ନନ୍ଦନକାନନ ଖବର, ‘ଖୁସି’ ପାଇଁ ଖୁସି ଖବର, ମିଳିବ ସାଥୀ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୦୦ ନମ୍ବର ଖୁଆଡ଼‌‌‌‌ରେ ଦୀର୍ଘ ୬ବର୍ଷ କାଳ ରହି ପର୍ଯ୍ୟଟକଙ୍କୁ ମନୋରଞ୍ଜନ କରାଉଛି ଜିରାଫ ‘ଖୁସି’। ‘ଖୁସି’କୁ ୨୦୧୨ ଜୁଲାଇ ୧୧ ତାରିଖରେ ପାଟନା ଚିଡ଼ିଆଖାନାରୁ ସିମ୍ପାଞ୍ଜି କାର୍ତ୍ତିକ ଓ ପୂର୍ଣ୍ଣିମାଙ୍କ ବଦଳରେ ୩ବର୍ଷ ବୟସର ହୋଇଥିବା ଅବସ୍ଥାରେ ଅଣାଯାଇଥିଲା। ଏଠାକୁ ଆସିବାର ସାଢ଼େ ୬ ବର୍ଷ ପରେ ତାକୁ ୧୦ ବର୍ଷ ବୟସ ହୋଇଛି। ସେ ଏବେ ଯୁବତୀ। ଅଥଚ ନନ୍ଦନକାନନ କର୍ତ୍ତୃପକ୍ଷ ତା’ ପାଇଁ ସାଥୀଟିଏ ଯୋଗାଡ଼ କରିପାରିନାହାନ୍ତି। ପାଟନାରେ ତା’ ପରିବାରଠାରୁ ଅଲଗା ହୋଇ ନନ୍ଦନକାନ ଆସିବା ପରେ ସେ ଏକାକୀ ରହିଆସିଛି। ସାଥୀଟିଏ ନ ମିଳିବାରୁ ତା’ ମନ ନିରସ ରହୁଛି। ଅବଶ୍ୟ ନନ୍ଦନକାନନ କର୍ତ୍ତୃପକ୍ଷ ତା’ ଲାଗି ସାଥୀ ଯୋଗାଡ଼ର ପ୍ରୟାସ ଜାରି ରଖିଛନ୍ତି। ୨୦୧୬ ଫେବ୍ରୁଆରି ୨୪ ତାରିଖରେ ଖୁସି ଲାଗି କୋଲକାତା ଅଲୀପୁର ଚିଡ଼ିଆଖାନାରୁ ୪ଟି ବାଘ (୩ଟି ନାଲିବାଘ ଶିଲା, ପାୟଲ, ସ୍ନେହାଶିଷ ଓ ଧଳା ଋଷି) ପ୍ରତିବଦଳରେ ଜିରାଫ ‘ଜୟ’କୁ ଅଣାଯାଇଥିଲା। ଆସିବା ପୂର୍ବରୁ ଜୟ ଟିଙ୍କ କାରଣରୁ ରକ୍ତ ଓ ଲିଭର ସଂକ୍ରମିତ ଥିଲା। ଆସିବାର ୬ ଦିନ ପରେ ଅର୍ଥାତ୍‌ ସେହି ମାସ ୨୯ତାରିଖରେ ତା’ର ମୃତ୍ୟୁ ହୋଇଥିଲା। ଫଳରେ ଖୁସି ପୁଣି ଏକାକୀ ହୋଇଯାଇଥିଲା। ନନ୍ଦନକାନନ କର୍ତ୍ତୃପକ୍ଷ ଚେଷ୍ଟା କଲେ ମଧ୍ୟ କୋଲକାତା କର୍ତ୍ତୃପକ୍ଷ ଜୟର ମୃତ୍ୟୁର କାରଣକୁ ସ୍ବୀକାର କଲେ ନାହିଁ କି ବଦଳରେ ଆଉ ଏକ ଜିରାଫ ଦେଲେ ନାହିଁ। ୨୦୦୮ ମସିହାରେ ସେହି ଅଲୀପୁର ଚିଡ଼ିଆଖାନାରୁ ୨୨ଟି ବିରଳ ଜୀବଜନ୍ତୁଙ୍କ ପ୍ରତିବଦଳରେ ନନ୍ଦନକାନନକୁ ପ୍ରଥମ କରି ଏକ ପ୍ରାପ୍ତବୟସ୍କ ପୁରୁଷ ଜିରାଫ ଅଣାଯାଇଥିଲା। କିନ୍ତୁ ଜିରାଫର ଉଚ୍ଚତା ଯୋଗୁଁ ଆସିବା ବାଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା। କୋଲକାତା ଚିଡ଼ିଆଖାନରୁ ଦୁଇ ଥରଯାକ ଜିରାଫ ଆଣିବା ଅଶୁଭ ହୋଇଥିଲା ଓ ନନ୍ଦନକାନନକୁ ବଡ଼ଧରଣର କ୍ଷତି ସହିବାକୁ ପଡ଼ିଥିଲା।

ତେଣୁ ଏଥର ମହୀଶୂର ଚିଡ଼ିଆଖାନାରୁ ହଳେ ଜିରାଫ ଆଣିବା ଲାଗି ଯୋଜନା ହୋଇଛି। ମହୀଶୂର ଚିଡ଼ିଆଖାନାକୁ ନନ୍ଦନକାନନର କର୍ମଚାରୀ ଗତ ବର୍ଷ ଯାଇ ସେଠାରେ ଥିବା ୮ଟି ଜିରାଫଙ୍କୁ ଦେଖି ଫେରିଥିଲେ। ଏବେ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ ଶୀଘ୍ର ମହୀଶୂର ଚିଡ଼ିଆଖାନାରୁ ୨ରୁ ଅଢ଼େଇ ବର୍ଷ ବୟସ ମଧ୍ୟରେ ହଳେ ଜିରାଫ ଅଣାଯିବାକୁ ନିଷ୍ପତ୍ତି ସରିଛି। ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ କେନ୍ଦ୍ରୀୟ ଚିଡ଼ିଆଖାନା ଗତବର୍ଷ ଚିଠି କରି ସ୍ପଷ୍ଟ ସୂଚନା ଦେଇଥିଲେ। ୧୮ବର୍ଷର ମାଈ ସିମ୍ପାଞ୍ଜି ପୂର୍ଣ୍ଣିମା ତା’ ଜନ୍ମିତ ୫ ବର୍ଷ ବୟସର ମାଈ ଶାବକ ରାକ୍ଷୀଙ୍କୁ ନନ୍ଦନକାନନ କର୍ତ୍ତୃପକ୍ଷ ମହୀଶୂର ଚିଡ଼ିଆଖାନାକୁ ହସ୍ତାନ୍ତର କରି ପ୍ରତିବଦଳରେ ‘ଖୁସି’ ଲାଗି ହଳେ ସମଜାତି ସାଥୀ ଆଣିବେ।

ସମ୍ବନ୍ଧିତ ଖବର