କାଳବୈଶାଖୀ ବର୍ଷାରେ ରାଜଧାନୀ ଭାସିଲା

ଜାତୀୟ ରାଜପଥ ଅବସ୍ଥା ସୁଧୁରିଲାନି

ଏନ୍‌ଏଚ୍‌-୧୬ର ଅଧିକାଂଶ ସ୍ଥାନରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଥିବାବେଳେ ଇସ୍କନ ମନ୍ଦିର ସମ୍ମୁଖରେ ଅଣ୍ଟେ ଉଚ୍ଚରେ ପାଣି ଜମିଥିଲା। ଏହି ରାସ୍ତାରେ ପ୍ରାୟ ଅଧ ଘଣ୍ଟା କାଳ ପାଣି ଜମି ରହିବାରୁ ଯାତାୟାତ ଏକରକମ ଠପ୍‌ ହୋଇ ଯାଇଥିଲା। ଯିଏ ଏହି ରାସ୍ତାରେ ଯାଇଥିଲେ ସେମାନେ ଭାସି ଯାଇଥିଲେ। କେତେକ ବସ୍‌ ଓ କାର୍‌ରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଥିଲା। ସେହିପରି ବରମୁଣ୍ଡା, ଜୟଦେବ ବିହାର, ବାଣୀବିହାର, ରସୁଲଗଡ଼, ପାହାଳ ଛକରେ ଆଜି ଆଣ୍ଠୁଏ ଉଚ୍ଚରେ ପାଣି ଜମା ହୋଇଥିଲା।

ଓ୍ଵାର୍ଡ ୩୭ରେ ଘରେ ପଶିଲା ପାଣି
ଓ୍ଵାର୍ଡ ୩୭ର ବିଭିନ୍ନ ଅଞ୍ଚଳରେ ଆଜି ପାଣି ସୁଅ ଛୁଟିଥିଲା। ଲୋକଙ୍କ ଘରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଥିଲା। ମେଟ୍ରୋ ସିଟି ଆପାର୍ଟମେଣ୍ଟ ପଛପଟ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯିବାରୁ ବାସିନ୍ଦାମାନେ କିଲ୍‌ବିଲ୍‌ ହୋଇଯାଇଛନ୍ତି। ବିଏମ୍‌ସି କି ଅଗ୍ନିଶମ ବିଭାଗ ଜଳ ନିଷ୍କାସନ କରି ନପାରିବାରୁ ଲୋକମାନେ ବେଲା, ଥାଳି ଓ ବାଲ୍‌ଟିରେ ପାଣି କାଢ଼ିଥିଲେ। କିନ୍ତୁ ଯେଉଁମାନଙ୍କ ଘରେ ଖଟ ନଥିଲା ସେମାନଙ୍କୁ ଶୋଇବାରେ ଅସୁବିଧା ହୋଇଥିଲା।

ଭୁବନେଶ୍ୱର: ମୌସୁମୀ ଜନିତ ବର୍ଷା ହେଲେ ମଇଦାନକୁ ସଜବାଜ ହୋଇ ଓହ୍ଲାଇବେ ବୋଲି ବିଏମ୍‌ସି କର୍ତ୍ତୃପକ୍ଷ ଅପେକ୍ଷା କରିଛନ୍ତି। ଏପଟେ କାଳବୈଶାଖୀ ବର୍ଷାରେ ରାଜଧାନୀ ଭାସିଲାଣି। ବିଏମ୍‌ସି ଅଧିକାରୀଙ୍କ ଅପାରଗତାରୁ ଆଜି ରାଜଧାନୀ ଜଳମଗ୍ନ ହୋଇଯାଇଥିଲା। ତିନି ଘଣ୍ଟାର ବର୍ଷାରେ ପୂରା ରାଜଧାନୀ ଭାସିଛି। ଆଜି ରାଜଧାନୀକୁ ସୁଚିନ୍ତିତ ଷଡ଼ଯନ୍ତ୍ର କରି ଭସାଇଦେଲେ ବୋଲି ଅଭିଯୋଗ ହେଲାଣି। ରାଜଧାନୀର ପରିମଳ ବ୍ୟବସ୍ଥା ବିପର୍ଯ୍ୟନ୍ତ ହେବାର ଲକ୍ଷଣ ଗତ ୧୫ତାରିଖ ବର୍ଷା ସମୟରେ ଦେଖିବାକୁ ମିଳିଥିଲା। କିନ୍ତୁ ଆଜି କୃତି୍ରମ ବନ୍ୟାର ଲାଇଭ୍‌ ସୋ ରାଜଧାନୀବାସୀ ଦେଖିଲେ। ଜାତୀୟ ରାଜପଥରୁ ଆରମ୍ଭ କରି ରାଜଧାନୀର ପ୍ରମୁଖ ଅଞ୍ଚଳ, ତଳି ଅଞ୍ଚଳ, ବସ୍ତି ସମେତ ଅଧିକାଂଶ ରାସ୍ତାରେ ପାଣିର ସୁଅ ଛୁଟିଥିଲା। ମୁଖ୍ୟ ଡ୍ରେନ୍‌ ଓ ଡ୍ରେନ୍‌ରେ ପାଣି ନିଷ୍କାସନ ହୋଇନପାରିବାରୁ ଅଧିକାଂଶ ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲିଥିଲା। କେତେକ ସ୍ଥାନରେ ଘରେ ପାଣି ପଶିଯାଇଥିବାବେଳେ ରାଜଧାନୀବାସୀ ଅଦିନିଆ ବର୍ଷାରେ ହନ୍ତସନ୍ତ ହୋଇଛନ୍ତି।
ଆଜି ସକାଳ ୮ଟା ୩୦ରୁ ପୂର୍ବାହ୍ନ ୧୧ଟା ୩୦ ମଧ୍ୟରେ ପ୍ରାୟ ୬୮.୮ମିମି ବର୍ଷା ହୋଇଥିବାବେଳେ ୫୦ରୁ ୬୦କିମି ବେଗରେ ପବନ ବହିଥିଲା। ଏଥିରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବାବେଳେ କେତେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା। ପ୍ରବଳ ଜୋର୍‌ରେ ଘଡ଼ଘଡ଼ି ବିଜୁଳି ମାରିବାରୁ ଲୋକ ଭୟଭୀତ ହୋଇଯାଇଥିଲେ। ଯେଉଁଥିପାଇଁ ବର୍ଷା ଜଳ ଯେପରି ଘରେ ନପଶିବ ତାହାର ବ୍ୟବସ୍ଥା କେହି କରିପାରି ନଥିଲେ। ଗତ ବର୍ଷ ଏହିଭଳି କାଳବୈଶାଖୀ ଜନିତ ବର୍ଷା ଏବଂ ମୌସୁମି ବର୍ଷାରେ ରାଜଧାନୀ ଜଳମଗ୍ନ ହୋଇ ରହିବାରୁ ବିଏମ୍‌ସି ଅପଦସ୍ତ ହୋଇଥିଲା। ଏହାପରେ ନିଷ୍ପତ୍ତି ହୋଇଥିଲା ଯେ, ବର୍ଷତମାମ୍‌ ସମସ୍ତ ଗଳିକନ୍ଦି ଡ୍ରେନ୍‌ ସଫା ହେବ। ମୁଖ୍ୟ ଡ୍ରେନ୍‌ ସଫେଇ ପାଇଁ ମେ ମାସ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ ହେବ। ମେ ୨୦ସୁଦ୍ଧା ସମସ୍ତ ଡ୍ରେନ୍‌ ଓ ମୁଖ୍ୟ ଡ୍ରେନ୍‌ ସଫା କରାଯିବ। କିନ୍ତୁ ଯଥା ପୂର୍ବଂ ତଥା ପରଂ। ଏପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟା ସରିଲାନି। ଡ୍ରେନ୍‌ ସଫେଇ ହେବା ଦୂର କଥା। ବିଏମ୍‌ସିର ଦୂରଦୃଷ୍ଟି ଅଭାବରୁ ଆଜି ରାଜଧାନୀ ଭାସିଛି। ଜନଜୀବନ ପୂରା ଅସ୍ତବ୍ୟସ୍ତ ହୋଇଯାଇଛି।ଆଜି ଜାତୀୟ ରାଜପଥରୁ ଆରମ୍ଭ କରି ଆଚାର୍ଯ୍ୟ ବିହାର, ନୂଆପଲ୍ଲୀ, ବାଣୀବିହାର, ରସୁଲଗଡ଼, ବରମୁଣ୍ଡା, ଲକ୍ଷ୍ମୀସାଗର, ବମିଖାଲ, ପୁରୁଣା ଭୁବନେଶ୍ୱର, ଜାଗମରା ପ୍ରଭୃତି ଅଞ୍ଚଳରେ ଆଜି ରାସ୍ତାରେ ବର୍ଷା ପାଣି ସୁଅ ଛୁଟି ଥିଲା।

ପାଣି ଘେରରେ ମନ୍ଦିର
ପୁରୁଣା ଭୁବନେଶ୍ୱର: ବର୍ଷା ଯୋଗୁ ଏକାମ୍ର କ୍ଷେତ୍ରରେ ଥିବା ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ବେଢ଼ା ଭିତରେ ପାଣି ଜମିଥିବା ବେଳେ ଅନ୍ୟ ମନ୍ଦିର ମଧ୍ୟ ପାଣି ଘେରରେ ଥିବା ଦେଖାଯାଇଥିଲା। ଡ୍ରେନ୍‌ ସଫା ହେଉ ନଥିବାରୁ ପାଣି ନିଷ୍କାସନ ହୋଇ ନପାରି ଏପରି ସମସ୍ୟା ସୃଷ୍ଟି ହୋଇଥିଲା। ଭକ୍ତମାନେ ପାଣିରେ ପଶି ମନ୍ଦିରକୁ ଯିବାକୁ ବାଧ୍ୟ ହୋଇଥିଲେ। ସେହିପରି କେଦାରଗୌରୀ ମନ୍ଦିରର ସିଂହଦ୍ଵାରଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ପାଣି ଜମିଥିଲା। ବୋଇତାଳ ମନ୍ଦିର ଓ ଟଙ୍କପାଣି ରୋଡ୍‌ରେ ଥିବା ଶ୍ରୀମେଘେଶ୍ୱର ମନ୍ଦିର ପାଣି ଘେରରେ ରହିଥିଲା। ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ ଆରମ୍ଭ କରି ମୁଖ୍ୟରାସ୍ତା ଓ ବଡ଼ଦାଣ୍ଡ, ଯମେଶ୍ୱର ପାଟଣା, ଲୁଇସ୍‌ ରୋଡ୍‌ରେ ସାମନ୍ତରାପୁରଠାରୁ ଗ୍ୟାରେଜ୍‌ ଛକ, ଭୀମଟାଙ୍ଗୀ ଉପର ଫେଜ୍‌ର ଅଟାକଳ ଗଳି, ତଳ ଫେଜ୍‌ର ପଞ୍ଚମୁଖୀ ହନୁମାନ ମନ୍ଦିର ଗଳି, ପୋଷ୍ଟ ଅଫିସ୍‌ ଗଳି, ବେହେରା ସାହି, କୋଟିତୀର୍ଥ ରୋଡ୍‌ର ପ୍ରଭୁ ଗଳି ରାସ୍ତାରେ ପାଣି ଜମିଥିବା ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହୋଇଥିଲେ। ବର୍ଷା ଯୋଗୁ ଓ୍ଵାର୍ଡ ନଂ ୬୧ ଅନ୍ତର୍ଗତ ତଳ ଫେଜ୍‌ ଶ୍ମଶାନ ଗଳି ନିକଟ ଉଲ୍ଲାସ ଦେଇଙ୍କ ଘର ଭାଙ୍ଗି ଯାଇଥିଲା। ସେହିପରି ୫୯ନଂ ୱାର୍ଡ ଅନ୍ତର୍ଗତ ଶ୍ରୀରାମ ନଗର ଲେନ୍‌୧୦ ହେମନ୍ତ ନିବାସରେ ରହୁଥିବା ରାଜେଶ ନାୟକଙ୍କ ଘରେ ପାଣି ପଶିଥିଲା। ଗ୍ୟାରେଜ୍‌ ଛକ ନିକଟ ଗୌରୀ ନଗରର ଗୌରୀ ଗାର୍ଡେନ୍‌ ଆପାଟ୍‌ର୍ମେଣ୍ଟ୍‌ର ୫୦ରୁ ଊର୍ଧ୍ୱ ପରିବାର ପାଣି ଘେରରେ ରହିଥିଲେ।

ବେହାଲ୍‌ ଚନ୍ଦ୍ରଶେଖରପୁର
ଚନ୍ଦ୍ରଶେଖରପୁର : ବର୍ଷା ଫଳରେ ମଞ୍ଚେଶ୍ୱର କେନାଲ ବନ୍ଧ ନିକଟ ବସ୍ତି, ଲାଇନ୍‌ସାହି ମୁଣ୍ଡା ବସ୍ତି ଓ ଧିରିକୁଟି ସାହି ବସ୍ତି, ସତ୍ୟବିହାର ସହ କାନନବିହାର ଫେଜ୍‌ ୨, ପଟିଆ ଗ୍ରିନ୍‌ଲ୍ୟାଣ୍ଡ କଲୋନି, ପ୍ରଶାନ୍ତବିହାର ବସ୍ତି, ନନ୍ଦନ ବିହାର, ନୀଳାଦ୍ରିବିହାର ଆଦିବାସୀ ବସ୍ତି, ଇନ୍‌ଫୋସିଟି ଚିରଗାଲ୍‌ ଟୋଲା ଓ ଆଦର୍ଶ ବସ୍ତି ଅଞ୍ଚଳରେ ବର୍ଷା ପାଣି ଜମି ରହିବା ଫଳରେ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ନନ୍ଦନବିହାର ଅଞ୍ଚଳର ମୁଖ୍ୟ ରାସ୍ତା, ଓ୍ଵାର୍ଡ଼ ନଂ-୧୨ ଅନ୍ତର୍ଗତ ଦୂରଦର୍ଶନ ଏରିଆ, ଆପୋଲୋ ହସ୍ପିଟାଲ୍‌ ଏରିଆ ଏବଂ ଆଦିମାତା କଲୋନି ଆଦି ଅଞ୍ଚଳରେ ବର୍ଷା ଜଳ ସମସ୍ୟା ସୃଷ୍ଟି କରିଥିଲା। ଓ୍ଵାର୍ଡ ନଂ-୧୦ରେ ଥିବା ଭଗବତୀ, ଓସିସି ଓ ଆଖଣ୍ଡଳମଣି ବସ୍ତି ଅଞ୍ଚଳ କେନାଲ ବନ୍ଧ ବସ୍ତିରେ ମଇଳା ପାଣି ରାସ୍ତା ଉପରେ ଭାସିବା ସହ କିଛି ଲୋକଙ୍କ ଘର ଭିତରକୁ ମଧ୍ୟ ପଶିଯାଇଥିଲା। ମଞ୍ଚେଶ୍ୱର ଧିରିକୁଟି ସାହିରେ ମଧ୍ୟ କିଛି ପରିବାର ଜଳବନ୍ଦୀ ଅବସ୍ଥା କାଟିଥିଲେ। ଓ୍ଵାର୍ଡ ନଂ-୬ ଅନ୍ତର୍ଗତ ଶାଶ୍ୱତବିହାର ଅଞ୍ଚଳରେ ମଧ୍ୟ ଏହି ବର୍ଷା ବହୁ ସମସ୍ୟା ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର