ରାଜଧାନୀରେ ଚାଞ୍ଚଲ୍ୟ : ଜାମିନଦାରଙ୍କୁ ନିର୍ମମ ହତ୍ୟା, ଜଣେ ଗିରଫ

ଭୁବନେଶ୍ୱର : ଶନିବାର ବିଳମ୍ବିତ ରାତିରେ ବଡ଼ଗଡ଼ ଥାନା ଅଧୀନ ଟଙ୍କପାଣିରୋଡ୍‌ ଚିଲ୍ଲିପୋଖରୀ ଶିବନଗର ବସ୍ତି ନିକଟରେ ଏକ ହତ୍ୟାକାଣ୍ଡ ଘଟିଛି। କିଛି ଦୁର୍ବୃତ୍ତ ଏକ ସରକାରୀ ଜିପ୍‌ରେ ଆସି ଏଭଳି କାଣ୍ଡ ଘଟାଇଛନ୍ତି। ଦୁର୍ବୃତ୍ତମାନଙ୍କ ସଂଘବଦ୍ଧ ଆକ୍ରମଣରେ ଦୁଃଶାସନ ମହାନ୍ତି (୬୨) ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଦୁଃଶାସନ ପେସାରେ ଜଣେ ଜାମିନଦାର। ବିଭିନ୍ନ ଆପରାଧିକ ମାମଲାରେ ଗିରଫ ଅଭିଯୁକ୍ତଙ୍କ ପାଇଁ ସେ ଜାମିନଦାର ହେଉଥିଲେ। ଏହି ଘଟଣାରେ ପୁଲିସ ଆଜି ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ବିକ୍ରମ କେଶରୀ ପରିଡ଼ା। ଘର ସହିଦନଗର ଅଞ୍ଚଳରେ। ଆଉ ୨ଜଣ ଯୁବକଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି। ଘଟଣାସ୍ଥଳରୁ ପୁଲିସ ଏକ ଜିପ୍‌ ମଧ୍ୟ ଜବତ କରିଥିବା ଜଣାପଡ଼ିଛି। ତେବେ ଦୁଃଶାସନଙ୍କ ହତ୍ୟାର କାରଣ କ’ଣ, ସେ ନେଇ ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୁଲିସ ଲକ୍ଷ୍ମୀସାଗର ଓ ସହିଦନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଆଜି କ୍ୟାପିଟାଲ ହସ୍ପିଟାଲରେ ଦୁଃଶାସନଙ୍କ ମୃତଦେହର ବ୍ୟବଚ୍ଛେଦ କରାଯାଇଛି। ତାଙ୍କ ମୁଣ୍ଡ ପଛପଟେ ଶକ୍ତ ଆଘାତ ଲାଗିବା କାରଣରୁ ତାଙ୍କ ମୃତ୍ୟୁ ଘଟିଛି ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

