ମେଳାକୁ ଆସିଥିବା ଆଦିବାସୀଙ୍କ କ୍ଷୋଭ : ଆସନ୍ତା ବର୍ଷ ଆଉ ଆସିବୁନି

ଭୁବନେଶ୍ୱର: ଆଦିବାସୀ ପଡ଼ିଆ ଆମ ଜନ୍ମ ମାଟି ପରି ଲାଗେ। ଦୀର୍ଘ ପଚାଶ ବର୍ଷରୁ ଅଧିକ ସମୟ ହେଲା ଆଦିବାସୀ ମେଳା ନେଇ ଆମେ ରାଜଧାନୀକୁ ଆସୁଛୁ। ଆଦିବାସୀ ପଡ଼ିଆରେ ଆମ ରହିବା, ଖାଇବାଠାରୁ ଆରମ୍ଭ କରି ନିତ୍ୟକର୍ମ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଅଛି। କିନ୍ତୁ ଦୀର୍ଘ ଦିନର ପରମ୍ପରାକୁ ଭାଙ୍ଗି ସରକାର ଏଥର ପ୍ରଦର୍ଶନୀ ପଡ଼ିଆରେ ମେଳା କରାଇଲେ। ଏହା ଫଳରେ ଆମେ ନାନା ସମସ୍ୟା ଭୋଗିଲୁ। ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ହେଉଥିବା ବେଳେ ଆମେ ଆଦିବାସୀ ପଡ଼ିଆରେ ରହିଲୁ। ଯାତାୟାତଠାରୁ ଆରମ୍ଭ କରି ରହିବା ଏବର୍ଷ ଆମ ପାଇଁ ସବୁକିଛି ସମସ୍ୟା ଥିଲା। ଆସନ୍ତାବର୍ଷକୁ ଆମ ପୂର୍ବ ସ୍ଥାନ ଆମକୁ ଫେରାଇ ଦିଆ ନ ଗଲେ ଆମ ଆଉ ଆସିବୁ ନାହିୁଁ। ଆଦିବାସୀ ମେଳା ସାରି ଘରକୁ ବାହୁଡ଼ି ଯିବା ପୂର୍ବରୁ ଏପରି ଅଭିଯୋଗଭରା ବୟାନ ବାଢ଼ିଛନ୍ତି ସରଳ ଆଦିବାସୀମାନେ। ଟ୍ରାଫିକ ସମସ୍ୟାକୁ ବାହାନା ଦର୍ଶାଇ ସରକାରୀବାବୁମାନେ କେବଳ ଆଦିବାସୀ ମେଳା ପାଇଁ ପ୍ରସ୍ତୁତ ହୋଇଥିବା ଆଦିବାସୀ ପଡ଼ିଆରେ ମେଳା ନକରି ପ୍ରଦର୍ଶନୀ ପଡ଼ିଆକୁ ସ୍ଥାନାନ୍ତର ଘଟଣାକୁ ଆଦିବାସୀମାନେ ନାପସନ୍ଦ କରିଛନ୍ତି। ଏଥିସହିତ ସ୍ଥାନୀୟବାସିନ୍ଦା ମଧ୍ୟ ୧ ନମ୍ବରରେ ଆଦିବାସୀମେଳା କରିବାକୁ ଦାବି କରିଛନ୍ତି। ଇଡ୍‌କୋକୁ କୋଟି କୋଟି ଟଙ୍କା ଦିଆଯାଇ କ’ଣ ପାଇଁ ପ୍ରଦର୍ଶନୀ ପଡ଼ିଆରେ ମେଳା କରାଯାଉଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି।

ସାତ କୋଟିର ବେପାର

ଓରାଓଁ ଘର ଓ ଡଙ୍ଗରିଆ କନ୍ଧ ଘରକୁ ପ୍ରଥମ ପୁରସ୍କାର

ଭୁବନେଶ୍ୱର: ଦୀର୍ଘ ୧୫ ଦିନ ଧରି ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳା ୨୦୧୮ ଆଜି ଶେଷ ହୋଇଛି। ମେଳାରେ ପ୍ରାୟ ସାତ କୋଟି ଟଙ୍କାର ବେପାର ହୋଇଥିବା ସୂଚନା ମିଳିଛି। ଆଜିର ଉଦ୍‌ଯାପନୀ ସନ୍ଧ୍ୟାରେ ଅତିଥି ଭାବେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନର ନିର୍ଦେଶକ ଡ. ଅଖିଳ ବିହାରୀ ଓତା, ବିଭାଗୀୟ ସ୍ୱତନ୍ତ୍ର ସଚିବ ପବିତ୍ର କୁମାର ମଣ୍ଡଳ, ଓଟିଇଏଲପିର ପ୍ରକଳ୍ପ ନିର୍ଦେଶକ ଶ୍ରୀକାନ୍ତ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। ଚଳିତବର୍ଷ ମେଳାରେ ୧୪୫ଟି ଷ୍ଟଲ ନିର୍ମାଣ କରାଯାଇଥିଲା। ଆଦିବାସୀ ଗ୍ରାମରେ ୨୧ଟି ଆଇଟିଡିଏ ଓ ୩ଟି ମାଇକ୍ରୋ ପ୍ରୋଜେକ୍ଟ ଦ୍ୱାରା ନିର୍ମିତି ବିଭିନ୍ନ ଜନଜାତିଙ୍କର ୨୪ଟି ପାରମ୍ପରିକ ଗୃହ ଦେଖିବାକୁ ମିଳିଥିଲା। ଏହି ଅବସରରେ ବଣାଇ ଆଇଟିଡିଏର ଓରାଓଁ ଘର ଓ ରାୟଗଡ଼ା ଆଇଟିଡିଏର ଡଙ୍ଗରିଆ କନ୍ଧ ଘର ପ୍ରଥମ ପୁରସ୍କାର ଲାଭ କରିଥିବାବେଳେ କରଞ୍ଜିଆର ଖଡ଼ିଆ ଘର, ଗୁଣୁପୁରର ଲାଞ୍ଜିଆ ସଉରାଙ୍କ ଘରକୁ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଛି। ମୁଦୁଲିପଡ଼ା ବଣ୍ଡା ଉନ୍ନୟନ ସଂସ୍ଥାର ବଣ୍ଡା ଘର ଓ ରାଇରଙ୍ଗକୁର ଆଇଟିଡିଏର ସାନ୍ତାଳ ଘର ଯୁଗ୍ମ ଭାବେ ତୃତୀୟ ପୁରସ୍କାର ପାଇଛି। ଏଥିସହିତ ମେଳା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରିଥିବାରୁ ବିଭାଗୀୟ କର୍ମଚାରୀ ଲକ୍ଷ୍ମଣ ଜେନାଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି।

ଲାଭ ହେବ କ’ଣ, ଗାଡ଼ି ଭଡ଼ାରେ ସବୁଗଲା
ଆଦିବାସୀ ପଡ଼ିଆରେ ଆମକୁ ରହିବାକୁ ସ୍ଥାନ ମିଳିଥିବା ବେଳେ ପ୍ରଦର୍ଶନୀ ପଡ଼ିଆରେ ମେଳା କରାଯାଉଛି। ଆମେ ଏଠାରୁ ସାମଗ୍ରୀ ଅଟୋରେ ଭଡ଼ା କରି ନେଇ ସେଠାକୁ ଯାଉଛୁ। ଯେଉଁଥିପାଇଁ ଆମକୁ ପରିବହନ ଖର୍ଚ ଦେବାକୁ ପଡ଼ୁଛି। ଏଥିସହିତ ଖାଇବା ପାଇଁ ଏଠାକୁ ମଧ୍ୟ ଆସିବାକୁ ପଡ଼ୁଛି। ଲାଭ ହେବ କ’ଣ ସବୁ ଟଙ୍କା ଗାଡ଼ି ଭଡ଼ାରେ ଗଲା। ପୂର୍ବ ପରି ଆଦିବାସୀ ପଡ଼ିଆରେ ମେଳା କରାଯାଉ।
କପିଳାସ ପାତ୍ର, ଥୁଆମୂଳ, ରାମପୁର , କଳାହାଣ୍ଡି

ଗ୍ରାହକଙ୍କ ଆବଶ୍ୟକତା ଥିଲେ ବି ସାମଗ୍ରୀ ଦେଇପାରିଲୁନି
ଆଦିବାସୀ ପଡ଼ିଆରେ ଆଦିବାସୀ ମେଳା କରାଯିବା ଉଚିତ। ପ୍ରଦର୍ଶନୀ ପଡ଼ିଆରେ ମେଳା ଚାଲୁଥିବା ବେଳେ ପ୍ରଦର୍ଶନୀ ପଡ଼ିଆରେ ଆମର ବିକ୍ରୟ ସାମଗ୍ରୀ ରହୁଛି। ସାମଗ୍ରୀ ସରିଗଲେ ସମସ୍ୟାରେ ପଡ଼ୁଛୁ। ଏଠାରେ ମାଲ୍‌ ସଂଗ୍ରହ କରି ରଖିବାର ବ୍ୟବସ୍ଥା ନାହିଁ। ଅନେକ ସମୟରେ ଗ୍ରାହକଙ୍କ ଆବଶ୍ୟକତା ଥିଲେ ବି ଆମେ ସାମଗ୍ରୀ ଦେଇପାରୁନୁ।
ତୁଳାରାମ ମୁଣ୍ଡା, ନବରଙ୍ଗପୁର

ଯିବା ଆସିବାରେ ଦିନ ଗଲା
ଯିବା ଆସିବାରେ ଆମର ଦିନ ଯାଉଛି। ବେପାର କରିବୁ କେତେବେଳେ, ରାତି ୯ଟାରେ ସେଠାରୁ ଫେରି ରୋଷେଇ କରି ଖାଇବା ନେଇ ରାତି ବାରଟା ଗୋଟାଏ ବାଜି ଯାଉଥିଲା। ପୁଣି ସକାଳୁ ଉଠି ସବୁ ସାମଗ୍ରୀ ପ୍ରସ୍ତୁତ କରି ତାକୁ ବାନ୍ଧି ସେଠାକୁ ନେଇଯିବାରେ ସମୟ ଚାଲିଗଲା। ସରକାର ଆଦିବାସୀ ପଡ଼ିଆରେ ଆଦିବାସୀ ମେଳା କରନ୍ତୁ। ଏତେ ବଡ଼ ମେଳା ଆୟୋଜନ କରାଯାଇଛି, କିନ୍ତୁ ଶୌଚାଳୟ ଭଳି ମୌଳିକ ଆବଶ୍ୟକତାକୁ ବି ଧ୍ୟାନ ଦିଆଯାଇନି।
କେଶବତୀ ବେଶ୍ରା, ମୟୂରଭଞ୍ଜ

ସମ୍ବନ୍ଧିତ ଖବର