ଫସର ଫାଟିବ ପ୍ଲାଟିନମ୍‌ ଜୁବୁଲି! ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ

୫ କୋଟିର ଯୋଜନା, ଟଙ୍କାଟିଏ ବି ବଜେଟ୍‌ ନାହିଁ, ଓଏସ୍‌ଡି ନିଯୁକ୍ତିରେ ସୀମିତ ଜୁବୁଲି କମିଟି

ଭୁବନେଶ୍ୱର: ୭୫ ବର୍ଷରେ ପଦାର୍ପଣ କରିବ ଉତ୍କଳ ବିଶ୍ୱବିଦ୍ୟାଳୟ। ନଭେମ୍ବର ୨୭ରେ ବିଶ୍ୱବିଦ୍ୟାଳୟ ପାଳନ କରିବ ପ୍ଲାଟିନମ୍‌ ଜୁବୁଲି ଉତ୍ସବ। ଏଥିପାଇଁ ଗତ ୩ ମାସ ହେଲା ପ୍ରକ୍ରିୟା ଚାଲିଛି। ବୈଠକ ପରେ ବୈଠକ ହେଉଛି। ପୂର୍ବତନ ମନ୍ତ୍ରୀ, ବିଧାୟକ, ପୂର୍ବତନ ଛାତ୍ର ସଂସଦ ସଭାପତି, ଛାତ୍ରନେତା, ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ମତାମତ ଲୋଡ଼ାଯାଉଛି। ଲୋଗୋ ବି ଉନ୍ମୋଚିତ ସରିଛି। ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ସୋସିଆଲ୍‌ ମିଡିଆର ସାହାରା ନିଆଯାଉଛି। ଉତ୍ସବ କିଭଳି ପାଳିତ ହେବ? କେତେ ଦିନ ଧରି ଚାଲିବ? ସେ ନେଇ ଲମ୍ବା ଚଉଡ଼ା ତାଲିକା ବି କରାଯାଇଛି। ଉତ୍ସବରେ ୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଆକଳନ କରି ସାରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ପାଖରେ ଟଙ୍କାଟିଏ ବି ନାହିଁ। ଟଙ୍କା କେଉଁଠୁ ଆସିବ, ସେନେଇ ମଧ୍ୟ କେହି ଆକଳନ କରିନାହାନ୍ତି। କେବଳ ପ୍ଲାଟିନମ୍‌ ଜୁବୁଲି କମିଟିର ଓଏସ୍‌ଡି ନିଯୁକ୍ତ ହୋଇଛନ୍ତି। ବରିଷ୍ଠ ପ୍ରଫେସରଙ୍କ ସ୍ଥାନରେ କନିଷ୍ଠ ପ୍ରାଧ୍ୟାପକଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି। ଯେଉଁ ପ୍ରାଧ୍ୟାପକଙ୍କୁ ଓଏସ୍‌ଡି କରାଯାଇଛି, ସେ ଏବେ ବିଶ୍ୱବିଦ୍ୟାଳୟର ୪ରୁ ଅଧିକ ପ୍ରମୁଖ ପଦରେ ରହିଛନ୍ତି। ଏତେ ପରେ ବି କେଉଁ ଆଧାରରେ ତାଙ୍କୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ କରାଗଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ପ୍ରଫେସର। ଉତ୍ସବ ଅବସରରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପ୍ରଫେସର, ପ୍ରାଧ୍ୟାପକ, ଅଧ୍ୟାପକଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି। ହେଲେ ଅର୍ଥ ନ ଥିବାରୁ ଏପର୍ଯ୍ୟନ୍ତ ଗୋଟିଏ ବି କାର୍ଯ୍ୟକ୍ରମ ହୋଇପାରିନି। ସେପ୍ଟେମ୍ବରରୁ ଡିସେମ୍ବର ପର୍ଯ୍ୟନ୍ତ ଏକାଧିକ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତି ବୈଠକରେ ସ୍ଥିର ହୋଇଥିଲା।

ସବୁଠାରୁ ବଡ଼ କଥା ହେଲା, ୫ କୋଟି ଟଙ୍କା କେଉଁଠୁ ଆସିବ? କିଏ ଦେବ ଏତେ ଟଙ୍କା? ବିଶ୍ୱବିଦ୍ୟାଳୟ ଫଣ୍ଡ୍‌ରେ ବି ଏତେ ପରିମାଣ ଟଙ୍କା ନଥିବା ନେଇ ଗତ ମାସରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିତ୍ତ ନିୟନ୍ତ୍ରକ କହିଥିଲେ। ସମସ୍ତଙ୍କ ସହଯୋଗ କାମନା କରିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାର, ୟୁଜିସି ସମେତ ବିଭିନ୍ନ କର୍ପୋରେସନ୍‌ଙ୍କ ସହଯୋଗ ଲୋଡ଼ା ଯାଇଛି। ବିଭିନ୍ନ ସଂସ୍ଥାର ସିଏସ୍‌ଆର ଫଣ୍ଡ୍‌ରୁ କିଭଳି ଅନୁଦାନ ଆସିପାରିବ, ସେନେଇ ଆଲୋଚନା କରିବାକୁ ଏକ କମିଟି ଗଠିତ ହୋଇଛି ବୋଲି ସେ କହିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି, କୁଳସଚିବ, ବିତ୍ତ ନିୟନ୍ତ୍ରକ, ପିଜି କାଉନସିଲ୍‌ ଅଧ୍ୟକ୍ଷ, ଦୁଇଜଣ ସିଣ୍ଡିକେଟ୍‌ ସଦସ୍ୟ କମିଟିରେ ରହିଥିଲେ। ଇତି ମଧ୍ୟରେ ଅଗଷ୍ଟ ୭ ପ୍ରସ୍ତୁତି ବୈଠକକୁ ୪୦ ଦିନ ବିତିଗଲାଣି। ହେଲେ ଏ ପର୍ଯ୍ୟନ୍ତ ଟଙ୍କାଟିଏ ଆସିପାରିନି। କେଉଁ କାର୍ଯ୍ୟକ୍ରମ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ, ତାହାର ବି ଯୋଜନା କରାଯାଇନି। ଏନେଇ ଉତ୍ସବ କମିଟିର ଓଏସ୍‌ଡି ଚିନ୍ମୟ ପ୍ରଧାନ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ବଜେଟ୍‌ ପ୍ରସ୍ତୁତ ହୋଇନାହିଁ।ଅନ୍ୟପକ୍ଷରେ ୨୦୦୩ରେ ହୀରକ ଜୟନ୍ତୀ ଉତ୍ସବ ଯେଉଁଭଳି ଫସର ଫାଟିଥିଲା, ଏଥର ମଧ୍ୟ ସମାନ ଅବସ୍ଥା ଉପୁଜିବା ଆଶଙ୍କା ଦେଖାଦେଇଛି। ନଭେମ୍ବର ୨୭କୁ ଆଉ ଦୁଇ ମାସ ବାକି ଥିବା ବେଳେ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀମାନଙ୍କ ଅସହଯୋଗ ପାଇଁ ପରବର୍ତୀ ବୈଠକ ହୋଇପାରୁନି। ଗତ ମାସରେ ଅନୁଷ୍ଠିତ ଉତ୍ସବ କମିଟି ବୈଠକରେ ଅଧ୍ୟାପକଙ୍କ ପ୍ରତି ଯେଉଁଭଳି ବ୍ୟବହାର କରାଯାଇଥିଲା, ତାହାକୁ ନେଇ ବିଶ୍ୱବିଦ୍ୟାଳୟର ପ୍ରଫେସରମାନେ ଅସନ୍ତୁଷ୍ଟ ରହିଛନ୍ତି। ଉତ୍ସବରେ ଅସହଯୋଗ କରିବାକୁ ସେମାନେ ମନସ୍ଥ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର