ମା’ ମୁଁ ଘରକୁ ଯିବି ଲୋ…

ଭୁବନେଶ୍ୱର: ମଣିଷ ଯେବେ ଅଲୋଡ଼ା ହୋଇଯାଏ ସେତେବେଳେ ସେ କାହାର ବି ହୋଇପାରେନା। ନା ପରିବାରର ହୁଏ ନା ସମାଜର। ଏହା ହିଁ  ସମାଜର ବିଡ଼ମ୍ବନା। ଏମିତି ଏକ ଅଭାଗା ହେଉଛି ଅରୁଣ। ବୟସ ପ୍ରାୟ ୨୦ ଛୁଇଁବଣି। ମାତ୍ର ନା ସେ କଥା କହିପାରୁଛି ନା କିଛି କହିଲେ ଶୁଣିପାରୁଛି। ଦେଖିପାରୁନିି କି ସ୍ପଷ୍ଟ ଲେଖି ଠଉରେଇ ବି ପାରୁନି। ଆଖି-କାନ-ପାଟି କିଛି ବି କାମ କରୁନି। ଏଣେ ଦେହ ସାରା ଛଉ ମାଡ଼ି ଯାଇଛି। ଗତ ସେପ୍ଟେମ୍ବର ମାସ ୧୩ ତାରିଖରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ଓହ୍ଲାଇବା ପରେ ଏଣେତେଣେ ଅଣ୍ଡାଳି ହେଉଥିବା ବେଳେ ତାକୁ ଉଦ୍ଧାର କରି ବରମୁଣ୍ଡା ସହର ଆଶ୍ରୟସ୍ଥଳୀକୁ ନେଇ ଆସିଥିଲେ ବିଜୟ କୁମାର ବେହେରା। ଯେବେଠୁ ସେ ଆଶ୍ରୟସ୍ଥଳୀକୁ ଆସିଛି ନିଜ ଘରକୁ ଝୁରି ହେଉଛି। କାହା କଥା ମନେ ପଡ଼ିଗଲେ ଭୋ ଭୋ ହୋଇ କାନ୍ଦୁଛି। ଯେମିତି କହୁଛି ମା’ ମୁଁ ଘରକୁ ଯିବି ଲୋ..। ମାତ୍ର ବିଡ଼ମ୍ବନା ଏହି ଯେ ଏଯାଏଁ ତା’ର ଠିକଣା ମିଳିପାରି ନାହିଁ।

ଅରୁଣକୁ ଉଦ୍ଧାର କରାଯିବା ପରେ ସେ ଏବେ ଆଶ୍ରୟସ୍ଥଳୀରେ ଦିନ କାଟୁଛି। ତେବେ ଆଂଶିକ ଦୃଷ୍ଟିହୀନ ହୋଇଥିଲେ ହେଁ ତାକୁ ନିଜର ନିତ୍ୟକର୍ମ ପାଇଁ କାହାର ସହଯୋଗ ଲୋଡ଼ା ପଡ଼ୁନି। କେବେ ଯଦି କାଗଜ ଓ କଲମ ଖଣ୍ଡେ ପାଇଯାଉଛି କ’ଣ ଲେଖି ଦେଇ ଠାରରେ କହିବାକୁ ଚେଷ୍ଟା କରୁଛି। ବୋଧେ ତା’ର ଠିକଣା କହୁଛି। ମାତ୍ର ତା’ର ଅସ୍ପଷ୍ଟ ଲେଖା ତା ଠିକଣା ଖୋଜିବାରେ ସହାୟକ ହୋଇପାରିନି। ଢେର୍‌ଦିନ ଧରି ତା ନାଁ ଜଣାପଡ଼ିନଥିଲେ ଏଇ କିଛିଦିନ ହେବ ତା’ ବାମପଟ ଛାତିରେ ଚିତାକୁଟା ନାଁ’ରୁ ତା’ର ନାମ ଅରୁଣ ବୋଲି ଜଣା ପଡ଼ିଛି। ବାସ୍‌ ଏତିକି ହିଁ ତା’ର ପରିଚୟର ସମୁଦାୟ ସମ୍ବଳ। ଆଶ୍ରୟସ୍ଥଳୀ ପରିଚାଳନା କରୁଥିବା ସଂସ୍ଥା ‘ବିକାଶ’ର ସମ୍ପାଦକ ବିବେକ ମିଶ୍ରଙ୍କ ସୂଚନା ମୁତାବକ ଅରୁଣ ଏବେ ବି ତା’ ଘରକୁ ଯିବା ପାଇଁ ବିକଳ ହେଉଥିବା ତା ସ୍ୱଭାବରୁ ଜାଣି ହେଉଛି। କିନ୍ତୁ ତା’ର ଠିକଣା ଯୋଗାଡ଼ କରିବା ଆମ ପକ୍ଷେ ସମ୍ଭବ ହୋଇପାରିନି। ଏଣେ ବିଜୟ ଅରୁଣଠାରୁ ଠାରରେ ଯାହା ବୁଝିଛନ୍ତି,   ତା’ର ରୋଗ ଭଲ ହେବା ପାଇଁ କାଳେ ୧ ଲକ୍ଷ ଟଙ୍କା ଦରକାର ପଡ଼ିଥିିଲା। ତେଣୁ କେହି ଜଣେ ତାକୁ ଆଣି ଏକ ପୋଖରୀ କୂଳରେ ଛାଡ଼ି ଦେଇ ଚାଲିଗଲା। କିନ୍ତୁ କେହି ତାକୁ ଢେର୍‌ ସମୟ ଯାଏଁ ନେବାକୁ ନଆସିବାରୁ ସେ ଏକ ବସ୍‌ରେ ଚଢ଼ିଗଲା। ସେହି ବସ୍‌ରେ ସେ ବରମୁଣ୍ଡା ଯାଏଁ ସିନା ଚାଲି ଆସିଲା ହେଲେ ଏବେ ତା’ ଘରକୁ ଭାଳି ହେଉଛି। ପରିଚାଳକ କେ ସନ୍ତୋଷ କୁମାରଙ୍କ ସୂଚନା ମୁତାବକ ଆମେ ଅରୁଣଙ୍କୁ ତା’ ଘରକୁ ପଠାଇ ଦେବା ପାଇଁ ଉଦ୍ୟମ କରି ତା’ଠୁ ମୋବାଇଲ୍‌ ନମ୍ବର ଲେଖାଇଥିଲୁ। କିନ୍ତୁ ସେ ନମ୍ବରରେ କଲ୍‌ କରିବା ପରେ ସେପଟୁ ରଙ୍ଗ୍‌-ନମ୍ବର କହି କାଟି ଦିଆଯାଇଥିଲା। ତେଣୁ ଅରୁଣର ଅଥୟ ଅବସ୍ଥା ଏବଂ ଘରକୁ ଫେରି ଯିବାର ଇଚ୍ଛା ଥାଇ ମଧ୍ୟ ଆମେ ନାଚାର।

ବାସ୍ତବ କଥା ହେଉଛି, ଭାଗ୍ୟର ବିଡ଼ମ୍ବନା ସିନା ତାକୁ ପଙ୍ଗୁ କରିଦେଲା ହେଲେ ଏଥିରେ ତା’ର ବା ଦୋଷ କ’ଣ ଥିଲା? ଭାଗ୍ୟ ତା ଉପରେ ଦାଉ ସାଧିବ ବୋଲି ସେ କଳ୍ପନା ବି କରିନଥିଲା। ଆଖିକୁ ନଦିଶିଲେ, କାନକୁ ନଶୁଭିଲେ କି ପାଟିରୁ କଥା ନବାହାରିଲେ ବି ସେ ତା ପରିବାର ସହ ବଞ୍ଚି ଯାଉଥିଲା। ଏବେ କିନ୍ତୁ ବଞ୍ଚିବାର ଦୁର୍ବାର ଇଚ୍ଛା ଯୋଗୁଁ ସେ ସିନା ବଞ୍ଚି ରହିଛି, ହେଲେ ତା ବଞ୍ଚିବା କୋଉ ମରଣଠୁ କମ୍‌ କି ?

ସମ୍ବନ୍ଧିତ ଖବର