ଭୁବନେଶ୍ୱର : ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟାଭବନ ଆନୁକୂଲ୍ୟରେ ବିଦ୍ୟାଭବନ ପରିସରରେ୧୪୧ତମ ଆଲୋଚନାଚକ୍ର ଅବସରରେ ରାମକୃଷ୍ଣ ପରମହଂସଙ୍କ ବାଣୀକୁ ନେଇ ସ୍ୱାମୀ ଲୋକେଶ୍ୱରାନନ୍ଦଙ୍କ ଦ୍ୱାରା ବଙ୍ଗଳା ଭାଷାରେ ରଚିତ ‘ତବ କଥାମୃତ’ର ଓଡ଼ିଆ ଅନୁବାଦ ଉନ୍ମୋଚନ ହୋଇଛି। ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା ୫ ବର୍ଷ ସମୟ ବ୍ୟୟ କରି ଏହି ୬୦୦ ପୃଷ୍ଠାର ବହିର ଓଡ଼ିଆ ଅନୁବାଦ କରିଛନ୍ତି। ଏଥିସହିତ ‘ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନ’ ଦ୍ୱାରା ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ପୀତବାସ ରାଉତରାୟଙ୍କ ଦ୍ୱାରା ସଂକଳିତ ୧୪ଟି ପୁସ୍ତକକୁ ନେଇ ‘www.jagakalia.in’ େଓ୍ଵବ୍ସାଇଟ୍ ଉନ୍ମୋଚିତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାମକୃଷ୍ଣ ମିସନ୍, ଭୁବନେଶ୍ୱରର ସଚିବ ସ୍ୱାମୀ ଆତ୍ମପ୍ରଭାନନ୍ଦ ପୁସ୍ତକ ଉନ୍ମୋଚନ କରି ରାମକୃଷ୍ଣଙ୍କ ବାଣୀକୁ ଉଦ୍ଧାର କରି କହିଲେ, ସଂପ୍ରତି ସମାଜରେ ଧର୍ମୀୟ ସଦ୍ଭାବନାର ଆବଶ୍ୟକତା ରହିଛି। ଏଥିପାଇଁ ଆମକୁ ଉଦାରମନା ହେବାକୁ ପଡ଼ିବ। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ସମାଜରେ ଥିବା ଅସମାନତାକୁ ରକ୍ଷା କରିବା ପ୍ରକୃତିର କାର୍ଯ୍ୟ। କିନ୍ତୁ ମନୁଷ୍ୟ ନିଜର ଅହଂକାର ବଳରେ ପ୍ରକୃତିର ଏ ସମନ୍ଵୟକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି। ଅହଂକାର ବିରୋଧରେ ସଂଗ୍ରାମ କରିବାର ବାଟ ହେଉଛି ଆଧ୍ୟାତ୍ମିକତା। ଅହଂକାର ହଟିଲେ ହିଁ ଜଣେ କେବଳ ନିଜ କଥା ଚିନ୍ତା ନକରି ଅନ୍ୟମନସ୍କ ହୋଇ ଅନ୍ୟକୁ ସହଭାଗିତାର ହାତ ବଢ଼ାଇପାରିବ।
ଦର୍ଶନଶାସ୍ତ୍ରବିତ୍ ଡ.ଗୌରାଙ୍ଗଚରଣ ନାୟକ କହିଲେ, ସମସ୍ତଙ୍କଠାରେ ଅନନ୍ୟତା ଭରି ରହିଛି। ତାକୁ କେବଳ ଚିହ୍ନିବାର ଆବଶ୍ୟକତା ରହିଛି। ସାତକଡ଼ି ହୋତା ପୁସ୍ତକ ସମ୍ବନ୍ଧରେ ନିଜର ମତ ରଖିଥିବା ବେଳେ ବିଶିଷ୍ଟ ଲେଖକ ସୌରୀବନ୍ଧୁ କର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିିଥିଲେ। ପ୍ରାରମ୍ଭରେ ମଞ୍ଚର ସମ୍ପାଦକ ପୀତବାସ ରାଉତରାୟ ସ୍ୱାଗତ ଭାଷଣ ଦେଇଥିଲେ। ମଞ୍ଚର ଆବାହକ ରମାକାନ୍ତ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।