଘଟଣା ଲୋକଲୋଚନକୁ ଆସୁ ନ ଥିବା ବେଳେ  ବହୁତ କମ୍‌ ଘଟଣାକୁ ଶିଶୁ କଲ୍ୟାଣ ସମିତି ଜାଣି ପାରୁଛି।

ସମ୍ବନ୍ଧିତ ଖବର