ଭୁବନେଶ୍ୱର : ମାର୍ଚିଙ୍ଗ୍ ସ୍ୱର ହେଉ କି ଲୋକ ସଂଗୀତ ସ୍ୱର। ନୌ-ବାଦ୍ୟର ବ୍ୟାଣ୍ଡ୍ରେ ସଂଗୀତର ଏଇ ଭିନ୍ନ ଅବକାଶକୁ ଉପଭୋଗ କରିବାର ସୁଯୋଗ ଭେଟି ଦେଇଥିଲା ଚିଲିକାସ୍ଥିତ ଭାରତୀୟ ନୌସେନା। ୨୭ ଜଣ ଅଭିଜ୍ଞ ନୌସେନା କର୍ମଚାରୀ ସାମରିକ ସଂଗୀତରେ ଶ୍ରୋତାଙ୍କୁ ବିଭୋର କରିଥିଲେ। ଉତ୍କଳ ମଣ୍ଡପରେ ଆୟୋଜିତ ନାଭାଲ୍ ବ୍ୟାଣ୍ଡ୍ କନ୍ସର୍ଟରେ ଶାସ୍ତ୍ରୀୟ ରାଗରାଗିଣୀ ସହ ଲଘୁ ସଂଗୀତର ଧୁନ୍ ଶୁଣିବାକୁ ମିଳିଥିଲା। କେ. ଶକ୍ତିବେଲ୍ ସଂଗୀତ ପରିଚାଳନା କରିଥିଲେ। ରାଜ୍ୟ ପୁଲିସ୍ ମହାନିର୍ଦେଶକ ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କୁ ବ୍ୟାଣ୍ଡ୍ ଧୁନ୍ର ତାଳେତାଳେ ସ୍ୱାଗତ କରିବାର ପରମ୍ପରା ରୋଚକ ପରିବେଶ ସୃଷ୍ଟି କରିଥିଲା। ଆଇଏନ୍ଏସ୍, ଚିଲିକାର କମାଣ୍ଡିଂ ଅଫିସର ତଥା ନାଭାଲ୍ ଓଡ଼ିଶାର ଭାରପ୍ରାପ୍ତ ଅଧିକାରୀ ମନୀଷ ମିଶ୍ର ଉପସ୍ଥିତ ଥିଲେ। ଉତ୍ସବରେ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ବ୍ୟାଣ୍ଡ୍ର ମଜା ଉଠାଇଥିଲେ। ତାନିଆ ଶୁକ୍ଳା ଏବଂ ଅନୁରାଗ ଶୁକ୍ଳା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।