ସଲମାନଙ୍କୁ ଦଣ୍ଡ: ଫ୍ୟାନ୍‌ଙ୍କ ମନରେ ଦୁଃଖ

ଦୀର୍ଘ ୨୦ବର୍ଷ ପରେ କୃଷ୍ଣସାର ମୃଗ ମୃତ ଘଟଣାରେ ଆଜି ରାଜସ୍ଥାନର ଯୋଧପୁର କୋଟି ସଲ୍ଲ ଓରଫ ସଲମାନ୍‌ ଖାନଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ଦଣ୍ଡାଦେଶ ପରେ ସଲମାନଙ୍କ ଫ୍ୟାନ୍‌ଠାରୁ ଆରମ୍ଭ କରି ସେଲିବ୍ରେଟିଙ୍କ ମନ ଦୁଃଖରେ ଭରି ଯାଇଛି। ଜୟା ବଚ୍ଚନଙ୍କଠାରୁ ଆରମ୍ଭ କରି ସିଲ୍‌ପା ସିନ୍ଦେ, କବୀର ବେଦି, ଅର୍ଜ୍ଜୁନ ରାମପାଲ ଓ ଅନ୍ୟମାନେ ସଲମାନଙ୍କୁ ସମବେଦନା ଜଣାଇଛନ୍ତି। କୃଷ୍ଣସାର ମୃଗ ମାରିବା ଘଟଣାରେ ୫ବର୍ଷ ଜେଲ୍‌ ଦଣ୍ଡକୁ ନେଇ ଅନେକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏପରିକି କୋର୍ଟରେ ଜଜ୍‌ ଜେଲ ଦଣ୍ଡାଦେଶ ଶୁଣାଇବା ପୂର୍ବରୁ ଟ୍ଵିଟ୍ଟରରେ ସଲମାନଙ୍କ ଫ୍ୟାନ୍‌ମାନେ ତାଙ୍କ ପ୍ରତି ସମର୍ଥନ ଜଣାଇଥିଲେ। କେବଳ ଯେ ୫ବର୍ଷ ଜେଲ୍‌ ଦଣ୍ଡକୁ ନେଇ ଅନେକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ତା ନୁହେଁ ବଲିଉଡ୍‌ ଇଣ୍ଡଷ୍ଟ୍ରି ମଧ୍ୟ ଦୋହଲି ଯାଇଛି। ସଲମାନଙ୍କର ଆଗକୁ ୩/୪ଟି ଚଳଚ୍ଚିତ୍ର ଆସିବାକୁ ବାକି ଥିବା ବେଳେ ତାଙ୍କ ପଛରେ ଏକାଧିକ ପ୍ରଯୋଜକଙ୍କ ଶହ ଶହ କୋଟି ଟଙ୍କା ଲାଗିଛି। ତେଣୁ ସିନେମା ଶିଳ୍ପ ମଧ୍ୟ ସଲମାନଙ୍କ ଦଣ୍ଡାଦେଶ ପରେ ବାଧାପ୍ରାପ୍ତ ହେବ ବୋଲି ସ୍ପଷ୍ଟ ମତ ପ୍ରକାଶ ପାଇଲାଣି। ତେବେ ସଲମାନଙ୍କୁ ଦଣ୍ଡାଦେଶ ହେବା ପରେ ରାଜ୍ୟରେ ତାଙ୍କର ରହିଥିବା ଫ୍ୟାନ୍‌ ଓ ସେଲିବ୍ରେଟିଙ୍କ କ’ଣ ମତ ରହିଛି ତାହାକୁ ଜାଣିବାକୁ ଚେଷ୍ଟା କରିଥିଲା ‘ସମ୍ବାଦ’।

ମତେ ବହୁତ କଷ୍ଟ ଦେଇଛି
ସଲମାନ୍‌ଙ୍କ ଜଣେ ଫ୍ୟାନ୍‌ ହିସାବରେ କହିବି ଏହି ରାୟ ମୋ’ପାଇଁ ବହୁ କଷ୍ଟଦାୟକ ହୋଇଛି। ହେଲେ ଜଣେ ଭାରତୀୟ ହିସାବରେ ଆଇନ୍‌ ବ୍ୟବସ୍ଥା ଯାହା କରିଛି ଠିକ୍‌ କରିଛି। ଜଣେ ସେଲିବ୍ରେଟି ହେଲେ ମଧ୍ୟ ଆଇନ୍‌ ସମସ୍ତଙ୍କ ପାଇଁ ସମାନ। ସେଲିବ୍ରିଟିଙ୍କଠାରୁ ସାଧାରଣ ଜନତା ଶିକ୍ଷା ପାଇଥାନ୍ତି ତେଣୁ ସେମାନେ ନିଜର ଆଚାର, ବ୍ୟବହାର, ଚାଲି ଓ ଚଳଣରେ ପରିବର୍ତନ ଆଣିବା ଦରକାର।
ସବ୍ୟସାଚୀ ମିଶ୍ର, ଅଭିନେତା

ଦଣ୍ଡ ବେଶି ହୋଇଗଲା
ଅଦାଲତଙ୍କ ରାୟକୁ ସମ୍ମାନ ଦେବା ଦରକାର। ଅପରାଧ ପାଇଁ ଦଣ୍ଡ ବି ମିଳିବା ଦରକାର। ମାତ୍ର ସଲ୍‌ମାନଙ୍କୁ ଯେଉଁ ଦଣ୍ଡ ଦିଆଗଲା ତାହା ବେଶି ହୋଇଗଲା ପରେ ମନେ ହେଉଛି। ଅନ୍ୟପକ୍ଷରେ ସଲମାନଙ୍କ ହୃଦହ ବହୁତ କୋମଳ। ସେ ଏକମାତ୍ର ଅଭିନେତା ଯିଏ ସର୍ବାଧିକ ଦାନ କରନ୍ତି। ହଜାର ହଜାର କର୍କଟ ଓ ଚକ୍ଷୁ ରୋଗୀଙ୍କୁ ସହାୟତା ଯୋଗାଇ ଦେଇଥାନ୍ତି। ଠିକ୍‌ ସମୟରେ କର ପଇଠ କରନ୍ତି। ୨୦ବର୍ଷର ଲମ୍ବା ବିଚାର ପରେ ୫ବର୍ଷ ଜେଲ୍‌ ବହୁତ ହୋଇଗଲା।
ବୁଦ୍ଧାଦିତ୍ୟ ମହାନ୍ତି, ଅଭିନେତା

ଆଇନ୍‌ରୁ ଊର୍ଧ୍ୱରେ କେହି ନୁହନ୍ତି
ଆଇନ୍‌ ସମସ୍ତଙ୍କ ପାଇଁ ସମାନ। ଯିଏ ଯେତେ ବଡ଼ ଲୋକ ହୋଇଥିଲେ ମଧ୍ୟ ଆଇନ୍‌ ସମସ୍ତଙ୍କ ପାଇଁ ସମାନ ବୋଲି ଆଜି ପ୍ରମାଣିତ ହୋଇଗଲା। ତେବେ ଏହି ମାମଲାର ବିଚାରକୁ ୨୦ ବର୍ଷ ଲାଗିଗଲା। ଅନ୍ୟପକ୍ଷରେ ଦେଖିବାକୁ ଗଲେ ସଲମାନ୍‌ଙ୍କ ବଦାନ୍ୟତା ଓ ସେବା ମନୋଭାବର ଅନେକ ଉଦାହରଣ ରହିଛି। ଦରିଦ୍ର ଓ ଅସହାୟ ଲୋକଙ୍କ ପାଇଁ ସେ ହୃଦୟଖୋଲା ସହାୟତା କରିଥାନ୍ତି। ତେବେ ସଲମାନ୍‌ଙ୍କୁ ଯେଉଁ ଦଣ୍ଡ ମିଳିଲା ତାହା ଅଧିକ ହୋଇଗଲା ବୋଲି ମନେ ହେଉଛି।
ଟୁଟୁ ନାୟକ, ପ୍ରଯୋଜକ

ବହୁତ ଦୁଃଖ ଲାଗୁଛି, ଆଇନ୍‌କୁ ସମ୍ମାନ ଦେବା ଆବଶ୍ୟକ
ସଲ୍‌ମାନଙ୍କୁ ପାଞ୍ଚ ବର୍ଷ ଜେଲ୍‌ ଦଣ୍ଡ ଶୁଣିବା ପରେ ମତେ ବହୁତ ଦୁଃଖ ଲାଗୁଛି। ଆଇନ୍‌କୁ ସମ୍ମାନ ସେବା ଆବଶ୍ୟକ। ଆଇନ୍‌ ଠାରୁ କେହି ଉର୍ଦ୍ଧ୍ୱରେ ନୁହଁନ୍ତି। ଯଦି ପ୍ରକୃତରେ ସେ ଘଟଣାରେ ସମ୍ପୃକ୍ତ। ତେବେ ଦଣ୍ଡ ବିଧାନକୁ ଗ୍ରହଣ କରିବାକୁ ପଡ଼ିବ। ହେଲେ ପୂର୍ବରୁ ସଲ୍‌ମାନଙ୍କ ପ୍ରତି ମୋର ଯେଉଁ ଭଲପାଇବା ଓ ସମ୍ମାନ ଥିଲା ତାହା ଏବେ ବି ରହିଛି। କାରଣ ଗୋଟିଏ ଭୁଲ ପାଇଁ କେହି ଜଣେ ଖରାପ ମଣିଷ ହୁଏନି।
ଅନୁ ଚୌଧୁରୀ, ଅଭିନେତ୍ରୀ

ଶୀଘ୍ର ଜାମିନ୍‌ ମିଳିଯାଉ
ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା ସଲ୍‌ମାନଙ୍କୁ ଜାମିନ ମିଳିଯାଉ। ମୁଁ ସଲମାନଙ୍କ ସହ ଗୋଟିଏ ମୁଭି କରିଛି। ତାଙ୍କ ସହ ମୋର ଘନିଷ୍ଠତା ରହିଛି। ଏଭଳି ଏକ ଦଣ୍ଡ ଶୁଣିବା ପରେ ମୋତେ ବହୁତ କଷ୍ଟ ଲାଗିଛି। ଆଇନ୍‌ ନିକିତିରେ ସମସ୍ତେ ସମାନ। ହେଲେ ଏହା ସଲ୍‌ମାନଙ୍କ ଫ୍ୟାନଙ୍କ ଉପରେ ବିଶେଷ ପ୍ରଭାବ ପଡ଼ିବନି।
ମନୋଜ ମିଶ୍ର, ଅଭିନେତା

ସମ୍ବନ୍ଧିତ ଖବର