ପ୍ରେକ୍ଷାଳୟର ଅଭାବ: କାହାରି ଚିନ୍ତା ନାହିଁ
ଝୁଣ୍ଟୁଛି ସାଂସ୍କୃତିକ ଓ ବୌଦ୍ଧିକ ବିକାଶ
ଭୁବନେଶ୍ୱର: ରାଜଧାନୀର ଲୋକ ସଂଖ୍ୟା ବଢ଼ୁଛି। ଭୌଗଳିକ ଦୃଷ୍ଟିକୋଣରୁ ଏହାର ପରିସୀମା ବି ବଢ଼ୁଛି। ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ସଂଖ୍ୟା ଆଶାତୀତ ଭାବେ ବଢ଼ିଚାଲିଛି। ସେହି ଅନୁପାତରେ କର୍ମଶାଳା, ଆଲୋଚନାଚକ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ବି ବହୁମାତ୍ରାରେ ଆୟୋଜନ କରାଯାଉଛି। କିନ୍ତୁ ଏଥି ପାଇଁ ଭିତ୍ତିଭୂମିର ଅଭାବ ସହରର ଏକ ଦୁର୍ବଳ ଦିଗକୁ ପଦାରେ ପକାଇ ଦେଉଛି। ସହରର ଭିତ୍ତିଭୂମି କାମ ଜୋର୍ଦାର୍ ଚାଲିଥିଲେ ବି ଏହି ଦିଗ ପ୍ରତି ସରକାରଙ୍କ ନଜର ନ ପଡ଼ିବା ସଚେତନ ନାଗରିକମାନଙ୍କୁ ବ୍ୟଥିତ କରିଛି। ସହରୀ ଜୀବନରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ଆଲୋଚନାଚକ୍ର, କର୍ମଶାଳା, ସଭାସମିତିର ଗୁରୁତ୍ୱ ଅଧିକ ରହିଛି। ଲୋକମାନଙ୍କୁ ଏହା ଶିକ୍ଷା ଦେବା ସହ ମନୋରଞ୍ଜନର ମାଧ୍ୟମ ବି ହୋଇଥାଏ। ଏହାକୁ ଆୟୋଜନ କରିବା ପାଇଁ ପ୍ରେକ୍ଷାଳୟ ହିଁ ଏକମାତ୍ର ମାଧ୍ୟମ। କିନ୍ତୁ ରାଜଧାନୀରେ ଏବେ ଅଛି ମାତ୍ର ୪ଟି ଭରସାଯୋଗ୍ୟ ପ୍ରେକ୍ଷାଳୟ। ସଂସ୍କୃତି ବିଭାଗ ଅଧୀନରେ ରହିଛି ରବୀନ୍ଦ୍ର ମଣ୍ଡପ ଓ ଭଞ୍ଜକଳାମଣ୍ଡପ। ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ ରହିଛି ଜୟଦେବ ଭବନ ଏବଂ ଇଡ୍କଲ୍ ଅଧୀନରେ ରହିଛି ‘ଇଡ୍କଲ୍ ଅଡିଟୋରିୟମ୍’। ଏହା ବାଦ୍ ଦୁଇଟି ଖୋଲା ମଞ୍ଚ ରହିଛି। ଗୋଟିଏ ଉତ୍କଳ ମଣ୍ଡପ ଓ ଅନ୍ୟଟି ଏକାମ୍ର ହାଟର ଖୋଲା ମଞ୍ଚ। ରବୀନ୍ଦ୍ର ମଣ୍ଡପ ଓ ଭଞ୍ଜକଳା ମଣ୍ଡପ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ଥିଲା ବେଳେ ଜୟଦେବ ଭବନ ଓ ଇଡ୍କଲ୍ ଅଡିଟୋରିୟମ୍ ବିଭିନ୍ନ ସଭାସମିତି ପାଇଁ ଉପଯୁକ୍ତ ସ୍ଥାନ। କିନ୍ତୁ ପ୍ରେକ୍ଷାଳୟର ଅଭାବ ଯୋଗୁଁ ଜୟଦେବ ଭବନ ଓ ଇଡ୍କଲ୍ ଅଡିଟୋରିୟମ୍ରେ ବି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଆୟୋଜକମାନେ ଏକପ୍ରକାର ବାଧ୍ୟ ହେଉଛି। କିନ୍ତୁ ଗତ କିଛି ବର୍ଷ ଭିତରେ କାର୍ଯ୍ୟକ୍ରମର ସଂଖ୍ୟା ଏପରି ବଢ଼ିଯାଇଛି ଯେ ଏତିକି ପ୍ରେକ୍ଷାଳୟ ସମୁଦ୍ରକୁ ଶଙ୍ଖେ ପରି ହୋଇଯାଇଛି। ବର୍ଷକ ଆଗରୁ ବୁକ୍ କରିବାକୁ ଚାହୁଁଥିଲେ ବି ପ୍ରେକ୍ଷାଳୟ ମିଳୁ ନାହିଁ। ରୋଟାରି, ରେଡକ୍ରସ୍, ଲୋହିଆ ଏକାଡେମି ପରି କିଛି ସ୍ୱେଚ୍ଛାସେବୀ ସଂସ୍ଥା ନିଜ ନିଜ କାର୍ଯ୍ୟାଳୟ ପରିସରରେ ଛୋଟ ଛୋଟ ହଲ୍ ବାହାର କରି ବିଭିନ୍ନ କର୍ମଶାଳା, ଆଲୋଚନାଚକ୍ର ଆୟୋଜନ ପାଇଁ ଭଡ଼ା ସୂତ୍ରରେ ଦେଉଛନ୍ତି। କିନ୍ତୁ ଏହା ସହରର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବାକୁ ଅସମର୍ଥ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ବାଦ୍ ବିଭିନ୍ନ ତାରକା ହୋଟେଲରେ ଶୀତତାପ ନିୟନ୍ତ୍ରିତ ସମ୍ମିଳନୀ କକ୍ଷ ନିର୍ମାଣ କରାଯାଇଛି। ସେଠାରେ ବହୁ କର୍ପୋରେଟ୍ ହାଉସ୍ ଓ ବଡ଼ ବଡ଼ ଅନୁଷ୍ଠାନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। କିନ୍ତୁ ଏହା ସାଧାରଣ ଅନୁଷ୍ଠାନଗୁଡ଼ିକର ବଜେଟ୍କୁ ସୁହାଉ ନାହିଁ। ସରକାରୀ ଅଡିଟୋରିୟମ୍ ନ ଥିବାରୁ ସେମାନେ ବହୁ ହଇରାଣ ହରକତ ହେଉଛନ୍ତି। ରାଜଧାନୀରେ ଯାହା ବି ସରକାରୀ ପ୍ରେକ୍ଷାଳୟ ଅଛି, ତାହା ସହରର କେନ୍ଦ୍ରସ୍ଥଳୀରେ। ସହରର କଳେବର ବିଭିନ୍ନ ଦିଗକୁ ବଢ଼ୁଥିଲେ ବି ସେଠାରେ ପ୍ରେକ୍ଷାଳୟ ନିର୍ମାଣ ପାଇଁ ସରକାରୀସ୍ତରରେ ଚେଷ୍ଟା କରାଯାଉ ନାହିଁ। ସୈନିକ ସ୍କୁଲ୍ ନିକଟରେ ହେବାକୁ ଥିବା କଳାମଣ୍ଡଳ ଖୁବ୍ ମନ୍ଥର ଗତିରେ ଆରମ୍ଭ ହେଉଛି। ପ୍ରେକ୍ଷାଳୟର ଅଭାବ ଯୋଗୁଁ ରାଜଧାନୀର ସାଂସ୍କୃତିକ ଓ ବୌଦ୍ଧିକ ପରିସର ଯେତିକି ବଢ଼ିବା କଥା ତାହା ହୋଇପାରୁ ନାହିଁ। ଏ ଦିଗରେ ସରକାର ଓ ବିଏମ୍ସି କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ବୋଲି ବିଭିନ୍ନ ମହଲରେ ଦାବି ଉଠୁଛି।