ଶାନ୍ତିସ୍ତୂପ ଉପରକୁ ଗଡ଼ିବ ଆଉ ୬ ସର୍ଟଲ୍‌ ବସ୍‌

ଧଉଳି : ପର୍ଯ୍ୟଟକମାନଙ୍କ ସୁରକ୍ଷିତ ଯାତାୟାତକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଧଉଳି ଶାନ୍ତିସ୍ତୂପ ଉପରକୁ ଆଉ ଅଧିକ ୬ଟି ସର୍ଟଲ ମିନି ବସ୍‌ ଗଡ଼ିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନ ମିଳିଛି। ବିଧିବଦ୍ଧ ଭାବେ ଏ ସଂପର୍କିତ ପ୍ରସ୍ତାବ ଖୁବ୍‌ ଶୀଘ୍ର ଜିଲ୍ଲା ପ୍ରଶାସନ ଜରିଆରେ ସଂପୃକ୍ତ ବିଭାଗ ସରକାରଙ୍କ ଅନୁମୋଦନ ପାଇଁ ପଠାଇବ ବୋଲି ଜଣେ ଅଧିକାରୀ କହିଛନ୍ତି। ସୂଚନା ଥାଉ କି, ଗତ ପହିଲାରୁ ପର୍ଯ୍ୟଟକଙ୍କ ଲାଗି ପ୍ରଥମ ପର୍ଯ୍ୟାୟରେ ଶୁଭାରମ୍ଭ ହୋଇଥିଲା ୬ଟି ୨୬ ଆସନ ବିଶିଷ୍ଟ ସର୍ଟଲ ମିନିବସ ସେବା। ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ସେବା ଯୋଗାଇ ଧଉଳି ଉନ୍ନୟନ ପରିଷଦ(ଡିଡିସି) ଲକ୍ଷ ଲକ୍ଷ ଟଙ୍କା ଲାଭ ଉଠାଇଥିବା ରାଜ୍ୟ ପର୍ଯ୍ୟଟନ ବିଭାଗ କାର୍ଯ୍ୟାଳୟର ସ୍ୱତନ୍ତ୍ର ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକ ଆଲୋଚନାରୁ ଜଣାପଡ଼ିଛି। ଏହି ୩ ସପ୍ତାହ ସମୟ ମଧ୍ୟରେ ସର୍ଟଲ ବସ ସେବା ମାଧ୍ୟମରେ ପାଖାପାଖି ସାଢ଼େ ୪ ଲକ୍ଷ ଟଙ୍କା ଆୟ ହୋଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତଙ୍କ ସୂଚନାନୁସାରେ, ଦୈନିକ ୨୦ରୁ ୨୫ଟି ବଡ଼ ବସ (୪୦ରୁ ୫୦ ଆସନ ଥିବା) ଚଳାଚଳ କରୁଛି । ସଂପ୍ରତି ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ଥିବା ସତ୍ତ୍ୱେ ୨୨ ତାରଖ ସୁଦ୍ଧା ପାର୍କିଂ ସ୍ଥଳରୁ ୨୫ ହଜାର ପର୍ଯ୍ୟଟକ ଏହି ଶୀତତାପ ନିୟନ୍ତ୍ରିତ ବସ୍‌ରେ ସ୍ତୂପ ଉପରକୁ ଯାତାୟାତ କରିଛନ୍ତି। ଏହାଛଡ଼ା ଆଉ ୭୦୦୦ ଟ୍ୟାକ୍ସି ମଧ୍ୟ ଯାତାୟାତ କରିଥିବା ଏହାର ପରିଚାଳନା ଦାୟିତ୍ୱରେ ଥିବା ଡିଡିସି ପକ୍ଷରୁ ସୂଚନା ମିଳିଛି। ଏଥି ସହିତ ପାର୍କିଂ ସ୍ଥଳର ସଂପ୍ରସାରଣ ତଥା ଆନୁଷଙ୍ଗିକ ସୁବିଧା ସୁଯୋଗ ଉପରେ ମଧ୍ୟ ନୀତିଗତ ନିଷ୍ପତ୍ତି ନିଆଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅଧିକାରୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣିମା ସାହୁ ମଧ୍ୟ ଉପସ୍ଥିତ ଥିଲେ। ଏ ଦିଗରେ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ସମଗ୍ର ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧିତ ଖବର