ତାଙ୍କର ପରିଚୟ ହେଉଛି ଓଡ଼ିଶାର ପ୍ରଥମ ମହିଳା ଜିଲ୍ଲାପାଳ। ପ୍ରଥମ ମହିଳା ସଚିବ ମଧ୍ୟ। ତେବେ ଜିଲ୍ଲାପାଳ ଭଳି ସମ୍ମାନଜନକ ପଦବିରୁ ସ୍ୱେଛାକୃତ ଅବସର ନେଇ ଜୀବନର ଶେଷ ସମ୍ପତ୍ତି ତଥା ଭୁବନେଶ୍ୱରରେ ଥିବା ଏକମାତ୍ର ବାସଗୃହକୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଉତ୍ସର୍ଗ କରି ଚର୍ଚିତ ବ୍ୟକ୍ତିତ୍ୱ ପାଲଟିଛନ୍ତି। ଏହି ଅନନ୍ୟ ମହିଳା ଜଣକ ହେଉଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଚନ୍ଦ୍ରମଣୀ ନାରାୟଣ ସ୍ୱାମୀ। ପ୍ରୋବେସନ ସମୟରେ ପୁରୀରେ ସହକାରୀ ଜିଲ୍ଲାପାଳ ଭାବରେ ପ୍ରଥମେ କାମ କରିବା ବେଳେ ମହାପ୍ରଭୁଙ୍କ ପ୍ରତି ଗଭୀର ଆକର୍ଷଣ ଓ ଆବେଗ ତାଙ୍କୁ ଶ୍ରୀଜଗନ୍ନାଥଙ୍କ ପ୍ରେମରେ ଉଦ୍ବୁଦ୍ଧ କରିଥିଲା। ସ୍କୁଲ ଜୀବନରୁ ନେଇ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଟପର ହେବା ସହ ଜଣେ ମେଧାବୀ ଛାତ୍ରୀ ଭାବେ ଏକାଧିକ ସ୍ୱର୍ଣ୍ଣପଦକ ହାସଲ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଖାଲି ସେତିକି ନୁହେଁ, ମାତୃଭାଷା ତାମିଲ ହେଲେ ମଧ୍ୟ ଓଡ଼ିଆର ଅନେକ ପ୍ରସିଦ୍ଧ ଲେଖାକୁ ଇଂରାଜୀରେ ଅନୁବାଦ କରି ସେ ବିଶ୍ୱସ୍ତରରେ ଓଡ଼ିଆ ସାହିତ୍ୟକୁ ପରିଚିତ କରାଇଛନ୍ତି। ହିନ୍ଦି, ଇଂରାଜୀ ଓ ଓଡ଼ିଆ ସାହିତ୍ୟରେ ଅନବଦ୍ୟ ସୃଷ୍ଟି ପାଇଁ ଶତାଧିକ ସମ୍ମାନ ବି ପାଇଛନ୍ତି। ୧୯୩୮ ମସିହା ଆଲେପି କେରଳରେ ତାଙ୍କର ଜନ୍ମ। ଏସ୍. ରାଜମଣୀ ଓ ଏନ୍. ରାମ ଆୟାରଙ୍କ ଏହି ଏକମାତ୍ର କନ୍ୟା ୨ ବର୍ଷ ବୟସରେ ବାପାଙ୍କୁ ହରାଇଥିଲେ। ଓ୍ଵାଟର ଓ୍ଵାର୍କସ୍ ଡିପାର୍ଟମେଣ୍ଟରେ ଜଣେ ବରିଷ୍ଠ ଅଧିକାରୀ ଭାବରେ କାମ କରୁଥିବା ବାପାଙ୍କର ମୃତ୍ୟୁ ପରେ ସେ ଅଜାଙ୍କ ଘରେ ରହି ପଢ଼ିବା ଆରମ୍ଭ କରିଥିଲେ। ୯ବର୍ଷ ବୟସରେ ପକ୍ଷୀଙ୍କ ଉପରେ ମାଲାୟାଲମ୍ରେ କବିତା ଲେଖି ସୃଜନ ପ୍ରତିଭାର ପ୍ରମାଣ ଦେଇଥିଲେ। ୧୦ ବର୍ଷ ବୟସରେ ଟ୍ରାଭାନ୍କୋର୍ ରାଜ୍ୟର ଇତିହାସ ଲେଖି ସେ ଚର୍ଚାକୁ ଆସିଥିଲେ। ୧୫ ବର୍ଷ ବୟସରେ ସେ ଲେଖିଥିବା ଇଂରାଜୀ କବିତା ବେଶ ଲୋକପ୍ରିୟ ହୋଇଥିଲା। କେରଳ ବିଶ୍ୱବିଦ୍ୟାଳୟରୁ ଗଣିତରେ ଏମ୍ଏସ୍ସି ପାସ୍ କରିବା ପରେ ପ୍ରଥମ ସୁଯୋଗରେ ଆଇଏଏସ୍ ହୋଇପାରିଥିଲେ। ଆଇଏଏସ୍(ଓଡ଼ିଶା କ୍ୟାଡର) ପାଇବା ପରେ ପ୍ରୋବେସନ ପାଇଁ ୧୯୬୪ ମସିହାରେ ପୁରୀ ସହକାରୀ ଜିଲ୍ଲାପାଳ ଭାବେ ତାଙ୍କର ପୋଷ୍ଟିଂ ହୋଇଥିଲା। ପୁରୀ ସର୍କିଟ ହାଉସ୍ରେ ୫ ବର୍ଷ ରହଣି କାଳରେ ଅସ୍ତରଙ୍ଗ ଠାରୁ ଆରମ୍ଭ କରି କୃଷ୍ଣପ୍ରସାଦ ପର୍ଯ୍ୟନ୍ତ ତୃଣମୂଳସ୍ତରରେ ଥିବା ସମସ୍ୟାକୁ ହୃଦୟଙ୍ଗମ କରିଥିଲେ।
ପ୍ରଥମ ଜିଲ୍ଲାପାଳ ଭାବେ କଳାହାଣ୍ଡିରେ ଅବସ୍ଥାପିତ ହେବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ପଦବିରେ ଅବସ୍ଥାପିତ ହୋଇଥିଲେ। ଭି. ନାରାୟଣ ସ୍ୱାମୀଙ୍କୁ ବିବାହ କରିଥିଲେ ମଧ୍ୟ ତାଙ୍କର ଆକସ୍ମିକ ମୃତ୍ୟୁ ପରେ ସେ ପୁଣି ଏକୁଟିଆ ହୋଇ ଯାଇଥିଲେ। ଠିକ୍ ପିଲା ଦିନ ପରି। ଗତ ବର୍ଷ ଅକ୍ଟୋବରରେ ତାଙ୍କୁ ବୟସ ୮୦ ଛୁଇଁଛି। ତଥାପି ଥକି ଯାଇନି କଲମ। ଫକୀର ମୋହନଙ୍କର ପ୍ରସିଦ୍ଧ ଲେଖା ‘ଲଛମା’କୁ ସେ ଇଂରାଜୀ ଅନୁବାଦ କରୁଛନ୍ତି। ସରଳ ଓ ନିରାଡ଼ମ୍ବର ଜୀବନ ଶୈଳୀ ତାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ। ଜୀବନର ଏହି ସାୟାହ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପିତ ହୋଇଛନ୍ତି। ଜଗନ୍ନାଥଙ୍କ ସ୍ମୃତିରେ ହିଁ ଜୀବନ ଚାଲିଯାଉ ବୋଲି କହିବା ବେଳେ ସେ ଭାବପ୍ରବଣ ହୋଇ ପଡ଼ିଥିଲେ।