ପୁଣି ଥରେ ରିଲିଜ୍‌ ହେବ ‘ପ୍ରେମୀ ନମ୍ବର ଓ୍ଵାନ୍‌’

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନବ ପଦକ୍ଷେପ

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ୧୩ ବର୍ଷ ତଳେ ମୁକ୍ତିଲାଭ କରି ସୁପର୍‌ହିଟ୍‌ ସାବ୍ୟସ୍ତ ହୋଇଥିବା ଚଳଚ୍ଚିତ୍ର ‘ପ୍ରେମୀ ନମ୍ବର ଓ୍ଵାନ୍‌’ ପୁଣି ଥରେ ମୁକ୍ତଲାଭ କରିବାକୁ ଯାଉଛି। ଓଲିଉଡ୍‌ର ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା ବ୍ରଜରାଜ ମୁଭିଜ୍‌ ବ୍ୟାନର୍‌ରେ ବିଶିଷ୍ଟ ପ୍ରଯୋଜକ ସ୍ୱର୍ଗତ ବସନ୍ତ ନାୟକ ଏହି ଚଳଚ୍ଚିତ୍ରଟି ପ୍ରଯୋଜନା କରିଥିଲେ। ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ସାହୁ। ଏହି ଚଳଚ୍ଚିତ୍ରର କଲର୍‌ କରେକସନ୍‌ ଓ ଡିଜିଟାଲ ସାଉଣ୍ଡ ମିକ୍ସ ହୋଇ ପୁନର୍ବାର ପ୍ରୋକ୍ଷାଳୟକୁ ଆସିବାକୁ ଯାଉଛି। ବୈଷୟିକ ଦୃଷ୍ଟିକୋଣରୁ ଦର୍ଶକମାନେ ଏହି ପୁରୁଣା ଚଳଚ୍ଚିତ୍ରରେ ଏକ ଅତ୍ୟାଧୁନିକ ଜ୍ଞାନକୌଶଳର ଅନୁଭବ ପାଇବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଏହା ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ନୂଆ ଟ୍ରେଣ୍ଡ୍‌ ଆରମ୍ଭ ହେବ ବୋଲି ଏଥିରେ ଅଭିନୟ କରିଥିବା ଚଳଚ୍ଚିତ୍ର ତାରକା ତଥା ସାଂସଦ ଅନୁଭବ ମହାନ୍ତି କହିଛନ୍ତି।

ଆଜି ହୋଟେଲ୍‌ ଆର୍ଯ୍ୟ ପ୍ୟାଲେସ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିନେତା ଅନୁଭବ ମହାନ୍ତି, ପ୍ରଯୋଜକ ମଣ୍ଟୁ ନାୟକ, ଟୁଟୁ ନାୟକ, ‘ପ୍ରେମୀ ନମ୍ବର ଓ୍ଵାନ୍‌’ର ସଂଳାପକାର ରଣଜିତ ପଟ୍ଟନାୟକ, ନିର୍ଦ୍ଦେଶକ ସୁଧାଂଶୁ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଓ ମିଡିଆ ପ୍ଲାନର ପ୍ରଣୟ ଜେଠୀ ପ୍ରମୁଖ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ବ୍ରଜରାଜ ମୁଭିଜ୍‌ର ଆଉ ଏକ ସୁପର୍‌ହିଟ୍‌ ଚଳଚ୍ଚିତ୍ର ‘ଆଇ ଲଭ୍‌ ୟୁ’ର ୧୪ ବର୍ଷ ପୂର୍ତ୍ତି ଅବସରରେ କେକ୍‌ କଟାଯାଇଥିଲା।

ସମ୍ବନ୍ଧିତ ଖବର