ପୁଲିସ ସୂଚନା ଅନୁଯାୟୀ, ଶନିବାର ରାତିରେ କେତେକ ଦୁର୍ବୃତ୍ତ ଏକ ଜିପ୍‌ ଯୋଗେ ଆସି ଦୁଃଶାସନଙ୍କ ପୁଅ ଧୀରେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ ପୁଅକୁ ବଞ୍ଚାଇବାକୁ ଯାଇ ଦୁଃଶାସନଙ୍କ ପ୍ରାଣ ଯାଇଛି ବୋଲି ପରିବାର ଲୋକ କହୁଥିବା ବେଳେ ଏହା ପଛରେ ଅନ୍ୟ କିଛି କାରଣ ରହିଛି ବୋଲି ପୁଲିସ ସନ୍ଦେହ କରୁଛି। ଆକ୍ରମଣର ଶିକାର ଧୀରେନ୍ଦ୍ରଙ୍କୁ ଏକ ଘରୋଇ ହସ୍‌ପିଟାଲରେ ଭର୍ତି କରାଯାଇଛି। ତେବେ ସଂଘର୍ଷରେ ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଥିବା ଜଣେ ଯୁବକଙ୍କ ସହ ମୋଟ ୨ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ମୁତାବକ, ଦୁଃଶାସନ ଜଣେ ଜାମିନଦାର। କାହାକୁ ଜାମିନ ଦରକାର ହେଲେ ନିଜେ ଜାମିନଦାର ହେଉଥିବା ବେଳେ ଅନେକ ସମୟରେ ଜାମିନଦାର ଯୋଗାଡ଼ ମଧ୍ୟ କରନ୍ତି। ଅଧିକାଂଶ ସମୟ ତାଙ୍କର କୋର୍ଟ ପରିସରରେ ହିଁ କଟିଥାଏ। ଶନିବାର ରାତି ପ୍ରାୟ ଗୋଟାଏ ବେଳେ ତାଙ୍କର ୬ ପୁଅଙ୍କ ମଧ୍ୟରୁ ଧୀରେନ୍ଦ୍ର ବାହାରେ ଛିଡ଼ା ହୋଇଥିଲେ। ପାଖରେ ତାଙ୍କର କାର୍‌ ପାର୍କିଂ ହୋଇଥିଲା। ୪ଜଣ ଯୁବକ ଆସିଥିବା ଖୋଲା ଜିପ୍‌ (ଓଆର୍‌-୦୨ଏନ୍‌-୯୨୦୦)କୁ ବୁଲାଉଥିଲେ। ଗାଡ଼ି ଯେଭଳି ନ ବାଜିବ, ସେଥିପାଇଁ ଧୀରେନ୍ଦ୍ର ଯୁବକମାନଙ୍କୁ ତାଗିଦ୍‌ କରିଥିଲେ। ଏହି ତାଗିଦାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗାଡ଼ି ହଟାଇଲେ ଯୁବକମାନେ ଗାଡ଼ି ବୁଲାଇବେ ବୋଲି ଜିଦ୍‌ ଧରିଥିଲେ। ଧୀରେନ୍ଦ୍ର ବି ନଛୋଡ଼ବନ୍ଧା ଥିଲେ। ବଚସା ଉଗ୍ରରୂପ ନେବା ପରେ ଯୁବକମାନେ ଲୁହାରଡ୍‌ ବାହାର କରି ଧୀରେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ। ଧୀରେନ୍ଦ୍ର ବି ତାଙ୍କୁ ପିଟିଥିଲେ। ଉଭୟଙ୍କ ମଧ୍ୟରେ ସଂଘର୍ଷ ହେବା ଦେଖି ଦୁଃଶାସନ ଘରୁ ବାହାରକୁ ଦୌଡ଼ି ଆସିଥିଲେ। ତାଙ୍କ ଦେହରେ ବି ରଡ୍‌ ପାହାର ବାଜିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଧୀରେନ୍ଦ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲ ନିଆଯାଇଥିଲା। ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍‌ପିଟାଲ ନିଆଯାଇଥିଲା। ଘରୋଇ ହସ୍‌ପିଟାଲରେ ଥିବା ଯୁବକଙ୍କୁ ପୁଲିସ୍‌ ଅଟକ ରଖିିବା ବେଳେ ତାଙ୍କର ଅନ୍ୟ ଜଣେ ବନ୍ଧୁଙ୍କୁ ମଧ୍ୟ ଅଟକ ରଖିଛି। ଅନ୍ୟଜଣେ ଦୁର୍ବୃତ୍ତ ଫେରାର୍‌ ଥିବାରୁ ମୋବାଇଲ ଫୋନ୍‌ ଟ୍ରାକିଂ ଜରିଆରେ ତାକୁ ଠାବ ପାଇଁ ଉଦ୍ୟମ ହେଉଥିବା ପୁଲିସ୍‌ କହିଛି। ଆକ୍ରମଣକାରୀ ଯୁବକମାନେ ଲକ୍ଷ୍ମୀସାଗର ହଳଦିପଡ଼ିଆ ବସ୍ତି, ସହିଦନଗର ଅଞ୍ଚଳର ବୋଲି ପୁଲିସ କହିଛି।

ସରକାରୀ ଜିପ୍‌ରେ ଦୁର୍ବୃତ୍ତ!

ପୁଲିସ ଜବତ କରିଥିବା ଖୋଲା ଜିପ୍‌ରେ ଓଡ଼ିଶା ସରକାରଙ୍କ କୃଷି ବିଭାଗ ବୋଲି ଲେଖା ଯାଇଛି। କୃଷି ବିଭାଗ ଗାଡ଼ିକୁ କିଭଳି ଦୁର୍ବୃତ୍ତ ବ୍ୟବହାର କଲେ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ସରକାରୀ ଗାଡ଼ି ବ୍ୟବହାର କରି ଅପରାଧ ଘଟାଇଥିବା ଏହି ଯୁବକମାନେ କିଏ ? ସରକାରୀ ଅଧିକାରୀ ନା ଅଧିକାରୀଙ୍କ ପୁଅ ? ଏ ସବୁକୁ ନେଇ ଏବେ ଆରମ୍ଭ ହୋଇଛି ପୁଲିସର ଖୋଳତାଡ଼।

ଗଣ୍ଡଗୋଳ ପଛରେ ଗଞ୍ଜେଇ

ଗଣ୍ଡଗୋଳ ପଛରେ ଚୋରା ଗଞ୍ଜେଇ କାରବାର ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଯେଉଁଠି ଏହି ଅଘଟଣ ଘଟିଛି ସେଇ ପାଖରେ ବିକ୍ରି ହେଉଛି ଗଞ୍ଜେଇ। ଏକ ପାନ ଦୋକାନରେ ସିଗାରେଟ୍‌ ଜରିଆରେ ଗଞ୍ଜେଇ ବିକ୍ରି ହେଉଛି। ଚଢ଼ଉ ହେଉ ନଥିବାରୁ ନିଶାଡ଼ିଙ୍କ ପାଇଁ ଏହା ଏକ ସୁରକ୍ଷିତ ସ୍ଥାନ ହୋଇଛି। ଏଣୁ ସମଗ୍ର ସହରରୁ ଏଠାକୁ ପ୍ରତ୍ୟେକ ଦିନ ଯୁବକମାନଙ୍କର ଭିଡ଼ ଲାଗୁଛି। ଦୀର୍ଘଦିନ ହେବ ବସ୍ତିବାସିନ୍ଦା ଏହି ବେଆଇନ ଗଞ୍ଜେଇ ଦୋକାନକୁ ବିରୋଧ କରି ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। କିନ୍ତୁ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଯେଉଁଥିପାଇଁ ଏହି ଅଘଟଣ ଘଟିଲା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର