ସବୁ ରାସ୍ତା ପାଇଁ ଗୋଟିଏ ଡିଜାଇନ୍‌

ଭୁବନେଶ୍ୱର: ବିଏମ୍‌ସି ଅଧୀନରେ ଥିବା ସମସ୍ତ ରାସ୍ତାର ଡିଜାଇନ୍‌ ଗୋଟିଏ ପ୍ରକାରର ହେବ। ସବୁ ଗଳିକନ୍ଦି ରାସ୍ତା ଗୋଟିଏ ଡିଜାଇନ୍‌ରେ ନିର୍ମାଣ ହେବ। ଏଥିପାଇଁ ବିଡିଏ ପକ୍ଷରୁ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ ହୋଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବିଡିଏର ୧୩୬ତମ ଅଥରିଟି ବୈଠକରେ ଏହା ଅନୁମୋଦିତ ହୋଇଛି। ଏହା ଉପରେ ଚୂଡ଼ାନ୍ତ ମୋହର ମାରିବାକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି।

ଏହି ଗାଇଡଲାଇନ୍‌ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହେଲେ ରାଜଧାନୀରେ ବିଭିନ୍ନ ଅଞ୍ଚଳରେ ରାସ୍ତା ନିର୍ମାଣ କରୁଥିବା ବିଡିଏ, ବିଏମ୍‌ସି, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଇଡକୋକୁ ଏହା ପଠାଯିବ। ଏଥିରେ ଥିବା ଡିଜାଇନ୍‌ ଅନୁଯାୟୀ ଉକ୍ତ ସଂସ୍ଥାଗୁଡ଼ିକ ରାସ୍ତା ନିର୍ମାଣ କରିବେ। ଏହାପରେ ସହର ବାହାର ଅଞ୍ଚଳରେ ଏହି ନିୟମ ଲାଗୁ ହେବ ବୋଲି କୁହାଯାଇଛି। ଏଥିରେ ରାଜଧାନୀରେ ୬ମିଟରରୁ ଆରମ୍ଭ କରି ୬୦ମିଟର ଓସାର ପର୍ଯ୍ୟନ୍ତ ଥିବା ରାସ୍ତା ନିର୍ମାଣ ହେବ। ୧୨୦କିମି ରାସ୍ତାକୁ ଅଗ୍ରାଧିକାର ଭିତ୍ତିରେ ନିର୍ମାଣ କରାଯିବ। ଏବେ ରାଜଧାନୀର ଅଧିକାଂଶ ଅଞ୍ଚଳରେ ପାଣି ପାଇପ୍‌, ବିଦ୍ୟୁତ୍‌ କେବୁଲ୍‌, ସ୍ୱେରେଜ୍‌ ଲାଇନ୍‌ ବିଛାଇବା ପାଇଁ ରାସ୍ତା ଖୋଳା ହେଉଥିବାରୁ ରାସ୍ତାଗୁଡ଼ିକ ବିପର୍ଯ୍ୟସ୍ତ ହୋଇଯାଇଛି। ତେଣୁ ଏହା ଯେପରି ପୁନରାବୃତ୍ତି ନହେବ ଏବଂ ସମସ୍ତ ରାସ୍ତାରେ ଲୋକଙ୍କ ପାଇଁ ସବୁ ପ୍ରକାରର ମୌଳିକ ସୁବିଧା ସୁଯୋଗ ସହ ସୌନ୍ଦର୍ଯ୍ୟକରଣ କରି ହେବ ସେଥିପାଇଁ ନୂଆ ଗାଇଡଲାଇନ୍‌ରେ ନିୟମ ରଖାଯାଇଛି।

ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସ୍ମାର୍ଟ ସିଟି ପ୍ରସ୍ତାବରେ ଭୁବନେଶ୍ୱରକୁ ଶିଶୁଙ୍କ ଉପଯୋଗୀ, ସବୁ ବର୍ଗର ଲୋକଙ୍କ ସୁରକ୍ଷା, ଯାତାୟତର ସୁବିଧାକୁ ନଜରରେ ରଖି ଏହା ପ୍ରସ୍ତୁତ ହୋଇଛି। ପ୍ରତି ରାସ୍ତାରେ ପଥଚାରୀ, ବାଇସାଇକେଲ୍‌ ଚାଳକ, ମୋଟର ଯାନ ଚଳାଚଳ ଏବଂ ବଡ଼ ଗାଡ଼ି ଚଳାଚଳ ପାଇଁ ବ୍ୟବସ୍ଥା ରହିବ। ଏହି ରାସ୍ତା ଡିଜାଇନ୍‌ର ବିଶେଷତ୍ୱ ହେଲା ଏଥିରେ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ପ୍ରତି ରାସ୍ତାରେ ୟୁଟିଲିଟି କରିଡର ରହିବ। ଏହା ଭିତରେ ପାଣି ପାଇପ୍‌, ଡ୍ରେନ୍‌, ସ୍ୱେରେଜ୍‌ ଲାଇନ୍‌, ବିଦ୍ୟୁତ୍‌ ତାର, ଇଣ୍ଟରନେଟ୍‌ କେବୁଲ୍‌ ଆଦି ବିଛାଯିବ। ସାଧାରଣ ଲୋକ କିପରି ରାସ୍ତାକୁ ଅଧିକ ବ୍ୟବହାର କରିପାରିବେ, ଖରା କିମ୍ବା ବର୍ଷା ହେଲେ ଆଶ୍ରୟ ନେଇ ହେବ, ପାର୍କିଂ, ଉଠା ଦୋକାନୀ, ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବସ୍ଥା ରହିବ।

ସମ୍ବନ୍ଧିତ ଖବର