ଭଙ୍ଗା ହେବ ଅଧା ବିଧାୟକ କ୍ୱାର୍ଟର୍ସ : ନିର୍ମାଣ ହେବ ବହୁତଳ ବିଶିଷ୍ଟ କ୍ୱାର୍ଟର୍ସ

ଦିଲ୍ଲୀରେ ସାଂସଦଙ୍କ ପାଇଁ ନିର୍ମାଣ ହେଉଥିବା ଫ୍ଲାଟ୍ ଭଳି ହେବ

ଭୁବନେଶ୍ବର : ରାଜଧାନୀରେ ନିର୍ବାଚିତ ବିଧାୟକଙ୍କୁ ସରକାରୀ କ୍ୱାର୍ଟର୍ସ ଯୋଗାଇବା ଏବେ ରାଜ୍ୟ ସରକାରଙ୍କ ପାଇଁ ଚାଲେଞ୍ଜ ହୋଇଯାଇଛି। ବହୁ ପୂର୍ବତନ ମନ୍ତ୍ରୀ, ବିଧାୟକ, ରାଜନେତା ଓ ଅଧିକାରୀ ସରକାରୀ କ୍ବାର୍ଟର୍ସ ଛାଡ଼ୁ ନଥିବାରୁ ନିର୍ବାଚିତ ହୋଇ ଆସୁଥିବା ବିଧାୟକମାନଙ୍କୁ ସରକାର ସଙ୍ଗେସଙ୍ଗେ କ୍ବାର୍ଟର୍ସ ଯୋଗାଇ ପାରୁନାହାନ୍ତି। ତେଣୁ ରାଜଧାନୀରେ ଥିବା ବିଧାୟକ କ୍ବାର୍ଟର୍ସ ଭିତରୁ ଅଧା କ୍ବାର୍ଟର୍ସ ଭାଙ୍ଗି ସେଠାରେ ବହୁତଳ କୋଠା ବିଶିଷ୍ଟ କ୍ବାର୍ଟର୍ସ ନିର୍ମାଣ କରିବାକୁ ଯୋଜନା ହୋଇଛି।

ନିକଟରେ ବିଧାନସଭା ନବୀକରଣ ନେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଛି। ରାଜଧାନୀରେ ୧୪୭ଟି ବିଧାୟକ କ୍ବାର୍ଟର୍ସ ଥିବା ବେଳେ ଏଥିରୁ ଅଧା କ୍ବାର୍ଟର୍ସକୁ ଭାଙ୍ଗି ସେଠାରେ ବହୁତଳ ବିଶିଷ୍ଟ କ୍ବାର୍ଟର୍ସ ନିର୍ମାଣ କରିବାକୁ ବାଚସ୍ପତି କହିଛନ୍ତି। କେଉଁ କ୍ବାର୍ଟର୍ସ ଭଙ୍ଗାଯିବ, କେତେ ଟଙ୍କା ଖର୍ଚ୍ଚ ହେବ, କ’ଣ କ’ଣ ସୁବିଧା ସୁଯୋଗ ରହିବ, ସେନେଇ ଏକ ଡିପିଆର୍‌ ପ୍ରସ୍ତୁତ କରିବାକୁ ମୁଖ୍ୟଯନ୍ତ୍ରୀ (କୋଠା ବାଡ଼ି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ଏମ୍‌ଏଲ୍‌ଏ କଲୋନିରେ ଥିବା (ରାଜ୍ୟ ଅତିଥି ଭବନ ସମ୍ମୁଖ) ଗୋଟିକିଆ କ୍ବାର୍ଟର୍ସଗୁଡ଼ିକୁ ଭାଙ୍ଗି ସେଠାରେ ବହୁତଳ କ୍ବାର୍ଟର୍ସ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏଠାରେ ପ୍ରାୟ ୬୦ରୁ ଅଧିକ ଗୋଟିକିଆ କ୍ବାର୍ଟର୍ସ ଥିବା ବେଳେ ଏହାକୁ ଭାଙ୍ଗିବାକୁ ଯୋଜନା ହେଉଛି। ନୂଆଦିଲ୍ଲୀରେ ସାଂସଦମାନଙ୍କୁ ଫ୍ଲାଟ୍ ଯୋଗାଇବା ଯୋଜନା ଭଳି ଏଠାରେ ବିଧାୟକଙ୍କୁ ଫ୍ଲାଟ୍ ଦେବାକୁ ଯୋଜନା ହୋଇଛି।

ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୟୁନିଟ-୪ରେ ଏବେ ଯେପରି କିଛି ଫ୍ଲାଟ୍ ଭଳି ବିଧାୟକ କ୍ବାର୍ଟର୍ସ ଅଛି, ସେହିପରି ନୂଆ କ୍ବାର୍ଟର୍ସଗୁଡ଼ିକ ନିର୍ମାଣ କରାଯିବ। ଏଠାରେ ୫ରୁମ୍ ବିଶିଷ୍ଟ କ୍ବାର୍ଟର୍ସ, ଲବି, ଅତ୍ୟାଧୁନିକ ଲିଫ୍‌ଟ ଆଦି ରହିବ। କେବଳ ଏତିକି ନୁହେଁ, ଏହା ଭିତରେ ବଡ଼ ପାର୍କ, ଚାଲିବା/ଦଉଡ଼ିବା ପାଇଁ ରନିଙ୍ଗ୍ ଟ୍ରାକ୍, ଫୁଲ ବଗିଚା, ସୁଇମିଂ ପୁଲ୍‌, ଜିମ୍‌, କାଫେଟେରିଆ, ପିଲାଙ୍କ ପାଇଁ ଖେଳିବା ସ୍ଥାନ ଆଦି ରହିବ।

ଏହାବାଦ୍ ବିଧାୟକଙ୍କୁ ଦେଖା କରିବାକୁ ଆସୁଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର ରୁମ୍, ସମ୍ମିଳନୀ କକ୍ଷ, ଗେଷ୍ଟ ହାଉସ୍ ଆଦି ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।

ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଧାୟକ କ୍ବାର୍ଟର୍ସଗୁଡ଼ିକର ମରାମତି ବାବଦକୁ ବାର୍ଷିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବହୁ ବିଧାୟକ କ୍ବାର୍ଟର୍ସଗୁଡ଼ିକର ସମ୍ପ୍ରସାରଣ କରୁଥିବାରୁ ଏହି ଅଞ୍ଚଳରେ ‌ଆଉ ଖୋଲା ସ୍ଥାନ ରହୁନାହିଁ। ଏହାବାଦ୍ ବିଧାୟକ କ୍ବାର୍ଟର୍ସଗୁଡ଼ିକ ଗୋଟିକିଆ ଘର ହେଉଥିବାରୁ ଏଠାକୁ ବହୁ ଅପରିଚିତ ବ୍ୟକ୍ତି ଆସି ବିଭିନ୍ନ ପ୍ରକାରର ଅସାମାଜିକ କାମ କରୁଛନ୍ତି। ତେଣୁ ବିଧାୟକ ଏବଂ ସେମାନଙ୍କ ପରିବାରର ସୁରକ୍ଷା ଦୃଷ୍ଟିରୁ ଫ୍ଲାଟ୍ କ୍ବାର୍ଟର୍ସଗୁଡ଼ିକ ଅଧିକ ଉପଯୋଗୀ ହେବ।

ସମ୍ବନ୍ଧିତ ଖବର