ଗୋଟିଏ ଦିନରେ ୬ ନମୁନା ପଜିଟିଭ୍‌

ରାଜଧାନୀରେ ଡେଙ୍ଗୁ ଆତଙ୍କ

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ଥମିବାର ନାଁ ନେଉନାହିଁ। ପ୍ରତ୍ୟେକ ଦିନ ଏକାଧିକ ଡେଙ୍ଗୁ ଆକ୍ରାନ୍ତ ରାଜଧାନୀରେ ଚିହ୍ନଟ ହେଉଛନ୍ତି। ଆଜି ଗୋଟିଏ ଦିନରେ ରାଜଧାନୀର ବିଭିନ୍ନ ସ୍ଥାନରୁ ୬ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଛୁଇଁଛି।

ସୂଚନା ଅନୁଯାୟୀ, ରାଜଧାନୀର ବିଭିନ୍ନ ଅଞ୍ଚଳରୁ ୧୧ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ ୬ଟି ନମୁନା ପଜିଟିଭ୍‌ ରହିଛି। ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୪, ଗୋଟିଏ ନୂଆପଲ୍ଲୀ ବ୍ରିଟ୍‌ କାଲୋନି ଓ ଅନ୍ୟ ଜଣେ ସପ୍ତମ ବାଟାଲିଅନ୍‌ ଅଞ୍ଚଳର ବୋଲି ଜଣାପଡ଼ିଛି। ଏଥିରେ ଜଣେ ନାବାଳକ ରହିଛି। ତେବେ ୭ମ ବାଟାଲିଆନ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ରାଜଧାନୀର କି ନୁହେଁ ତାହା ସ୍ପଷ୍ଟ ହୋଇପାରି ନାହିଁ। ଏହାସହ କ୍ୟାପିଟାଲ ହସ୍ପିଟାଲର ଡେଙ୍ଗୁ ଓ୍ଵାର୍ଡରେ ଏବେ ୬ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଗତକାଲି ମଧ୍ୟ ୩ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଅପରପକ୍ଷରେ ରାଜଧାନୀରେ ଡେଙ୍ଗୁ ସଚେତନତା କାର୍ଯ୍ୟ ଜାରି ରହିଛି। ଆଜି ବିଡିଏ କଲୋନି, ଶ୍ରମିକ ବସ୍ତି, ନୀଳମାଧବ ବସ୍ତି, ପାଣି ଟାଙ୍କି ଅଞ୍ଚଳରେ ଫଗିଂ ସହିତ ଅନାବନା ଗଛକୁ କାଟିବା କାର୍ଯ୍ୟକ୍ରମ ଜାରି ରହିଛି। ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ୨୦ଜଣ ଡେଙ୍ଗୁ ସ୍ୱେଚ୍ଛାସେବୀ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ରାଜଧାନୀର ଯେଉଁ ଅଞ୍ଚଳରୁ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି ସେହି ଅଞ୍ଚଳରେ ସଚେତନତା ସହିତ ଉତ୍ସକୁ ନଷ୍ଟ କରିବା କାର୍ଯ୍ୟ ସ୍ୱେଚ୍ଛାସେବୀମାନେ ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର