ନାଟ୍ୟଧାରା : ନାଟକ ‘ଆସାମୀ’ର ବାର୍ତା ସ୍ପଷ୍ଟ, ତୀକ୍ଷ୍‌ଣ

ଭୁବନେଶ୍ୱର : ନିଜେ ଧନୀ ହେବା ପାଇଁ କିଛି ଲୋକଙ୍କୁ ଗରିବ ହୋଇ ରଖିବା ପାଇଁ ଯେମିତି ଚକ୍ରାନ୍ତ ଚାଲିଛି। ଏଥିପାଇଁ ଗରିବଙ୍କୁ ଯେନତେନ ପ୍ରକାରେ ବିଷଚକ୍ରରେ ପକାଯାଉଛି। ଏମିତି କି ସାଧାରଣ ଲୋକଙ୍କୁ ନିଜ କାମରେ ଲଗାଇବା ପାଇଁ ନିଶାସକ୍ତ କରାଯାଉଛି। ଏହି ନିଶାର ମୋହ ଭବିଷ୍ୟତରେ ତା’ର ପରିବାରକୁ ଉଜାଡ଼ି ଦେଉଛି। ଏହିଭଳି ଏକ ସ୍ପଷ୍ଟ ଓ ତୀକ୍ଷ୍‌ଣ ବାର୍ତା ଦେଇଥିଲା ଭଂଜ କଳା ମଣ୍ଡପରେ ମଞ୍ଚସ୍ଥ ନାଟକ ‘ଆସାମୀ’।

ଓଡ଼ିଶା ନାଟ୍ୟସଂଘ ଆୟୋଜିତ ନାଟ୍ୟଧାରାରେ ନୟାଗଡ଼ର ରାଗେଶ୍ରୀ ନିଳୟମ ପକ୍ଷରୁ ଏହି ନାଟକ ମଂଚସ୍ଥ କରାଯାଇଥିଲା। ବିଶିଷ୍ଟ କଥାକାର ତଥା ନାଟ୍ୟକାର ଗୌରହରି ଦାସ ନାଟ୍ୟ ରଚନା କରିଥିବା ବେଳେ ନିର୍ଦେଶନା ଦେଇଛନ୍ତି ଶରତ ଚନ୍ଦ୍ର ଆଚାର୍ଯ୍ୟ। ପ୍ରତାପ ରାଉତ ସଂଗୀତ ସଂଯୋଜନା କରିଥିବା ବେଳେ ରାଜେଶ, କମଳ, ଗୋକୁଳ, ରତିରଂଜନ, ଜଗନ୍ନାଥ, ପ୍ରଫୁଲ୍ଲ, ପ୍ରମୋଦ, ବିଜୟ, ପବିତ୍ର, ଶରତ, ଅଭିଲିପ୍ସା ଓ ସୋନାଲି ପ୍ରମୁଖ ଅଭିନୟ କରିଥିଲେ।

ପ୍ରାରମ୍ଭରେ ନାଟ୍ୟକାର ବିଜୟ ଚୌଧୁରୀ, ଗୌରହରି ଦାସ, ନାଟ୍ୟ ନିର୍ଦେଶକ ଧୀର ମଲ୍ଲିକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଶେଷରେ ବିଧାୟକ ଅରୁଣ ସାହୁ ଯୋଗଦେଇ କଳାକାରଙ୍କୁ ସମ୍ବର୍ଧିତ କରିଥିଲେ। ଏହି ନାଟକ ଭବିଷ୍ୟତରେ ନୟାଗଡ଼ରେ କରାଯିବ ବୋଲି ଘୋଷଣା ହୋଇଥିଲା। ନାଟ୍ୟସଂଘର ସଭାପତି ହରେନ୍‌ ସାହୁ, ସମ୍ପାଦକ ଲାଲା ବୀରେନ୍‌ ରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର