ଆଜିଠୁ ରାଜଧାନୀରେ ମିସନ୍‌ ଇନ୍ଦ୍ରଧନୁଷ

ସପ୍ତାହର ୭ଦିନ, ୪ମାସ ପର୍ଯ୍ୟନ୍ତ ଚାଲିବ ଟିକାକରଣ

ଭୁବନେଶ୍ୱର : ଶନିବାରଠାରୁ ବିଏମ୍‌ସି ଅଞ୍ଚଳରେ ଆରମ୍ଭ ହେବାକୁ ଯାଉଛି ମିସନ ଇନ୍ଦଧନୁଷ କାର୍ଯ୍ୟକ୍ରମ। ଆସନ୍ତା ୪ମାସ ପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟକ୍ରମ ଚାଲିବ। ସହରାଞ୍ଚଳରେ ଯେଉଁ ଶିଶୁ ଓ ଗର୍ଭବତୀ ମହିଳା ଟିକାକରଣରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଏଥର ଟିକାକରଣ ଓ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ସାମିଲ ହେଉ ନ ଥିବା ଜଣାପଡ଼ିଛି। ଦୀର୍ଘ ୨୦ଦିନରୁ ଅଧିକ ହେବ ଅଙ୍ଗନବାଡ଼ି କର୍ମୀଙ୍କ ଲୋୟର ପିଏମ୍‌ଜିରେ ଧାରଣା ଜାରି ରହିଥିବାରୁ ସେମାନେ ଏଥିରେ ସାମିଲ ହୋଇ ନାହାନ୍ତି।

ସୂଚନା ଅନୁଯାୟୀ, ପୂର୍ବରୁ ଅନୁଷ୍ଠିତ ହୋଇଥିବା ମିସନ ଇନ୍ଦ୍ରଧନୁଷରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଓ ଭୁବନେଶ୍ୱର ସହରାଞ୍ଚଳରେ ୭୦ପ୍ରତିଶତରୁ କମ୍‌ ଟିକାକରଣ ହୋଇଥିବା ଜଣାପଡ଼ିଥିଲା। ଏନ୍‌ଏଫ୍‌ଏଚ୍‌ଏସ୍‌, ଡବ୍ଲ୍ୟୁଏଚ୍‌ଓ ଓ ଏନ୍‌ଏମ୍‌ଆଇଏସ୍‌ ପକ୍ଷରୁ ହୋଇଥିବା ମିଳିତ ସର୍ବେକ୍ଷଣରେ ପେଣ୍ଟାଭାଲେଣ୍ଟ ଓ ଡିପିଟିର ତୃତୀୟ ଡୋଜ୍‌ ଏହି ଦୁଇଟି ସ୍ଥାନରେ କମ୍‌ ହୋଇଥିବା ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଥିଲା। ବିଏମ୍‌ସି ଅଞ୍ଚଳରେ ୫୬ପ୍ରତିଶତ ଟିକାକରଣ ରେକର୍ଡ କରାଯାଇଥିଲା। ତେଣୁ ଟିକାକରଣ ମାତ୍ରାକୁ ୯୦ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ମିସନ୍‌ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଆସନ୍ତାକାଲିଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ୧୦, ୧୨, ୧୩, ୧୬, ୧୭ ଓ ୨୦ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଟିକାକରଣ କରାଯିବ। ପ୍ରତିମାସର ୭ଦିନ ପର୍ଯ୍ୟନ୍ତ ଏହି ଟିକାକରଣ କରାଯିବା ସହିତ ଆସନ୍ତା ଜାନୁଆରି ମାସ ପର୍ଯ୍ୟନ୍ତ ଏହା ଚାଲିବ। ପ୍ରତି ବୁଧବାର ଓ ଛୁଟିଦିନ ଗୁଡ଼ିକରେ ଟିକାକରଣ କରାଯିବ ନାହିଁ। ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ବିଏମ୍‌ସି ଅଞ୍ଚଳରେ ପୂର୍ବରୁ ଯେତିକି ପରିମାଣର ଟିକାଦିନ ରେକର୍ଡ କରାଯାଇଛି ତାହା କେବଳ ବସ୍ତି ଅଞ୍ଚଳର। ବିଭିନ୍ନ ଘରୋଇ ହସ୍ପିଟାଲରେ କେତେ ପରିମାଣର ଟିକାଦିନ ହୋଇଛି ତାହାର ରେକର୍ଡ ସରକାରଙ୍କ ନିକଟରେ ନାହିଁ। ତେଣୁ ଚଳିତବର୍ଷ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବିଏମ୍‌ସି ଅଞ୍ଚଳରେ ପ୍ରତ୍ୟେକ ଘରର ସର୍ବେକ୍ଷଣ କରାଯାଇଥିଲା।

ବିଏମ୍‌ସି ଅଞ୍ଚଳରେ ୧କୋଟି ୯୮ହଜାର ୨୫୭ ପରିବାର ରହୁଛନ୍ତି। ଗତମାସ ୧ତାରିଖରୁ ଏଥିପାଇଁ ଘରକୁ ଘର ସର୍ବେକ୍ଷଣ ଆରମ୍ଭ ହୋଇଛି। ଚଳିତମାସ ୪ତାରିଖ ପର୍ଯ୍ୟନ୍ତ ୧କୋଟି ୩୭ହଜାର ଘରର ସର୍ବେକ୍ଷଣ ହୋଇପାରିଛି। ଆଗକୁ ମଧ୍ୟ ଏହି ସର୍ବେକ୍ଷଣ ଜାରି ରହିବ। ପ୍ରଥମଥର ଲାଗି ବସ୍ତି ଅଞ୍ଚଳକୁ ବାଦ୍‌ ଅନ୍ୟ ଘରଗୁଡ଼ିକର ସର୍ବେକ୍ଷଣ କରାଯାଇଛି। ବିଏମ୍‌ସି ଅଞ୍ଚଳରେ ୭୯ ଏଏନ୍‌ଏମ୍‌, ୧୬୫ ଆଶା କର୍ମୀ ଓ ପ୍ରାୟ ୩୫୦ ଅଙ୍ଗନବାଡ଼ି କର୍ମୀ ରହିଛନ୍ତି। ତେବେ ଅଙ୍ଗନବାଡ଼ି କର୍ମୀମାନେ ସର୍ବେକ୍ଷଣ କାର୍ଯ୍ୟରେ ସାମିଲ ନ ହେବା ଯୋଗୁଁ ସର୍ବେକ୍ଷଣ କାର୍ଯ୍ୟରେ ବାଧା ଉପୁଜିଛି। କେବଳ ସର୍ବେକ୍ଷଣ ନୁହେଁ, ଟିକାକରଣ କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ସାମିଲ ହେଉ ନ ଥିବା ସ୍ପଷ୍ଟଭାବେ କହିଛନ୍ତି। ତେଣୁ କେବଳ ଏଏନ୍‌ଏମ୍‌ ଓ ଆଶା କର୍ମୀଙ୍କ ଜରିଆରେ ଟିକାକରଣ କାର୍ଯ୍ୟ ଜାରି ରହିବ। ୨୦୧୮ ଡିସେମ୍ବର ପର୍ଯ୍ୟନ୍ତ ୯୦ପ୍ରତିଶତ ଟିକାକରଣ ଲକ୍ଷ୍ୟ ରଖାଯାଇ ଥିବାରୁ ଏହି ସଂଖ୍ୟାକୁ ହାସଲ କରିବା ପାଇଁ ସମସ୍ତ ଉଦ୍ୟମ କରାଯାଉଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର