ପ୍ରାକୃତିକ ଚିକିତ୍ସା ଦିବସ: ପ୍ରାକୃତିକ ଚିକିତ୍ସା ଦ୍ବାରା ରୋଗର ଚିକିତ୍ସା ସମ୍ଭବ

ଭୁବନେଶ୍ବର: ପ୍ରାକୃତିକ ଚିକିତ୍ସା ଦ୍ବାରା ସମସ୍ତ ରୋଗର ଚିକିତ୍ସା ସମ୍ଭବ। ବିନା ଔଷଧରେ ପାଣି, ପବନ, ମାଟି, ଆଲୋକ ଓ ଆକାଶ ପ୍ରାକୃତିର ଏହି ୫ଟି ଉପାଦାନ ମଣିଷ ଶରୀରରେ ବ୍ୟାପୁଥିବା ବଡ଼ବଡ଼ ‌ରୋଗକୁ ଭଲ କରିପାରେ। ଆଜି ୟୁନିଟ୍‌-୭ ସ୍ଥିତ ପ୍ରାକୃତିକ ଚିକିତ୍ସା କେନ୍ଦ୍ରରେ ଅନୁଷ୍ଠିତ ପ୍ରାକୃତିକ ଚିକିତ୍ସା ଦିବସରେ ଏହା କହିଛନ୍ତି ଚିକିତ୍ସବିତ୍‌ ଗୁରୁ ଚରଣ ଜେନା। ଉତ୍ସବରେ ଚିକିତ୍ସାବିତ୍‌ ସୁରେନ୍ଦ୍ର ପ୍ରଧାନ ଓ ଦିନେଶ ପ୍ରସାଦ ସ୍ବାଇଁ ଯୋଗଦେଇ କହିଥିଲେ ଯେ, ଆମେ ମାନେ ଆଜିକାଲି ପ୍ରକୃତିର ନିୟମ ବିରୋଧରେ ଯାଉଛନ୍ତି। କାରଣ ଆଜିର ବ୍ୟସ୍ତବହୁଳ ଜୀବନରେ ମଣିଷ ଖାଇବା ପିଇବା, ଶୋଇବାର ସମୟ ଭୁଲିଯାଇଛି। ଆଧୁନିକ ମଣିଷ ପାଇଁ ଖାଇବାର ସମୟ ବଦଳି ଯାଇଛି। ଆଉ ଯେଉଁ ଖାଦ୍ୟ ଖାଉଛି ତାହା ବିଷ ସହ ସମାନ। ସେହିପରି ମଣିଷ ଶରୀର ପାଇଁ ଅତ୍ୟନ୍ତ ଉପାଦେୟ ସୂର୍ଯ୍ୟ କିରଣ ଆଜି ସାତ ସପନ ହୋଇପଡ଼ିଛି। ମଣିଷର ଏଭଳି ପ୍ରକୃତି ବିରୋଧୀ ନିତି ତାକୁ ରୋଗ ମୁହଁକୁ ଟାଣିନେଇଛି। ଚିକିତ୍ସାବିତ୍‌ ଡା. ପ୍ରଜ୍ଞାପରମିତା ରାଉତ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ରୀତାଞ୍ଜଳି ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ପ୍ରକୃତିପ୍ରେମୀ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର