ଓଡ଼ିଆ ଝିଅ ଅମିତା ‘ମିସେସ୍‌ ସେଣ୍ଟ୍ରାଲ୍‌ ଏସିଆ ପେସିଫିକ୍ ୟୁନିଭର୍ସ’

ଭୁବନେଶ୍ବର: ଓଡ଼ିଆ ଝିଅ ଅମିତା ପଣ୍ଡା ଚଳିତ ବର୍ଷର ମିସେସ୍‌ ସେଣ୍ଟ୍ରାଲ୍‌ ଏସିଆ ପେସିଫିକ୍ ୟୁନିଭର୍ସ ୨୦୧୯ ମୁକୁଟ ପିନ୍ଧିଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମ‌ରେ ସେ ଏହି ସଫଳତା ଅର୍ଜନ କରିଛନ୍ତି। ଏହା ପୂର୍ବରୁ ୨୦୧୮ରେ ସେ ମିସେସ୍‌ ଇଣ୍ଡିଆ ଗାଲାକ୍ସି ହେବାର ଗୌରବ ଅର୍ଜନ କରିଥିଲେ। ସଫ୍ଟୱେର୍‌ ପାଠ୍ୟକ୍ରମରେ ଧୂରୀଣ ଅମିତା ଜଣେ ନମ୍ର ମଣିଷ। ତାଙ୍କ ସ୍ବାମୀ କାର୍ଡିଓଲୋଜି ଡାକ୍ତର ହୋଇଥିବା ବେଳେ ସେ ଏକ ଝିଅର ମା’ ମଧ୍ୟ। ଅମିତା ନିଜ ସଫଳତା ପାଇଁ ସ୍ବାମୀଙ୍କ ସହଯୋଗକୁ ଶ୍ରେୟ ଦେଇଛନ୍ତି। ଏହି ପ୍ରତିଯୋଗିତା ପାଇଁ ଅମିତା ଅନ୍ତର୍ଜାତୀୟସ୍ତରରେ ଜଣାଶୁଣା ‘ଭାଇବ୍ରାଣ୍ଟ୍‌ କନ୍‌ସେପ୍ଟସ’ର ନିର୍ଦେଶକ ଗିନ୍ନି କପୁରଙ୍କଠାରୁ ପ୍ରଶିକ୍ଷଣ ନେଇଥିଲେ। ଅମ୍ରିତା କେବଳ ନିଜ ରୂପ ଓ ଦକ୍ଷତାର ପରିଚୟ ଦେଇନାହାନ୍ତି, ବରଂ ଜ‌ଣେ ମାନବାଧିକାର କର୍ମୀ ଭାବେ ସକ୍ରିୟ ଅଛନ୍ତି। ଦାରିଦ୍ରୢ ସୀମାରେଖା ତଳେ ଥିବା ଲୋକଙ୍କ ଅଧିକାର ସହ ସେମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସେ କାମ କରୁଛନ୍ତି। ଏହି ସଫଳତା ପରେ ବିବାହିତ ମହିଳାଙ୍କୁ ନେଇ ଆୟୋଜିତ ହେବାକୁ ଯାଉଥିବା ‘ମିସେସ୍‌ ୟୁନିଭର୍ସ ୨୦୧୯’ ପ୍ରତିଯୋଗିତାରେ ଭାରତ ତରଫରୁ ପ୍ରତିନିଧିତ୍ବ କରିବାକୁ ସେ ସୁଯୋଗ ପାଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ବହୁ ‌ପ୍ରଶଂସକଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର